ଭୁବନେଶ୍ବର: ‘ଜୁଲାଇ ୩’; ବିଶ୍ୱର ସବୁଠାରୁ ଉତ୍ତପ୍ତ ଦିନ ଭାବେ ପରିଗଣିତ ହୋଇଛି। ଜୁଲାଇ ମାସରେ ବିଶ୍ବର ହାରାହାରି ତାପମାତ୍ରା ସବୁ ରେକର୍ଡକୁ ପଛରେ ପକାଇଛି। ୨୦୧୬ ଅଗଷ୍ଟରେ ବିଶ୍ବର ହାରାହାରି ତାପମାତ୍ରା ୧୬.୯୨ ଡିଗ୍ରି ସେଲସିୟସ୍ ରହିଥିଲା, ଯାହାକି ସୋମବାର ଭାଙ୍ଗିଛି। ଏହି ଦିନ ବିଶ୍ବର ହାରାହାରି ତାପମାତ୍ରା ଜୁଲାଇ ୩ରେ ୧୭.୦୧ ଡିଗ୍ରିରେ ପହଞ୍ଚିଥିବା ନେଇ ଆମେରିକାର ଜାତୀୟ ପରିବେଶ ପୂର୍ବାନୁମାନ କେନ୍ଦ୍ର ସୂଚନା ଦେଇଛି।
କେବଳ ସେତିକି ନୁହେଁ, ଗତ କିଛି ସପ୍ତାହ ହେଲା ଦକ୍ଷିଣ ଆମେରିକା ପ୍ରବଳ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଛି। ଚୀନ୍ରେ ତାପମାତ୍ରା ୩୫ ଡିଗ୍ରି ଏବଂ ଉତ୍ତର ଆଫ୍ରିକାରେ ତାପମାତ୍ରା ୫୦ ଡିଗ୍ରି ସେଲସିୟସ ପାଖାପାଖି ରହିଛି। ଏପରିକି ଆଣ୍ଟାର୍କଟିକାରେ ମଧ୍ୟ ଏବେ ଶୀତଋତୁରେ ତାପମାତ୍ରା ଅତ୍ୟଧିକ ରହିଛି। ନିକଟରେ ଶ୍ୱେତ ମହାଦେଶର ଆର୍ଜେଣ୍ଟାଇନ୍ ଦ୍ୱୀପପୁଞ୍ଜରେ ଥିବା ୟୁକ୍ରେନର ଭେର୍ନାଡସ୍କି ରିସର୍ଚ୍ଚ ବେସ୍ର ଜୁଲାଇ ତାପମାତ୍ରା ୮.୭ ସେଲସିୟସ୍ ସହ ରେକର୍ଡ ଭାଙ୍ଗିଛି। ବୈଜ୍ଞାନିକଙ୍କ କହିବାନୁଯାୟୀ, ଜନସାଧାରଣ ଓ ପରିବେଶ ପାଇଁ ଏହା ମୃତ୍ୟୁ ଦଣ୍ଡାଦେଶ ସଦୃଶ୍ୟ। ଏଭଳି ସମସ୍ୟା ପାଇଁ ଜଳବାୟୁ ପରିବର୍ତ୍ତନ ଏବଂ ବଢ଼ୁଥିବା ଏଲ୍-ନିନୋ ଢାଞ୍ଚା ସମ୍ପୂର୍ଣ୍ଣ ଭାବେ ଦାୟୀ। ଏହା ପ୍ରଥମ ରେକର୍ଡ ନୁହେଁ। ଆଗକୁ ନୂଆ ନୂଆ ରେକର୍ଡ ଦେଖିବାକୁ ମିଳିବ।
