ଏଡିନ୍‌ବର୍ଗ ବିଶ୍ବବିଦ୍ୟାଳୟ ଓ ୟୁକେ ସେଣ୍ଟର ଫର ଇକୋଲୋଜି ଆଣ୍ଡ୍‌ ହାଇଡ୍ରୋଲୋଜିର ଗବେଷକମାନେ ଚଳାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ, ମୃତ୍ତିକାରେ ଦିନକୁ ଦିନ ପୋଟାସିଅମ୍‌ ପରିମାଣ ହ୍ରାସ ହେବାରେ ଲାଗିଛି। ବିଶ୍ବର ଅନେକ ଅଞ୍ଚଳରେ ଉପୁଜିଥିବା ଏଭଳି ସ୍ଥିତି କୃଷି ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ାଇଦେଇଛି।

Advertisment

ଭଲ ଉତ୍ପାଦନ ପାଇଁ ଆମେ କ୍ଷେତରେ ବିଭିନ୍ନ ପ୍ରକାର ରାସାୟନିକ ସାର ପ୍ରୟୋଗ କରିଥାଉ। ତେବେ ସମ୍ପ୍ରତି ବିଲବାଡ଼ିରେ ଯେତିକି ପୋଟାସିଅମ୍‌ କୃତ୍ରିମ ଭାବେ ପକାଯାଉଛି, ତାହାଠୁ ଅଧିକ ପରିମାଣର ପୋଟାସିଅମ୍‌ ମାଟିରୁ କ୍ଷୟ ହୋଇଯାଉଛି ବୋଲି ଜଣାପଡ଼ିଛି। ଏଭଳି ସ୍ଥିତିକୁ ଯଦି ନିୟନ୍ତ୍ରଣକୁ ଅଣାନଯାଏ, ତେବେ ବିଶ୍ବର ଖାଦ୍ୟ ସୁରକ୍ଷା ବିପନ୍ନ ହୋଇପଡ଼ିବ ବୋଲି ଗବେଷକମାନେ ଆଶଙ୍କା ପ୍ରକଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୋଟାସିଅମ୍‌ ହେଉଛି ଉଦ୍ଭିଦର ଏକ ଗୁରୁତ୍ବପୂର୍ଣ୍ଣ ପୋଷକ, ଯାହା ଉଦ୍ଭିଦର ଆଲୋକ ସଂଶ୍ଳେଷଣ ଓ ଶ୍ବାସକ୍ରିୟାରେ ସାହାଯ୍ୟ କରିଥାଏ। ଏହାର ଅଭାବ ଘଟିଲେ ଉଦ୍ଭିଦର ବୃଦ୍ଧିରେ ବାଧା ସୃଷ୍ଟି ହେବା ସହ ଉତ୍ପାଦକତା ମଧ୍ୟ କମିଯାଏ। ତେଣୁ କୃଷକମାନେ ପୋଟାସିଅମ୍‌ର ଅଭାବକୁ ଭରଣା କରିବା ଲାଗି କ୍ଷେତରେ ବିଭିନ୍ନ ପ୍ରକାର ପୋଟାସିଅମ୍‌ ସମ୍ବଳିତ ସାର ପକାଇଥା’ନ୍ତି।

କୃଷିର ବହୁଳତା ଏବଂ ଫସଲ ଉତ୍ପାଦକତାକୁ ପ୍ରାଧାନ୍ୟ ଦେବା ଯୋଗୁଁ ଦକ୍ଷିଣ-ପୂର୍ବ ଏସିଆର ୪୪ ପ୍ରତିଶତ କ୍ଷେତ, ଲାଟିନ୍‌ ଆମେରିକାର ୩୯ ପ୍ରତିଶତ କ୍ଷେତ, ସାହାରା-ଆଫ୍ରିକାର ୩୦ ପ୍ରତିଶତ ଓ ପୂର୍ବ ଏସିଆର ୨୦ ପ୍ରତିଶତ କ୍ଷେତ ଏହି ସମସ୍ୟାରେ ଜର୍ଜରିତ।

