କେତେବେଳେ ଡେଙ୍ଗୁ ତ ଆଉ କେତେବେଳେ ମ୍ୟାଲେରିଆ, ପୁଣି ସ୍କ୍ରବ୍ ଟାଇଫସ୍ ୨୦୨୩ରେ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିଲା। ସ୍ଥିତି ସୁଧୁରିବା ଯାଏଁ ଏମାନେ ଗଣମାଧ୍ୟମ ଶିରୋନାମରେ ରହିଲେ। ହେଲେ ଆଉ କିଛି ପ୍ରସଙ୍ଗ ରାଜ୍ୟ ସ୍ବାସ୍ଥ୍ୟ କାନ୍ଥରେ ଏତେ ବହଳ କାଳିରେ ଲେଖାହାଇଛି ଯେ ତାହା ଲିଭିବାର ନାଁ ଧରୁନି। ରାଜ୍ୟର ବିକାଶ, ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା ଏଯାଏ ଏହି କଳଙ୍କର ଟିପା ଲିଭାଇପାରିନି। ତାହା ହେଲା ଅପପୁଷ୍ଟି, ରକ୍ତହୀନତା...। କ୍ୟାନସର୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଯେମିତି ବଚଳିତ କରୁଛି, ତା’ଠୁ ଅଧିକ ଚିନ୍ତାରେ ପକାଇଛି, କୋଭିଡ୍ ପରବର୍ତ୍ତୀ ରୋଗ। ସଂପ୍ରତି ଅସୁସ୍ଥ ଓଡ଼ିଶାର ଚିକିତ୍ସା ଆରମ୍ଭ ହୋଇଛି। କଟକ ଏସ୍ସିବିକୁ ଏମ୍ସ ପ୍ଲସ୍ ଭଳି ଡାକ୍ତରଖାନାରେ ରୂପାନ୍ତର ଉଦ୍ୟମ ଜାରି ରହିଛି। ଅଧିକ ମେଡିକାଲ କଲେଜ, ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟଠାରୁ ଅଧିକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଯାଏ ଭିତ୍ତିଭୂମି ସାମିଲ ହେଉଛି । ସବୁଠୁ ବଡ଼ କଥା ହେଲା- ଏହା ଭିତରେ ରାଜ୍ୟର ସ୍ବାସ୍ଥ୍ୟ ବଜେଟ୍ ୩ଗୁଣ ବଢ଼ିଛି। କିନ୍ତୁ ଓଡ଼ିଶା ଏଯାଏ ସମ୍ପୂର୍ଣ୍ଣ ସୁସ୍ଥତା ଅନୁଭବ କରିପାରିନି।
ରାଜ୍ୟର ସ୍ବାସ୍ଥ୍ୟାନୁଷ୍ଠାନର ରୂପାନ୍ତର ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଏସବୁରେ ‘ଆମ ହସ୍ପିଟାଲ’ ମୋହର ଲାଗୁଛି। ମରାମତି, ରଙ୍ଗ, ଶୌଚାଳୟ, ପାୱାର ବ୍ୟାକ୍ଅପ୍, ପ୍ରବେଶ ପଥ, ରୢାମ୍ପ, ବର୍ଜ୍ୟବସ୍ତୁ ପରିଚାଳନା ଭିତ୍ତିଭୂମି, କ୍ୟାମ୍ପସ ଆଲୋକୀକରଣ, ପାର୍କିଂ ସେଡ୍, ବର୍ଷାଜଳ ଅମଳ ବ୍ୟବସ୍ଥା, ସୌରଶକ୍ତିଚାଳିତ ଆଲୋକ ଭଳି ବ୍ୟବସ୍ଥାର ସୁଦୃଢ଼ୀକରଣ ନକ୍ସା ଆଙ୍କିଛନ୍ତି ସରକାର। ରୋଗୀଙ୍କ ପାଇଁ ମୌଳିକ ସୁବିଧା, ହେଲ୍ପ ଡେସ୍କ, ଓପିଡି/ଆଇପିଡି ରୋଗୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା ବି ହୋଇଛି। ଆବଶ୍ୟକ ସଂଖ୍ୟକ ଡାକ୍ତର, କର୍ମଚାରୀ ନିଯୁକ୍ତି ପରେ ନିୟମିତ ବ୍ୟବଧାନରେ ରୋଗୀଙ୍କ ମତ ସଂଗ୍ରହ କରିବେ ସରକାର। ପ୍ରଥମ ପର୍ଯ୍ୟାୟରେ ୭୫୦ କୋଟି ଖର୍ଚ୍ଚ କରି ୧୪୭ ନିର୍ବାଚନମଣ୍ଡଳୀରେ ଏହାକୁ କାର୍ଯ୍ୟକାରୀ ଲାଗି ଯୋଜନା କରିଛି ସ୍ବାସ୍ଥ୍ୟ ବିଭାଗ। ହେଲେ ଏତେ ବଡ଼ ଯୋଜନାର କାର୍ଯ୍ୟାନ୍ବୟନରେ ସେତିକି ତତ୍ପରତା ଏଯାଏ ପରିଲକ୍ଷିତ ହୋଇନାହିଁ।
