ତାସମୁଠାର ରାଜାମାନେ

ଗାଁ ସହର ନିର୍ବିଶେଷରେ ବିଶ୍ବର କୋଣ ଅନୁକୋଣରେ ଅନ୍ୟତମ ଲୋକପ୍ରିୟ ଖେଳ ତାସ୍‌ରେ ବ୍ୟବହୃତ ବାଉନ ପତା ବିଶିଷ୍ଟ ଗୋଟିଏ ମୁଠାରେ ଏତେ ବିବିଧତା ରହିଛି ଯେ ତାହା ଯାଦୁ କଲା ଭଳି ଖେଳାଳିଙ୍କର ଭୋକଶୋଷ ଭୁଲେଇ ଦେଇଥାଏ। ଏହି ୫୨ଟି ପତା ମଧ୍ୟରେ ଏକ ଠାରୁ ଆରମ୍ଭ କରି ତେର ପର୍ଯ୍ୟନ୍ତ ଚାରି ପ୍ରକାର ଘର ଯଥା କଳାପାନ(Spade), ନାଲିପାନ(Heart), ଠିକିରି(Diamond) ଓ ଚିଡ଼ିଆ(Club) ପରି ତେରଟି ଲେଖାଏଁ ପତା ରହିଥାଏ। ଦୁଇ ଠାରୁ ଦଶ ସଂଖ୍ୟାଯାଏ ରହିଥିବା ବିଭିନ୍ନ ଘରର ନଅଟି ପତାରେ ସେହି ଘରର ସଂପୃକ୍ତ ସଂଖ୍ୟା ସଂଖ୍ୟକ କ୍ଷୁଦ୍ର ପ୍ରତିକୃତି ରହିଥାଏ। ଅପରପକ୍ଷେ, ୧ ସଂଖ୍ୟାକୁ ଟୀକା(Ace), ୧୧ ସଂଖ୍ୟାକୁ ଗୋଲାମ(Jack), ୧୨ ସଂଖ୍ୟାକୁ ରାଣୀ(Queen) ଓ ୧୩ ସଂଖ୍ୟାକୁ ରାଜା(King) କୁହାଯାଏ।

ସେଥିରେ ଆଉ ନିର୍ଦ୍ଦିଷ୍ଟ ସଂଖ୍ୟକ ଘରର ପ୍ରତିକୃତି ନଥାଇ ଯଥାକ୍ରମେ ଇଂରାଜୀ ଅକ୍ଷର A, J, Q ଓ K ଦ୍ବାରା ଚିହ୍ନିତ ହୋଇଥା’ନ୍ତି। ଆନ୍ତର୍ଜାତିକ ଖେଳ(ବ୍ରିଜ୍)ରେ ଟୀକା ସବୁଠୁ ଶକ୍ତିଶାଳୀ ହୋଇଥିବା ବେଳେ ଆଞ୍ଚଳିକ ଖେଳରେ କେଉଁଠି ଗୋଲାମ ତ କେଉଁଠି ରାଣୀ ଓ କେଉଁଠି ରାଜା ଶକ୍ତିଶାଳୀ ଥାଆନ୍ତି। ତେବେ ରୋଚକ କଥା ହେଲା, ତାସମୁଠାର ଏହି ରାଜାମାନେ ଇତିହାସର ପ୍ରସିଦ୍ଧ ସମ୍ରାଟମାନଙ୍କୁ ପ୍ରତିନିଧିତ୍ବ କରୁଥିବା ଜଣାଯାଏ। ସେମାନଙ୍କ ମଧ୍ୟରୁ କଳାପାନ ଘର ପାଇଁ ଇସ୍ରାଏଲ ସାମ୍ରାଜ୍ୟର ପ୍ରତିଷ୍ଠାତା ରାଜା ଡେଭିଡ୍, ନାଲିପାନ ପାଇଁ ରୋମାନ୍ ସାମ୍ରାଜ୍ୟର ପ୍ରତିଷ୍ଠାତା ରାଜା ଚାର୍ଲେମାନ୍, ଠିକିରି ପାଇଁ ଜୁଲିଅସ୍ ସିଜର ଓ ଚିଡ଼ିଆ ପାଇଁ ସମ୍ରାଟ ଆଲେକଜାଣ୍ଡାର ରହିଥା’ନ୍ତି। ଅବଶ୍ୟ ତାସ୍‌ ଖେଳରେ ଏହି ରାଜାମାନଙ୍କର ସେଭଳି ବିଶେଷ ଭୂମିକା ନାହିଁ। ତେବେ ଚତୁର୍ଦ୍ଦଶ ଶତାବ୍ଦୀରେ ୟୁରୋପରେ ଲୋକପ୍ରିୟ ହୋଇଥିବା ଏହି ଖେଳରେ ନିର୍ଦ୍ଦିଷ୍ଟ ସଂଖ୍ୟକ ପତା ନଥିବା ବେଳେ ଷୋଡ଼ଶ ଶତାବ୍ଦୀ ବେଳେ ଫରାସୀ ତାସମୁଠା ପ୍ରସ୍ତୁତକାରୀମାନେ ୫୨ ପତାରେ ମୁଠାକୁ ସୀମିତ ରଖିବା ସହ ସମ୍ମାନସୂଚକ ଭାବେ ରାଜାମାନଙ୍କୁ ସେଥିରେ ସ୍ଥାନ ଦେଇଥିଲେ। ତେବେ ଅଷ୍ଟାଦଶ ଶତାବ୍ଦୀ ଶେଷ ଆଡ଼କୁ ତାସ୍‌ମୁଠାର ସେହି ରାଜାମାନେ ଆଉ ଅତୀତର ସମ୍ରାଟମାନଙ୍କୁ ପ୍ରତିନିଧିତ୍ବ କରିନଥିଲେ କି ରାଜାଙ୍କ ପ୍ରତି ଆଉ ସମ୍ମାନବୋଧ ରହିନଥିଲା। କେବଳ ଯାହା ଚେସ୍‌ ଖେଳରେ ତାହା ଅଦ୍ୟାବଧି ବଜାୟ ରହିଛି।

ସମ୍ବନ୍ଧିତ ଖବର