କାର୍ତ୍ତିକ ମାସ କାହିଁକି ବିଷ୍ଣୁଙ୍କର ପ୍ରିୟ ମାସ? ପୁଣି କାହିଁକି ଏହା ଏକ ଶ୍ରେଷ୍ଠ ମାସ? ଏହାର ଉତ୍ତର ଅଛି ‘ପଦ୍ମପୁରାଣ’ର ‘ଉତ୍ତରଖଣ୍ଡ’ରେ। ଏକଦା ରାଜା ପୃଥୁଙ୍କ ପ୍ରଶ୍ନରେ ନାରଦ ତାଙ୍କୁ ଯାହା କହିଥିଲେ, ସତ୍ୟଭାମାଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ସେହି କଥା କହିଛନ୍ତି। ସେହି ପ୍ରସଙ୍ଗରେ ଆସିଛି ଶଙ୍ଖାସୁର କଥା। ପୂର୍ବକାଳରେ ଶଙ୍ଖାସୁର ନାମରେ ଥିଲା ଏକ ମହା ପରାକ୍ରମୀ ଅସୁର। ସେ ସ୍ବର୍ଗରାଜ୍ୟ ଆକ୍ରମଣ କରି ଦେବତାମାନଙ୍କୁ ସ୍ବର୍ଗଚ୍ୟୁତ କ‌ଲା। ତା’ପରେ ତା’ର ମନକୁ ଆସିଲା- ବେଦମନ୍ତ୍ର ବଳରେ ଦେବତାମାନେ ପ୍ରବଳ ହେଉଛନ୍ତି। ବେଦକୁ ଅପହରଣ  କରିନେଲେ ସେମାନେ ନିର୍ବଳ ଓ ତେଜହୀନ ହୋଇଯିବେ। ଏହା ଭାବି ସେ ବେଦ ହରଣ କରିନେଲା। ତାହା ଜାଣି ବ୍ରହ୍ମାଙ୍କ ସହିତ ଦେବତାମାନେ ଯାଇ ଭଗବାନ ବିଷ୍ଣୁଙ୍କର ଶରଣ ନେଲେ ଏବଂ ତାଙ୍କୁ ବେଦ ଉଦ୍ଧାର କରିବା ପାଇଁ ପ୍ରାର୍ଥନା କଲେ। ତାହା ଫଳରେ ବିଷ୍ଣୁ ମତ୍ସ୍ୟାବତାରରେ ଆବିର୍ଭୂତ ହୋଇ ବେଦ ଉଦ୍ଧାର କରିବେ ବୋଲି ସେମାନଙ୍କୁ କହିଲେ।

Advertisment

ମତ୍ସ୍ୟାବତାର ଭଗବାନ ବିଷ୍ଣୁଙ୍କର ଆଦ୍ୟ ଅବତାର। ଶଙ୍ଖାସୁର ଥିଲା ସମୁଦ୍ରପୁତ୍ର। ତେଣୁ ସେ ବେଦହରଣ କରିନେଇ ସମୁଦ୍ର ଗର୍ଭରେ ଲୁଚାଇ ରଖିଥିଲା। ସେଥିପାଇଁ ବିଷ୍ଣୁ ମତ୍ସ୍ୟ ଅବତାର ହିଁ ଗ୍ରହଣ କରିଥିଲେ। ‘ପଦ୍ମପୁରାଣ’ରେ ବର୍ଣ୍ଣିତ ଥିବା ଦେବର୍ଷି ନାରଦଙ୍କ ଉକ୍ତି ଅନୁସାରେ- ଭଗବାନ ବିଷ୍ଣୁ ଏକ କ୍ଷୁଦ୍ର ମୀନ ରୂପରେ ସ୍ବର୍ଗଲୋକରୁ ଆସି ବିନ୍ଧ୍ୟପର୍ବତ ନିବାସୀ କଶ୍ୟପ ମୁନିଙ୍କ ଆଞ୍ଜୁଳିର ଜଳରେ ଆବିର୍ଭୂତ ‌ହୋଇଥିଲେ। ସେ ଦ୍ରୁତ ବଡ଼ରୁ ବଡ଼ ହେବାରେ ଲାଗିବାରୁ କଶ୍ୟପ ତାଙ୍କୁ ଆଞ୍ଜୁଳିରୁ କମଣ୍ଡଳୁକୁ, କମଣ୍ଡଳରୁ କୂପକୁ, କୂପରୁ ପୁଷ୍କରିଣୀକୁ- ଏହିପରି କ୍ରମେ ବଡ଼ରୁ ବଡ଼ ଜଳାଶୟରେ ରଖିବା ପରେ, ଶେଷରେ ତାଙ୍କୁ ନେଇ ସମୁଦ୍ରରେ ଛାଡ଼ିଥିଲେ। ତାହା ପରେ, ବିଶାଳ ମତ୍ସ୍ୟରୂପରେ ସେ ଶଙ୍ଖାସୁରକୁ ନିହତ କଲେ ଏବଂ ତାହାକୁ ହାତରେ ଧରି ବଦ୍ରିବନ ଚାଲିଯାଇଥିଲେ। ତାଙ୍କ ନିର୍ଦ୍ଦେଶରେ ଋଷିମାନେ ଯାଇ ସମୁଦ୍ରରୁ ବେଦ ଉଦ୍ଧାର କରି ଆଣିଥିଲେ। ଶଙ୍ଖାସୁର ‌ସମୁଦ୍ର ମଧ୍ୟରେ ବେଦକୁ ବିକ୍ଷିପ୍ତ କରି ରଖିଥିବାରୁ, ଯେଉଁ ଋଷି ଯଜ୍ଞ ଓ ବୀଜ ସହିତ ଯେଉଁ ବେଦମନ୍ତ୍ରର ଉଦ୍ଧାର କଲେ, ତାହାଙ୍କୁ ସେହି ବେଦାଂଶର ଋଷି ଆଖ୍ୟା ଦିଆଗଲା। ତାହା ପରେ ସେମାନେ ଯାଇ ପ୍ରୟାଗଠାରେ ସମଗ୍ର ବେଦକୁ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିଥିଲେ।  ବ୍ରହ୍ମା ବେଦ ଫେରିପାଇ ଆନନ୍ଦିତ ହୋଇଥିଲେ। ଦେବତାମାନେ ମଧ୍ୟ ତାଙ୍କର ପୂର୍ବ ତେଜ ଫେରି ପାଇଥିଲେ।