ପିଛା ଛାଡ଼ୁନି ରୋଗ
ସରକାରୀ ସତର୍କତା କାମ ଦେଲାନି। ପ୍ରତି ଘରେ ରୋଗ ପୂରେଇବାକୁ ଉଦ୍ୟମ କଲେ ମଶା। ଜୁନ୍ରୁ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଲୋକମାନେ ଡେଙ୍ଗୁରେ ଥରିଥିଲେ। ରୋଗୀ ସଂଖ୍ୟା ୧୦ହଜାର ଅତିକ୍ରମ କରିଗଲା। ଅନେକ ମୁଣ୍ଡ ଗଡ଼ିଲା। ରାଜ୍ୟରେ ୧୧ଜଣ ଡେଙ୍ଗୁରେ ପ୍ରାଣ ହରାଇଥିବା ବେସରକାରୀ ଭାବେ କୁହାଯାଉଛି। ସ୍ବାସ୍ଥ୍ୟ ବିଭାଗ କିନ୍ତୁ ଏଥିରୁ କୌଣସି ମୃତ୍ୟୁର କାରଣ ଡେଙ୍ଗୁ ବୋଲି କହିନାହାନ୍ତି। ରାଜ୍ୟରେ ବିଗତ ବର୍ଷଗୁଡ଼ିକରେ ମ୍ୟାଲେରିଆ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଚଳିତବର୍ଷ ସ୍ଥିତି ଓଲଟିଯାଇଥିଲା। ମ୍ୟାଲେରିଆ ସଂକ୍ରମଣରେ ଓଡ଼ିଶା ପୁଣିଥରେ ଦେଶରେ ଶୀର୍ଷ ସ୍ଥାନକୁ ଲମ୍ଫ ମାରିଥିଲା। ଔଷଧୀୟ ମଶାରିର ଅବଧି ସରିଯିବା, ଦମନ କାର୍ଯ୍ୟକ୍ରମ ଠିକ୍ ଭାବେ ଅନୁପାଳନ ନ ହେବା ସହିତ ଜଳବାୟୁ ପରିବର୍ତ୍ତନ ରାଜ୍ୟରେ ଚଳିତବର୍ଷ ମ୍ୟାଲେରିଆ ବଢ଼ିବା ପଛର ପ୍ରମୁଖ କାରଣ କୁହାଯାଉଛି। ଏ ଯନ୍ତ୍ରଣାକୁ ଆହୁରି ବଢ଼ାଇଦେଲା ସ୍କ୍ରବ ଟାଇଫସ୍। ପଶ୍ଚିମ ଓଡ଼ିଶାରେ ସ୍ଥିତି ସାଂଘାତିକ ହେଲା। ୬ଜଣ ପ୍ରାଣ ହରାଇଥିବା ଘରୋଇ ଭାବେ କୁହାଯାଉଥିଲେ ହେଁ, ସରକାର ଏ ମୃତ୍ୟୁକୁ ମାନିନଥିଲେ। ତେବେ ଏହି ରୋଗ ରାଜ୍ୟବ୍ୟାପୀ ଆତଙ୍କ ଖେଳାଇ ଦେଇଥିଲା।
ବୟସ୍କଙ୍କ ରାଜ୍ୟ ପାଲଟିବ ଓଡ଼ିଶା
ରାଜ୍ୟର ଜନସଂଖ୍ୟାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମସ୍ତଙ୍କୁ ଚକିତ କଲାଭଳି ଏକ ଆକଳନ କରିଛି। ୨୦୩୬ ବେଳକୁ ଓଡ଼ିଶା ଏକ ବୟସ୍କଙ୍କ ରାଜ୍ୟ ପାଲଟିବ। ରାଜ୍ୟର ସମୁଦାୟ ପ୍ରଜନନ ହାର(ଟିଏଫ୍ଆର୍) ଜାତୀୟ ହାରଠାରୁ ଯଥେଷ୍ଟ କମ୍ ରହିବା ସହିତ ଧୀରେଧୀରେ ଏହା ଆହୁରି ହ୍ରାସ ପାଉଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍)-୫ ଅନୁଯାୟୀ, ରାଜ୍ୟରେ ଟିଏଫ୍ଆର ଏବେ ୧.୮ ରହିଛି। ଯାହାକି ସନ୍ତୁଳିତ ହାର (ରିପ୍ଲେସମେଣ୍ଟ ରେଟ୍) ୨.୧ଠାରୁ କମ୍। ଆସନ୍ତାବର୍ଷଠାରୁ ରାଜ୍ୟର ଟିଏଫ୍ଆର୍ ୧.୮ ବଦଳରେ ୧.୬କୁ ଖସିଯିବା ନେଇ ଆକଳନ କରାଯାଇଛି। ସହରାଞ୍ଚଳରେ ଟିଏଫ୍ଆର ୧.୬ ଓ ଗ୍ରାମାଞ୍ଚଳରେ ୧.୮ ରହିଛି। ୧୩ ବର୍ଷ ବେଳକୁ ରାଜ୍ୟର ଟିଏଫ୍ଆର ୧.୫ତଳକୁ ଖସିଯାଇଥାଇପାରେ। ଏହାସହ ରାଜ୍ୟରେ ୨ଟି ନୂତନ ଗର୍ଭ ନିରୋଧକ ପଦ୍ଧତି ଆରମ୍ଭ କରାଯାଇଛି।
