ଆଶ୍ୱିନ ଶୁକ୍ଳ ଦଶମୀର ନାଆଁ ‘ବିଜୟା ଦଶମୀ’। ଏହାର ଅନ୍ୟନାମ ‘ଅପରାଜିତା ଦଶମୀ’। ଦେବୀ ଦୁର୍ଗା ଅଷ୍ଟମୀ ଦିନ ମହିଷାସୁରକୁ ବଧ କରିବା ପରେ, ନବମୀ ଦିନ ବିଶ୍ରାମ ନିଅନ୍ତି ଏବଂ ଦଶମୀ ଦିନ ବିଜୟ ଉତ୍ସବ ପାଳନ କରନ୍ତି। ଦେବୀ ଦୁର୍ଗାଙ୍କର ଅନ୍ୟନାମ ‘ଅପରାଜିତା’। ତେଣୁ ଏହାର ନାମ ଅପରାଜିତା ଦଶମୀ।
ବିଜୟା ଦଶମୀ ବା ଅପରାଜିତା ଦଶମୀ ଏକ ଶୁଭ ତିଥି। ଏହି ତିଥି ଜୟକାମନାରେ ଯାତ୍ରାରମ୍ଭ କରିବାର ତିଥି। ‘ପଣ୍ଡିତ ସର୍ବସ୍ୱ’ରେ ଏ ସଂପର୍କରେ କୁହାଯାଇଛି- ଶ୍ରୀରାମଚନ୍ଦ୍ର ଦୁର୍ଗାପୂଜା ପରବର୍ତ୍ତୀ ଶ୍ରବଣାନକ୍ଷତ୍ରଯୁକ୍ତ ଅପରାଜିତା ଦଶମୀରେ ଦଶଦିଗକୁ ବେଧ କରି ଶତ୍ରୁର ନଗର ଆଡ଼କୁ ଯାତ୍ରା କରିଥିଲେ। ଏହି ଉକ୍ତି ଅନୁସାରେ, ଆଶ୍ୱିନ ଶୁକ୍ଳ ଦଶମୀ ଦିନ ସୂର୍ଯ୍ୟାସ୍ତରୂପ ସଂଧ୍ୟା ସମୟରେ ଅଥବା ଦିବସର ବିଜୟକ୍ଷଣ ନାମକ ଏକାଦଶ ମୁହୂର୍ତ୍ତରେ ଯାତ୍ରା କଲେ, ତାହା ସବୁ ରାଶି ପକ୍ଷରେ ଶୁଭପ୍ରଦ ହୋଇଥାଏ।
ସେଥିରେ ଉଲ୍ଲେଖ ଅଛି, କୁଳଗୁରୁ ବଶିଷ୍ଠ ଶ୍ରୀରାମଙ୍କୁ କହିଥିଲେ- ହେ ରାମ! ତୁମେ ନବମୀର ଶେଷାଂଶଯୁକ୍ତ ଦଶମୀରେ ବିଜୟୋତ୍ସବ କର। ଏ ସଂପର୍କରେ ଅନ୍ୟତ୍ର ମଧ୍ୟ କୁହାଯାଇଛି- ଯେବେ ସନ୍ଧ୍ୟା ସମୟକୁ ଦଶମୀ ନ ଥାଏ, ତେବେ ଜୟଅଭିଳାଷୀମାନେ ନବମୀ ସଂଯୁକ୍ତ ଦଶମୀରେ ସର୍ବଦା ବିଜୟ ଯାତ୍ରା କରିବା ବିଧେୟ। ସନ୍ଧ୍ୟାକୁ ନେଇ ଏହା କୁହାଯିବା ସହିତ, ସକାଳକୁ ନେଇ ମଧ୍ୟ, ଏକାଦଶୀଭୁକ୍ତ ଦଶମୀରେ ବିଜୟୋତ୍ସବ କରିବା ପାଇଁ ‘ପଣ୍ଡିତ ସର୍ବସ୍ୱ’ରେ କୁହାଯାଇଛି। ଏ ପ୍ରସଙ୍ଗରେ ଉଲ୍ଲେଖ ଅଛି- ଆଶ୍ୱିନମାସ ଶୁକ୍ଳପକ୍ଷ ସୂର୍ଯ୍ୟୋଦୟ ସମୟରେ ଯଦି ଦଶମୀ ତିଥି ଥାଏ, ତେବେ ତାହା ‘ବିଜୟାଦଶମୀ’ ରୂପେ କଥିତ ହୁଏ। ଯେବେ ସେହି ଦଶମୀ ଶ୍ରବଣାନକ୍ଷତ୍ରଯୁକ୍ତ ହୋଇଥାଏ, ତେବେ ତାହା ‘ଅପରାଜିତାଦଶମୀ’ ରୂପେ କଥିତ ହୁଏ। ଜୟର ଆକାଂକ୍ଷା ରଖୁଥିବା ଲୋକେ ସେ ଦିନ ଆଳତି କରି ଜୟଯାତ୍ରା ଆରମ୍ଭ କରିବା ବିଧେୟ।