କାରଣ କାର୍ବନ ଡାଇଅକ୍ସାଇଡ୍, ଗ୍ରିନହାଉସ୍ ଗ୍ୟାସର ନିର୍ଗମନ ବୃଦ୍ଧି ସହ ବଢ଼ୁଥିବା ଏଲ୍-ନିନୋ ତାପମାତ୍ରାକୁ ନୂତନ ଉଚ୍ଚତାକୁ ନେଇଯାଉଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ସେପଟେ ପ୍ରଶାନ୍ତ ମହାସାଗରରେ ଏଲ୍-ନିନୋ ଅବସ୍ଥା ଆରମ୍ଭ ହେବା ନେଇ ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲୁଏମ୍ଓ) ଘୋଷଣା କରିଛି। ବିଶ୍ବର ବାୟୁମଣ୍ଡଳୀୟ ତଥା ମହାସାଗରୀୟ ହାରାହାରି ତାପମାତ୍ରା ବୃଦ୍ଧି ସହିତ ଉତ୍ତାପ ବୃଦ୍ଧି ଓ ମରୁଡ଼ି ପରି ପାଣିପାଗ ସମ୍ପର୍କିତ ଘଟଣାକୁ ନଜରରେ ରଖି ବିଶ୍ୱକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ ଏଲ୍ ନିନୋ ହେଉଛି ଏକ ବିଶ୍ବବ୍ୟାପୀ ଜଳବାୟୁର ପିରିୟଡିକ୍ ଅବସ୍ଥା। ଏହାର ଦୁଇଟି ଅବସ୍ଥା ଥାଏ। ଗୋଟିଏ ଏଲ୍ନିନୋ ଓ ଅନ୍ୟାଟି ଲା-ନିନା। ଏହାର ମଧ୍ୟବର୍ତ୍ତୀ ଅବସ୍ଥାକୁ ନିଉଟ୍ରାଲ୍ କୁହାଯାଇଥାଏ। ଯେତେବେଳେ କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗରୀୟରେ ଜଳପତ୍ତନର ତାପମାତ୍ରା ସ୍ବାଭାବିକଠାରୁ ୦.୫ ଡିଗ୍ରି ସେଲ୍ସିଏସ୍ ଅଧିକ ରୁହେ ଏହାକୁ ଏଲ୍ ନିନୋ ଅବସ୍ଥା କୁହାଯାଏ। ଗତ ମାସେ ହେଲା ପ୍ରଶାନ୍ତ ମହାସାଗରର କିଛି ଅଂଶରେ ଏଭଳି ପରିସ୍ଥିତି ଉପୁଜିଥିଲା। ମାତ୍ର ବର୍ତ୍ତମାନ ସାମଗ୍ରିକ ଭାବେ ପ୍ରଶାନ୍ତ ମହାସାଗରର ପ୍ରାୟ ସବୁ ଅଞ୍ଚଳରେ ସ୍ବାଭାବିକଠାରୁ ୦.୫ ଡିଗ୍ରି ଅଧିକ ହୋଇଛି। କେତେକ ସ୍ଥାନରେ ସ୍ବାଭାବିକ ଭାବେ ୧ ଡିଗ୍ରି ସେଲ୍ସିଏସ୍ରୁ ଅଧିକ ଉତ୍ତପ୍ତ ହୋଇଯାଇଛି।
ପାଣିପାଗ ବିଶେଷଜ୍ଞ ଡ. ଶରତ କୁମାର ସାହୁଙ୍କ କହିବାନୁଯାୟୀ, ଆମ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ଲାଗିରହିଥିବାରୁ ବିଶ୍ବର ହାରାହାରି ତାପମାତ୍ରା ଅଧିକ ରହୁଛି। ଓଡ଼ିଶାରେ ଏବେ ତାପମାତ୍ରା କମ୍ କମୁଛି। କିନ୍ତୁ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଅଧିକ ରହିଥିବାରୁ ତାପମାତ୍ରା ଅଧିକ ରହୁଛି। ବାୟୁମଣ୍ଡଳରେ ଯେତେକି ଜଳୀୟ ବାଷ୍ମ ରହିବା କଥା ତା’ଠାରୁ ଅଧିକ ରହିବା ଦ୍ବାରା ଗୁଳୁଗୁଳି ଅନୁଭୂତ ହେଉଛି। ଏବର୍ଷ ମୌସୁମୀ ସ୍ବାଭାବିକ ରହିବ। ଏଲ୍-ନିନୋ ପ୍ରଭାବ ୨୦୨୪ ଏପ୍ରିଲ, ମେ’ ମାସ ବେଳକୁ ପଡ଼ିବାର ସମ୍ଭାବନା ରହିଛି। ୨୦୧୫ର ଏଲ୍-ନିନୋ ପ୍ରଭାବ ୨୦୧୬ରେ ଅନୁଭୂତ ହୋଇଥିଲା। ତେଣୁ ଏଥର ବି ସମାନ ସ୍ଥିତି ଉପୁଜିବାର ସମ୍ଭାବନା ରହିଛି।
ହେଲେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଏଲ୍ ନିନୋ ପ୍ରଭାବରେ ସମୁଦ୍ର ଜଳପତ୍ତନ ଉତ୍ତପ୍ତ ରହିବା ହେତୁ ଉପରିସ୍ଥ ବାୟୁମଣ୍ଡଳରେ ବାୟୁ ପ୍ରବାହର ଦିଗ ପ୍ରଭାବିତ ହୁଏ। ଦେଖାଯାଇଛି ଯେ ବାୟୁ ପ୍ରବାହର ପରିବର୍ତ୍ତନ ଯୋଗୁଁ ମୌସୁମୀ ବର୍ଷା ପ୍ରଭାବିତ ହୋଇଥାଏ। ସାମଗ୍ରିକ ଭାବେ ଅନେକ ସ୍ଥାନରେ ବର୍ଷାର ପରିମାଣ କମ୍ ରୁହେ ଓ ଅନ୍ୟମିତତା ବଢ଼ିଥାଏ। ପ୍ରତି ୧୦ଟି ଏଲ୍ ନିନୋ ବର୍ଷ ମଧ୍ୟରୁ ୬ଟି ବର୍ଷରେ ପ୍ରତିକୂଳ ପାଣିପାଗ ଅବସ୍ଥା ଉପୁଜିଥାଏ। ଏହା କେବଳ ଭାରତ ମଧ୍ୟରେ ସୀମିତ ନୁହେଁ, ଆଫ୍ରିଆ, ଅଷ୍ଟ୍ରେଲିଆ, ୟୁରୋପ, ଉତ୍ତର ଓ ଦକ୍ଷିଣ ଆମେରିକା ମହାଦେଶରେ ଏହାର ପ୍ରଭାବ ଦେଖାଯାଇଥାଏ। ସ୍ବାଭାବିକ ବର୍ଷରେ ପୂର୍ବ ପ୍ରଶାନ୍ତ ମହାସାଗରରୁ ପବନ ଭାରତ ମହାସାଗର ଦେଇ ପଶ୍ଚିମକୁ ଯାଇଥାଏ, ଫଳରେ ଭଲ ବର୍ଷା ହୋଇଥାଏ। ମାତ୍ର ଏଲ୍-ନିନୋ ବର୍ଷରେ ଏହାର ବାୟୁ ପ୍ରଭାବର ଦିଗ ଓଲଟା ହେବା ଦ୍ବାରା ବିଶ୍ବରେଖାର ଦକ୍ଷିଣ ଗୋଲାର୍ଦ୍ଧଠାରୁ ବିଶ୍ବରେଖା ଦେଇ ମୌସୁମୀ ବାୟୁ ଆସିପାରେ ନାହିଁ। ମେଘ ଗଠନ ହୁଏ ନାହିଁ। ତେଣୁ ମୌସୁମୀ ବର୍ଷା କମିଥାଏ। ଯଦି ଓଡ଼ିଶା କଥା