ଅଧା ଲୋକଙ୍କଠାରେ ରକ୍ତହୀନତା
ରାଜ୍ୟରେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ହାର ୬୦%ରୁ ଅଧିକ ରହିଥିବା ରାଜ୍ୟ ସରକାରଙ୍କ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା। ଗତବର୍ଷ ନଭେମ୍ବର ମାସରୁ ଚଳିତବର୍ଷ ମେ’ ମାସ ମଧ୍ୟରେ ରାଜ୍ୟରେ ସମୁଦାୟ ୭୦,୪୯,୮୨୫ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଏଥିରେ ୪୯.୯% ବା ୩୫ ଲକ୍ଷ ୧୭ ହଜାର ୧୦୫ଜଣଙ୍କଠାରେ ରକ୍ତହୀନତା ଦେଖିବାକୁ ମିଳିଛି। ତହିଁରୁ ୩୭.୩% ବା ୨୬ଲକ୍ଷ ୨୬ ହଜାର ୨୨୦ଜଣଙ୍କଠାରେ ସ୍ବଳ୍ପ, ୧୨% ବା ୮ ଲକ୍ଷ ୪୭ ହଜାର ୮୫୧ଜଣଙ୍କଠାରେ ମଧ୍ୟମ ଧରଣର ଓ ୦.୬% ବା ୪୩ ହଜାର ୩୪ ଲୋକ ଗୁରୁତର ରକ୍ତହୀନତା ଥିବାର ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୬୬,୫୬,୬୫ ଗର୍ଭବତୀଙ୍କ ପରୀକ୍ଷା ହୋଇଥିବା ବେଳେ ତହିଁରୁ ୪୧ ଲକ୍ଷ ୭୩ ହଜାର ୮୫ ବା ୬୨.୭% ରକ୍ତହୀନତାରେ ପୀଡ଼ିତ ଥିବା ଚିହ୍ନଟ ହୋଇଥିଲେ। ରକ୍ତହୀନତା ଦୂର କରିବା ପାଇଁ ସରକାର ‘ଅମ୍ଲାନ୍’ ଯୋଜନା ଆରମ୍ଭ କରିଛନ୍ତି। ଗତ ୧ବର୍ଷ ଭିତରେ ରକ୍ତହୀନତା ୧୭% ହ୍ରାସ ପାଇଥିବା ଦାବି କରାଯାଇଛି।
ପଦବି ସୃଷ୍ଟି, ନିଯୁକ୍ତି ବାକି
ଡାକ୍ତରଙ୍କ ଅଭାବ ପୂରଣ ପାଇଁ ସରକାର ଆଉ ୫ହଜାର ଡାକ୍ତର ପଦବି ସୃଷ୍ଟି କରିଛନ୍ତି। ସମୁଦାୟ ଡାକ୍ତର ପଦବି ସଂଖ୍ୟା ୧୫,୭୭୪କୁ ବୃଦ୍ଧି ପାଇଛି। ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲଟିଆରଏମ୍ଓ)ଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଓ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ଦିଆଯିବ। ପୂର୍ବରୁ ଏହି ସଂଖ୍ୟା ରହିଥିଲା ୧୦,୭୭୪। ତହିଁରୁ ୮୨୧୩ ଡାକ୍ତର ବିଭିନ୍ନ ଡାକ୍ତରଖାନାରେ ନିୟୋଜିତ ହୋଇଛନ୍ତି। ସେହିପରି ସହକାରୀ, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ମିଶାଇ ସମୁଦାୟ ୧୫୭୧ ପଦବି ଥିବା ବେଳେ ୧୨୩୨ କାର୍ଯ୍ୟରତ ଅଛନ୍ତି। ତେବେ ବିଶେଜ୍ଞ ଡାକ୍ତର ପଦବି ପୂରଣ କରିବାକୁ ଆଉ କିଛି ବର୍ଷ ଲାଗିବ।
