ଯେଉଁ ସ୍କୁଲରେ ଷଷ୍ଠରେ ପଢ଼ୁଥିବା ଝିଅଙ୍କୁ ନିତି ମିଳେ ୧୦ ଟଙ୍କା !

ମଫସଲ ଝିଅମାନଙ୍କୁ ପାଠ ପଢ଼ାଇ, ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରାଇବା ତଥା ବ୍ୟକ୍ତିତ୍ୱର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ଉତ୍ତରପ୍ରଦେଶର ବୀରେନ୍ଦ୍ର ସାମ୍‌ ସିଂହ। ବୀରେନ୍ଦ୍ର ବୃତ୍ତିରେ ଜଣେ ଇଂଜିନିଅର୍‌ ଥିଲେ ଏବଂ ଅବସର ନେବା ପରେ ଗାଁ ଝିଅଙ୍କ ସାମଗ୍ରିକ କଲ୍ୟାଣ ଉଦ୍ଦେଶ୍ୟରେ ବିଭିନ୍ନ କାମ ହାତକୁ ନେଇଛନ୍ତି। ସ୍ୱ-ଉପାର୍ଜିତ ଅର୍ଥରାଶି ବିନିଯୋଗରେ ବୁଲନ୍ଦସହର ଜିଲ୍ଲାରେ ସେ ୨୦୦୦ ମସିହାରେ ପ୍ରଥମେ ଆରମ୍ଭ କରିଥିଲେ ଏକ ମଡେଲ୍‌ ସ୍କୁଲ। ମାତ୍ର ପଞ୍ଚତିରିଶ ଜଣ ଝିଅଙ୍କୁ ନେଇ ସ୍କୁଲ୍‌ ଆରମ୍ଭ ହୋଇଥିଲା। ଏବେ ୧୪୦୦ଜଣ ଅଧ୍ୟୟନ କରୁଛନ୍ତି। ଏମାନେ ସମସ୍ତେ ବାଷଠିଟି ମଫସଲ ଗାଁର ଆର୍ଥିକ ଅନଗ୍ରସର ଶ୍ରେଣୀର ଝିଅ।

ଅଧିକରୁ ଅଧିକ ବାଳିକାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ ଲାଗି ବୀରେନ୍ଦ୍ର ଏକ ଅଭିନବ ଉପାୟ ଆପଣାଇଛନ୍ତି। ଷଷ୍ଠ ଶ୍ରେଣୀ ପରେ ନିୟମିତ ସ୍କୁଲ ଆସୁଥିବା ବାଳିକାଙ୍କୁ ସେ ପ୍ରତ୍ୟେକ ଦିନ ଦଶ ଟଙ୍କା ଲେଖାଏଁ ଦିଅନ୍ତି। ଏହି ଟଙ୍କାକୁ ସେମାନେ ନିଜ ନାଁରେ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲି ଜମା ରଖନ୍ତି। ସାବାଳିକା ହେବା ପରେ ସେହି ଟଙ୍କା ସେମାନେ ବ୍ୟାଙ୍କ୍‌ରୁ ଉଠାଇ ଖର୍ଚ୍ଚ କରନ୍ତି। ଜମା ରାଶି ବାଳିକାମାନଙ୍କ ସ୍ନାତକ କିଂବା ଉଚ୍ଚ ଶିକ୍ଷା ପାଇଁ ଉଦ୍ଦିଷ୍ଟ। ଛାତ୍ରୀମାନଙ୍କ ପାଇଁ କଂପ୍ୟୁଟର୍‌ ଶିକ୍ଷା, ବ୍ୟକ୍ତିତ୍ୱ ବିକାଶ, ପାଠ ପଢ଼ା ପରେ ଆତ୍ମ ନିଯୁକ୍ତିଭିତ୍ତିକ ତାଲିମ, ଅଭିନୟ ଆଦି ଶିକ୍ଷା ଦାନ କରାଯାଉଛି। ପାଖାପାଖି ଅଢ଼େଇ ଶହ ଝିଅ ସଫଳତାର ସହ ସ୍ନାତକ ଉତ୍ତୀର୍ଣ୍ଣ ହେଲେଣି। ପଚାଶ ଜଣ ଯୁବତୀଙ୍କୁ ଆତ୍ମନିଯୁକ୍ତି ମିଳିଥିବା ପ୍ରକାଶ। ସାମାଜିକ, ଆର୍ଥିକ ତଥା ବ୍ୟକ୍ତିଗତ ସ୍ତରରେ ଗ୍ରାମାଞ୍ଚଳ ଝିଅମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ବୀରେନ୍ଦ୍ର ପ୍ରତିଶ୍ରୁତିବଦ୍ଧ।

ସମ୍ବନ୍ଧିତ ଖବର