ଦେଖିବା ଏଠାରେ ୪୦% ଜଳସେଚିତ ଜମି। ଏଲ୍ ନିନୋ ପ୍ରଭାବରେ ମୌସୁମୀ ବର୍ଷା ନିଅଣ୍ଟିଆ ହେବା ସହ ଅନିୟମତତା ହେତୁ ଅଣଜଳସେଚିତ ଫସଲ ବିଶେଷଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଜଳଭଣ୍ଡାରରେ ଜଳସ୍ତର କମ୍ ରହିଥିବାରୁ ଜଳସେଚିତ ଜମିରେ ମଧ୍ୟ ଏଲ୍-ନିନୋ ପ୍ରଭାବ ପଡ଼ିଥାଏ। କେବଳ ଖରିଫ ଫସଲ ନୁହେଁ, ରବି ଫସଲ ମଧ୍ୟ ଏଲ୍-ନିନୋ ଦ୍ବାରା କ୍ଷତିଗସ୍ତ ହୋଇଥାଏ। ଚଳିତବର୍ଷ ଅକ୍ଟୋବର ଓ ନଭେମ୍ବର ବେଳକୁ ଏଲ୍ ନିନୋ ଅଧିକ ଶକ୍ତିଶାଳୀ ରହିବ। ତେଣୁ ଅଣଜଳସେଚିତ ରବି ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହାଦ୍ବାରା ମୌସୁମୀ ଶୀଘ୍ର ପ୍ରତ୍ୟାବର୍ତ୍ତନ ସମ୍ଭାବନା ରହିଛି।
ସେହିଭଳି ଓଡ଼ିଶାରେ ଧାନ ହେଉଛି ପ୍ରମୁଖ ଫସଲ। ରୁଆ ପାଇଁ ଅଧିକ ପାଣି ଆବଶ୍ୟକ। ଏବେ ସୁଦ୍ଧା ଅନେକ ସ୍ଥାନରେ ତଳି ପକାଯାଇ ନାହିଁ। ବହୁ ଜମି ପଡ଼ିଆ ଅବସ୍ଥାକୁ ଆସିଗଲାଣି। ବର୍ଷା ନ ହହେଲେ କ୍ଷତିଗସ୍ତ ହେବାର ଆଶଙ୍କା ରହିଛି। ଅକ୍ଟୋବର ମାସଠାରୁ ଏଲ୍ନିନୋ ପ୍ରଭାବରେ ବର୍ଷାର ଅନିୟମିତତା ହେତୁ ଧାନ ଫସଲ ଉଜୁଡ଼ି ଯାଇପାରେ। ଏହା ହେଉଛି ଏକ ଜେନେରିକ୍ ଆକଳନ। ହୁଏତ ଏହାର ପ୍ରଭାବ ସ୍ଥାନ ବିଶେଷରେ ଅଲଗା ଅଲଗା ହୋଇଥାଏ ତେଣୁ ରାଜ୍ୟରେ କି ପ୍ରଭାବ ପଡ଼ିବ ବର୍ତ୍ତମାନଠାରୁ କହିବା କଷ୍ଟକର ବୋଲି ପ୍ରଫେସର ପଶୁପାଳକ ମତପ୍ରକାଶ କରିଛନ୍ତି। ତେବେ ଗତ ୩ ତାରିଖ ତାପମାତ୍ରାକୁ ନେଇ ଡ. ପଶୁପାଳକ ସମସ୍ତଙ୍କୁ ସତର୍କ ରହିବା ଲାଗି କହିଛନ୍ତି। ତାଙ୍କର ମତ ହେଉଛି, ଆଗକୁ ଏଭଳି ବାରମ୍ବାର ଘଟିପାରେ ଓ ଏହାର ପ୍ରଭାବ ମାନବ ସମାଜ ଉପରେ ନିଶ୍ଚିତ ପଡ଼ିବ। ଓଡ଼ିଶା ଏଥିରୁ ବାଦ୍ ପଡ଼ିବ ନାହିଁ।