ମାତୃଭୂମିର ସ୍ବାଧୀତନା ପାଇଁ ଯେଉଁ କେତେଜଣ ବିଦେଶରେ ରହୁଥିବା ଭାରତୀୟ ତୀବ୍ର ସଂଘର୍ଷ କରିଥିଲେ ସେମାନଙ୍କ ମଧ୍ୟରୁ ଶ୍ୟାମଜୀ କୃଷ୍ଣ ବର୍ମା ଅନ୍ୟତମ। ଶ୍ୟାମଜୀ ଦେଶବିଦେଶରେ ରହୁଥିବା ଅଗଣିତ ଯୁବକଙ୍କୁ ରାଷ୍ଟ୍ରଭକ୍ତିର ମନ୍ତ୍ରରେ ଉଦ୍‌ବୁଦ୍ଧ କରାଇ କ୍ରାନ୍ତି ପଥରେ ଅଗ୍ରସର ହେବା ଲାଗି ପ୍ରୋତ୍ସାହିତ କରିପାରିଥିଲେ। ୧୮୫୭ ଅକ୍‌ଟୋବର ୪ରେ ଗୁଜରାଟର କଚ୍ଛ ଜିଲ୍ଲା ଅନ୍ତର୍ଗତ ମାଣ୍ଡବୀରେ ଶ୍ୟାମଜୀ କୃଷ୍ଣ ବର୍ମା ଜନ୍ମ ହୋଇଥିଲେ। ଆଇନ ପାଠପଢ଼ା ସମାପ୍ତ କରିବା ପରେ ସେ ଅଜମେରରେ ଓକିଲାତି ଆରମ୍ଭ କରିଥିଲେ। ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଓ ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ସହିତ ସମ୍ପର୍କ ସ୍ଥାପନ ହେବା ପରେ ସେ ଦୟାନନ୍ଦଙ୍କ ଦ୍ବାରା ପ୍ରତିଷ୍ଠିତ ଆର୍ଯ୍ୟ ସମାଜରେ ଯୋଗ ଦେଲେ ଏବଂ ସ୍ବରାଜ ପାଇଁ ଲଢ଼ିବା ଆରମ୍ଭ କଲେ। ମାତ୍ର ୨୦ ବର୍ଷ ବୟସରୁ ସେ କ୍ରାନ୍ତିକାରୀ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଆରମ୍ଭ କରିଦେଇଥିଲେ। ତାଙ୍କର ପ୍ରତିଭା ଦେଖି ରତଲାମ ମହାରାଜା ତାଙ୍କୁ ନିଜ ରାଜ୍ୟର ଦେଵାନ ନିଯୁକ୍ତ କରିଥଲେ। ଏହା ପରେ ଜୁନାଗଡ଼ ଓ ଉଦୟପୁର ଦେଵାନ ଭାବେ ସେ ଅନେକ ଜନହିତକର କାମ କରିଥିଲେ। ସଂସ୍କୃତ ସମେତ ଅନେକ ଭାଷାରେ ତାଙ୍କର ଗଭୀର ଜ୍ଞାନ ଥିଲା। ସଂସ୍କୃତରେ ତାଙ୍କର ପାଣ୍ଡିତ୍ୟ ଦେଖି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ସଂସ୍କୃତ ଅଧ୍ୟାପନା ପାଇଁ ଆମନ୍ତ୍ରିତ କରାଯାଇଥିଲା। ଶ୍ୟାମଜୀ ଅକ୍ସଫୋର୍ଡରୁ ସ୍ନାତକତ୍ତୋର ଓ ବାରିଷ୍ଟର ଉପାଧି ହାସଲ କରିଥିବା ପ୍ରଥମ ଭାରତୀୟ ହୋଇଥିଲେ। ୧୯୦୫ରେ ସେ ଲର୍ଡ କର୍ଜନଙ୍କ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସେହି ବର୍ଷ ଇଂଲଣ୍ଡ୍‌ରୁ ‘ଇଣ୍ଡିଆନ୍ ସୋସିଓଲୋଜିଷ୍ଟ’ ନାମକ ମାସିକ ପତ୍ରିକାର ପ୍ରକାଶନ ଆରମ୍ଭ କଲେ।