୫ବର୍ଷରେ ୩ ଗୁଣା ବଢ଼ିଲା ବଜେଟ୍
ରାଜ୍ୟ ସରକାର ୨୦୨୩-୨୪ରେ ସ୍ବାସ୍ଥ୍ୟ ବିଭାଗ ପାଇଁ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏଥର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଫୋକସ ଦିଆଯାଇଥିବା ଦାବି କରିଥିଲେ ସରକାର। କହିଥିଲେ, ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ ବର୍ଷ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାୟ ୩ ଗୁଣ ଅଧିକ ବଜେଟ୍ ମିଳିଛି। ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟବରାଦ ହୋଇଥିବା ଟଙ୍କାରୁ ପ୍ରାଶାସନିକ କାର୍ଯ୍ୟ ପାଇଁ ୩ ହଜାର ୭୨୫ କୋଟି ଟଙ୍କା ଓ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୧୨ ହଜାର ୩୧ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିସନରେ ଭିତ୍ତିଭୂମିର ବିକାଶ ପାଇଁ ୩ ହଜାର ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଅନ୍ୟପକ୍ଷରେ ହରିଶ୍ଚନ୍ଦ୍ର ସହାୟତା ଯୋଜନା ଅଧୀନରେ ସହାୟତା ରାଶି ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର ଟଙ୍କା ଓ ସହରାଞ୍ଚଳରେ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆରମ୍ଭ ହେଲା ବାଲ୍ ଆଧାର
ରାଜ୍ୟରେ ଶିଶୁ ଜନ୍ମ ପରେ ଆଧାର ସଂଯୋଗ ପ୍ରମାଣପତ୍ର ‘ବାଲ୍ ଆଧାର’ ଆରମ୍ଭ କରାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ଏହାର ଶୁଭାରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୮୨ଟି ପ୍ରସୂତିସ୍ଥଳରେ ଏହା କାର୍ଯ୍ୟକାରୀ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ ଓ ଉପଖଣ୍ଡ ଚିକିତ୍ସାଳୟରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ବାଲ୍ ଆଧାର ପଞ୍ଜୀକରଣ ପାଇଁ ମା’ କିମ୍ବା ବାପାଙ୍କ ମଧ୍ୟରୁ ଜଣଙ୍କର ମୋବାଇଲ ନମ୍ବର ରହିବା ଆବଶ୍ୟକ। ୫ବର୍ଷ ପର୍ଯ୍ୟନ୍ତ ଶିଶୁର ବାୟୋମେଟ୍ରିକ୍ସ ଅନିବାର୍ଯ୍ୟ ନୁହେଁ। ତେବେ ଶିଶୁଙ୍କ ଆଧାରରେ ମଧ୍ୟବୟସ୍କଙ୍କ ଭଳି ୧୨ ଅଙ୍କ ବିଶିଷ୍ଟ ହେବ। ମାତ୍ର ମା’ କିମ୍ବା ବାପା କେହି ଜଣଙ୍କ ପାଖରେ ଆଧାର ଥିବା ଜରୁରି।
କୋଭିଡ୍ ପରେ ...