ଗବେଷକମାନଙ୍କ ଆକଳନ ଅନୁଯାୟୀ, ହାରାହାରି ବିଶ୍ବର ପ୍ରାୟ ୨୦ ପ୍ରତିଶତ କୃଷିକ୍ଷେତ୍ରର ମୃତ୍ତିକା ପୋଟାସିଅମ୍‌ ଅଭାବର ଶିକାର ହୋଇଛନ୍ତି। କୃଷିର ବହୁଳତା ଏବଂ ଫସଲ ଉତ୍ପାଦକତାକୁ ପ୍ରାଧାନ୍ୟ ଦେବା ଯୋଗୁଁ ଦକ୍ଷିଣ-ପୂର୍ବ ଏସିଆର ୪୪ ପ୍ରତିଶତ କ୍ଷେତ, ଲାଟିନ୍‌ ଆମେରିକାର ୩୯ ପ୍ରତିଶତ କ୍ଷେତ, ସାହାରା-ଆଫ୍ରିକାର ୩୦ ପ୍ରତିଶତ ଓ ପୂର୍ବ ଏସିଆର ୨୦ ପ୍ରତିଶତ କ୍ଷେତ ଏହି ସମସ୍ୟାରେ ଜର୍ଜରିତ। ତେବେ ଉକ୍ତ ସାର ମୂଲ୍ୟରେ ବେଳେ ବେଳେ ଅକଳ୍ପନୀୟ ବୃଦ୍ଧି ଯୋଗୁଁ ସାଧାରଣ ଚାଷୀ ବିଲରେ ପୋଟାସିଅମ୍‌ ପକାଇବା ସମ୍ଭବ ହେଉନାହିଁ। ଉଦାହରଣ ସ୍ବରୂପ, ୨୦୨୨ ଏପ୍ରିଲ୍‌ରେ ପଟାସ୍‌ ସାରର ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ୫୦୦ ପ୍ରତିଶତ ବଢ଼ିଥିଲା। ଅପରପକ୍ଷେ, ଖଣିମାନଙ୍କରୁ କୃଷି ଚାହିଦାନୁଯାୟୀ ମାତ୍ରାଧିକ ପୋଟାସିଅମ୍‌ ଖନନ କରିବା ମଧ୍ୟ ପରିବେଶ ଉପରେ କୁପ୍ରଭାବ ପକାଇବ। କାରଣ ଖଣିଜପଥରରୁ ପଟାସ୍‌ ନିଷ୍କାସନ କରିବା ପ୍ରକ୍ରିୟାରେ ବହୁତ ପରିମାଣର ଲବଣାକ୍ତ ଖଦ ନିର୍ଗତ ହୋଇଥାଏ ଯାହା ମାଟିରେ ମିଶି ମୃତ୍ତିକା ଓ ଜଳକୁ ଲବଣାକ୍ତ କରିବା ସହ ଉଦ୍ଭିଦ ଓ ପ୍ରାଣୀମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଏଭଳି ସ୍ଥିତିର ମୁକାବିଲା ନିମନ୍ତେ ଆନ୍ତର୍ଜାତିକ ସହଯୋଗ ଭିତ୍ତିରେ ପଟାସ୍‌ର ସୁପରିଚାଳନା ପାଇଁ ଗବେଷକମାନେ ପରାମର୍ଶ କରିଛନ୍ତି। ବିଶେଷ କରି ନାଇଟ୍ରୋଜେନ୍‌ ଓ ଫସ୍‌ଫରସ୍‌ ପରି ଅନ୍ୟ ରାସାୟନିକ ପୋଷକର ପରିଚାଳନାରେ ପୋଟାସିଅମ୍‌କୁ ସାମିଲ କରି କିପରି ଜମିର ପୋଟାସିଅମ୍‌ ସ୍ତର ସହ ଉତ୍ପାଦକତା ବଢ଼ାଯାଇପାରିବ, ସେ ଦିଗରେ ଅଧିକ ଗବେଷଣା ଜରୁରୀ ହୋଇପଡ଼ିଛି।