Advertisment

ଏଥିରେ େସ ବ୍ରିଟିସ୍ ଶାସନ ବିରୋଧୀ ଲେଖା ପ୍ରକାଶ କରୁଥିଲେ। ଏଥି ସହିତ ସେଠାରେ ସେ ‘ଇଣ୍ଡିଆ ହାଉସ୍’ ସ୍ଥାପନ କରିଥିଲେ ଯାହା ଇଂଲଣ୍ଡ୍‌ରେ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କ ଲାଗି ମିଳାମିଶା ତଥା ବିପ୍ଳବୀଙ୍କ ପ୍ରଶିକ୍ଷଣର ପେଣ୍ଠସ୍ଥଳୀ ପାଲଟିଥିଲା। ଭାରତ ଫେରି ବିପ୍ଳବୀ ଛାତ୍ରଛାତ୍ରୀଙ୍କୁ ନେଇ ଗଠନ କରିଥିଲେ ‘ଇଣ୍ଡିଆନ୍ ହୋମ୍ ରୁଲ୍ ସୋସାଇଟି’। ସେ ସମୟରେ ଏହି ସଂଗଠନ କ୍ରାନ୍ତିକାରୀମାନଙ୍କ ଗଡ଼ ପାଲଟିଥିଲା। ସହିଦ ମଦନଲାଲ ଢୀଙ୍ଗରା ତାଙ୍କର ପ୍ରିୟ ଶିଷ୍ୟ ଥିଲେ। ସେହିପରି ବୀର ସାବରକର ତାଙ୍କ ମାର୍ଗଦର୍ଶନରେ ରାଷ୍ଟ୍ରବାଦୀ ଲେଖା ରଚନା କରୁଥିଲେ। ତେବେ ଇଂରେଜ ସରକାରଙ୍କ ବିରୋଧରେ ଲେଖା ପ୍ରକାଶ କରୁଥିବାରୁ ତାଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ତାଙ୍କୁ ଇନର୍‌ ଟେମ୍ପଲ୍‌ରୁ ବରଖାସ୍ତ କରାଯାଇଥିଲା। ଫଳସ୍ବରୂପ ଶ୍ୟାମଜୀ ପ୍ରଥମେ ଇଂଲଣ୍ଡ୍‌ରୁ ପ୍ୟାରିସ୍ ଚାଲିଯାଇଥିଲେ। ପ୍ରଥମ ବିଶ୍ବଯୁଦ୍ଧ ଆରମ୍ଭ ହେବାରୁ ଇଂଲଣ୍ଡ୍‌ ଛାଡ଼ି ସୁଇଜରଲାଣ୍ଡ୍‌ର ଜେନିଭାରେ ଅବସ୍ଥାପିତ ହୋଇଥିଲେ ଏବଂ ଅବଶିଷ୍ଟ ଜୀବନ ସେହିଠାରେ ରହି ଭାରତର ସ୍ବାଧୀନତା ପାଇଁ ଉଦ୍ୟମ ଜାରି ରଖିଥିଲେ। ୧୯୩୦ ମାର୍ଚ୍ଚ ୩୦ରେ ଜେନିଭାରେ ତାଙ୍କର ପରଲୋକ ହୋଇଥିଲା। ଅନ୍ତର୍ଜାତୀୟ ଆଇନ କାରଣରୁ ତାଙ୍କର ମୃତଦେହକୁ ଭାରତ ଅଣାଯାଇପାରି ନ ଥିଲା। ତେଣୁ ବିଦେଶରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା। ସ୍ବାଧୀନତାର ପ୍ରାୟ ୫୫ ବର୍ଷ ପରେ ୨୦୦୩ରେ ଶ୍ୟାମଜୀ ତାଙ୍କର ପତ୍ନୀଙ୍କ ଦେହାବଶେଷ ଭାରତ ଅଣାଯାଇଥିଲା। ମାଣ୍ଡବୀରେ ନିର୍ମିତ ‘କ୍ରାନ୍ତି ତୀର୍ଥ’ ସ୍ମାରକୀ ତାଙ୍କର ସ୍ମୃତି ବହନ କରୁଛି।