ଚଳିତବର୍ଷ ରାଜ୍ୟରେ ଇନ୍ଫ୍ଲୁଏଞ୍ଜା ପାଇଁ ଲୋକଙ୍କୁ ଦହଗଞ୍ଜ ହେବାକୁ ପଡ଼ିଛି। ବର୍ଷର ବିଭିନ୍ନ ସମୟରେ ଲୋକମାନେ ଏହା କାରଣରୁ ଖୁଁ ଖାଁ ହେଉଥିବା ଦେଖିବାକୁ ମିଳିଥିଲା। ଏଚ୍୩ଏନ୍୨ ଭୂତାଣୁର ଉପ-ପ୍ରଜାତି ଇନଫ୍ଲୁଏଞ୍ଜା ପାଇଁ ଜ୍ବର ମାମଲା ବୃଦ୍ଧି ପାଇଥିଲା। ଅଧିକାଂଶ ରୋଗଙ୍କଠାରେ କରୋନାର ସମସ୍ତ ଲକ୍ଷଣ ଦେଖିବାକୁ ମିଳିଥିଲା। ଦେଶର ୩୦ଟି ଭିଆରଡିଏଲ୍(ଭାଇରାଲ ରିସର୍ଚ୍ଚ ଏଣ୍ଡ ଡାଏଗ୍ନୋଷ୍ଟିକ ଲାବୋରେଟୋରି)ରୁ ମିଳିଥିବା ତଥ୍ୟରେ ଏସ୍ଏଆରଆଇ (ଗଭୀର ଶ୍ବାସ ସଂକ୍ରମଣ) ଲକ୍ଷଣ ଥିବା ରୋଗୀଙ୍କଠାରେ ଇନ୍ଫ୍ଲୁଏଞ୍ଜା-ଏ ଏଚ୍୩ଏନ୍୨ ରହିଥିଲା। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏସ୍ଏଆରଆଇ ସହିତ ଏଚ୍୩ଏନ୍୨ ଥିବା ୯୨ ପ୍ରତିଶତ ରୋଗୀଙ୍କଠାରେ ଜ୍ବର, ୮୬ ପ୍ରତିଶତଙ୍କଠାରେ କାଶ, ୨୭ ପ୍ରତିଶତଙ୍କଠାରେ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା, ୧୬ ପ୍ରତିଶତଙ୍କଠାରେ ନିମୋନିଆ ଓ ୬ ପ୍ରତିଶତଙ୍କଠାରେ ସିଜର(ବେହୋସ ହୋଇଯିବା) ନଜରକୁ ଆସିଥିଲା। ଏଚ୍୩ଏନ୍୨ ଥିବା ଏସ୍ଏଆରଆଇ ଥିବା ୧୦ ପ୍ରତିଶତ ରୋଗୀଙ୍କୁ ଅକ୍ସିଜେନ୍ର ଆବଶ୍ୟକତା ପଡ଼ୁଥିବା ବେଳେ ୭ ପ୍ରତିଶତ ଆଇସିୟୁରେ ଭର୍ତି ହୋଇଥିଲେ।
ପୁଣି ଫେରିଲା
ବର୍ଷ ଶେଷ ଆଡ଼କୁ ପୁଣି ଥରେ ଡରାଇବାକୁ ଆରମ୍ଭ କରିଛି କରୋନା। କରୋନାର ନୂଆ ପ୍ରଜାତି ଜେଏନ.୧ରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସତର୍ତକା ଅବଲମ୍ବନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି। ବୟସ୍କ ବ୍ୟକ୍ତିମାନେ ମାସ୍କ୍ ପିନ୍ଧିବା ଲାଗି ବିଶେଷଜ୍ଞମାନେ ନିବେଦନ କରିଛନ୍ତି।
ଏବେ ଆଉ ଟିକେ ସଅଳ ପହଞ୍ଚିବ
ରାଜ୍ୟ ସ୍ବାସ୍ଥ୍ୟସେବାରେ ସାମିଲ ହୋଇଛି ଆଉ ୩୪୯ ଆମ୍ବୁଲାନ୍ସ। ପ୍ରଥମ ଥର ଲାଗି ଏତେ ସଂଖ୍ୟାରେ ଆମ୍ବୁଲାନ୍ସକୁ ଏକକାଳୀନ ସ୍ବାସ୍ଥ୍ୟସେବାରେ ସାମିଲ କରାଯାଇଛି। ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ଏଣିକି ୨୦ ମିନିଟ୍ରେ ପହଞ୍ଚିବ। ଏଥିରେ ୨୭୯ଟିକୁ ୧୦୮-ଆମ୍ବୁଲାନ୍ସ ସେବାରେ ସାମିଲ କରାଯାଇଛି। ବାକି ୭୦ଟିକୁ ସରକାରୀ ମେଡିକାଲ୍ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କୁ ଯୋଗାଇ ଦିଆଯାଇଛି। ୭୦ ଆମ୍ବୁଲାନ୍ସ ମଧ୍ୟରୁ ୪୦ଟି ହେଉଛି ଜୀବନ ରକ୍ଷାକାରୀ ମୌଳିକ ଆମ୍ବୁଲାନ୍ସ। ଆଉ ୩୦ଟି ହେଉଛି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ଆମ୍ବୁଲାନ୍ସ।
ଅଳ୍ପରେ ଅନେକ...
ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ହେଲେ ଡା.ଦତ୍ତେଶ୍ବର ହୋତା
୯୩ଟି ‘ଆମ ହସ୍ପିଟାଲ’ରେ ଖୋଲିବ ଆହାର କେନ୍ଦ୍ର
ପ୍ରଥମଥର ଲାଗି ବ୍ରେନ୍ ଡେଡ୍ ରୋଗୀ କ୍ରୀଷ୍ଣା ପଣ୍ଡାଙ୍କ ଏକାଧିକ ଅଙ୍ଗକୁ ଅନ୍ୟ ରୋଗୀଙ୍କଠାରେ ପ୍ରତିରୋପଣ
ଜୁନୋଟିକ୍ ରୋଗର ମୁକାବିଲା ପାଇଁ ଆରମ୍ଭ ହେଲା ୱାନ୍ ହେଲ୍ଥ କାର୍ଯ୍ୟକ୍ରମ
ସିକିଲ୍ସେଲ୍ ରୋଗୀଙ୍କ ପାଇଁ କାର୍ଡ
ସାପ କାମୁଡ଼ାଜନିତ ମୃତ୍ୟୁ କମାଇବା ଲାଗି ପ୍ରତି ଗାଁରେ ରହିବ ହାଲୁକା ଷ୍ଟ୍ରେଚର
ନାଇଜରଠାରେ ପ୍ରସ୍ତାବିତ କ୍ୟାନସର ହସ୍ପିଟାଲକୁ ସହାୟତା କରିବ ଟାଟା ଷ୍ଟିଲ୍
ଜାତୀୟ ସିକିଲସେଲ ଏନେମିଆ ନିରାକରଣ ମିସନ୍ରେ ଓଡ଼ିଶାର ୨୩ ଜିଲ୍ଲା
ପ୍ରଥମଥର ଲାଗି ଫାଇଲେରିଆ ନିରାକରଣରେ ସାମିଲ ହେଲା ୩ଟି ବଟିକା
ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ନାହାନ୍ତି ନକଲି ଡାକ୍ତର
ଆଉ ୧ବର୍ଷ ପାଇଁ ବଢ଼ିଲା ‘ସୁନେତ୍ର’ ଯୋଜନା
କେନ୍ଦୁଝର, କଳାହାଣ୍ଡି ମେଡିକାଲ କଲେଜର ଶୁଭାରମ୍ଭ
ରାଜ୍ୟରେ ବଢ଼ୁଛି ଅସ୍ତ୍ରୋପଚାର ପ୍ରସବ, ସ୍ବାସ୍ଥ୍ୟ ବିଭାଗର ଉଦ୍ବେଗ: ଅଡିଟ୍ ପାଇଁ ନୋଟିସ୍
ଦାନ୍ତ ଡାକ୍ତରଙ୍କ କ୍ୟାଡର ପୁନର୍ଗଠନ
ଓଡ଼ିଶା ଲିଙ୍କ୍ରେ ଉତ୍ତରପ୍ରଦେଶର ବୁଲନ୍ଦସହରରୁ ସାଢ଼େ ୭ କୋଟିର ନକଲି ଔଷଧ ଜବତ