ଗ୍ଲକୋମା ରୋଗ କ’ଣ?
 ଗ୍ଲକୋମା ଚକ୍ଷୁର ସ୍ନାୟୁଜନିତ ରୋଗ, ଯେଉଁଥିରେ ଚକ୍ଷୁର ସ୍ନାୟୁ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ଏହାର ପ୍ରମୁଖ କାରଣ ହେଉଛି ଆଖିର ଚାପ ବଢ଼ି ସ୍ନାୟୁକୁ ରକ୍ତ ପ୍ରବାହ କମିଯିବା। ଏଥିରେ ଯଦି ଦୃଷ୍ଟିଶକ୍ତି କମିଯାଏ ତାହା ସ୍ଥାୟୀ ହୋଇ ରହିଯାଏ। 
 ଏହା କେଉଁ ବୟସରେ ହେବାର ଆଶଙ୍କା ଅଧିକ ଏବଂ ଏହାର ଲକ୍ଷଣ କ’ଣ?
ତିନି ପ୍ରକାର ଗ୍ଲକୋମା ଅଛି। କନ୍‌ଜେଣ୍ଟାଲ୍‌ ଗ୍ଲକୋମା, ଯାହା ବଂଶଗତ; ପ୍ରାଇମେରି ଗ୍ଲକୋମା, ଯାହା ୪୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ହୋଇଥାଏ ଏବଂ ସେକେଣ୍ଡାରି କ୍ଲକୋମା, ଯାହା ଅନ୍ୟ କୌଣସି ରୋଗ ଯୋଗୁଁ ହୋଇଥାଏ ଓ ଯେକୌଣସି ବୟସରେ ହୋଇପାରେ। ସାଧାରଣତଃ ଏହାର ଲକ୍ଷଣ ଜଣା ପଡ଼େ ନାହିଁ। ଆସ୍ତେ ଆସ୍ତେ ଦୃଷ୍ଟି ଶକ୍ତି ହ୍ରାସ ପାଇ ରୋଗୀଟି ଅନ୍ଧ ହୋଇଯାଏ। ଅସହ୍ୟ ମୁଣ୍ଡବ୍ୟଥା, ଆଖିରେ ଯନ୍ତ୍ରଣା, ଚଷମା କାଚର ବାରମ୍ବାର ପାୱାର ବଦଳିବା, ଆଲୋକ ଚାରିପଟେ ରଙ୍ଗିନ ବୃତ୍ତ ଦେଖାଯିବା, ହଠାତ୍‌ ଆଖି ଲାଲ୍‌ ପଡ଼ିଯାଇ ଭଲ ଭାବେ ଦେଖା ନ ଯିବା, ଦୃଷ୍ଟିର ପରିସୀମା ସୀମିତ ହୋଇଯିବା ଇତ୍ୟାଦି ଏହାର ମୁଖ୍ୟ ଲକ୍ଷଣ। 
 ଗ୍ଲକୋମାକୁ ନିୟନ୍ତ୍ରଣରେ ରଖିବା ପାଇଁ କି ପଦକ୍ଷେପ ନେବା ଉଚିତ?
ଔଷଧ ହେଉଛି ମୁଖ୍ୟ ଚିକିତ୍ସା। ତେଣୁ ପ୍ରଥମ ଷ୍ଟେଜ୍‌ରେ ରୋଗୀକୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରି। କିଛିଟା କ୍ଷେତ୍ରରେ ରୋଗୀଙ୍କୁ ସାବଧାନ କରାଯାଏ। ଯେପରି ଶଙ୍ଖ ଫୁଙ୍କିବା, ଓଜନିଆ ଜିନିଷ ଉଠାଇବା, ଛାତି ଉପରେ ଚାପ ପକାଇବା ଭଳି ଯୋଗ ଓ ବ୍ୟାୟାମ ନ କରିବା। ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଏଥିପ୍ରତି ଅଧିକ ସଚେତନ ରହିବା ଆବଶ୍ୟକ ପଡ଼ିଥାଏ।
 ଏହାର ସୁସ୍ଥତା ହାର କେତେ ରହିଛି?
ଏହା ସମ୍ପୂର୍ଣ୍ଣ ଭଲ ହୋଇ ନଥାଏ। ଏହାକୁ ନିୟନ୍ତ୍ରଣ କରାଯାଏ। ବିଶ୍ବର ଅନ୍ଧତ୍ବର ୧୨% ପାଇଁ ଏହି ରୋଗ ହିଁ ଦାୟୀ। ଯଦି ଅସ୍ତ୍ରୋପଚାର କରାଯାଏ ତେବେ ୫ ବର୍ଷ ପର୍ଯ୍ୟନ୍ତ ଆଖି ସୁସ୍ଥ ରହେ, ଯେଉଁଥିରେ ଔଷଧ ସେବନ କରିବା ଦରକାର ପଡ଼େ ନାହିଁ। ଏହା ୮୦ ପ୍ରତିଶତ ଲୋକଙ୍କ ପାଇଁ ଫଳପ୍ରଦ ହେଉଥିବାବେଳେ ଆଉ ୨୦ ପ୍ରତିଶତ ରୋଗୀଙ୍କୁ ୫ ବର୍ଷ ପୂରଣ ପୂର୍ବରୁ ଔଷଧ ଖାଇବାକୁ ପଡ଼ିଥାଏ। 
 ଗ୍ଲକୋମା ବଂଶଗତ ‌ରୋଗ କି? ଏହାର ଘରୋଇ ଉପଚାର କ’ଣ ରହିଛି?
ହଁ, ଏହା ବଂଶଗତ ରୋଗ। କିନ୍ତୁ ସବୁ କ୍ଷେତ୍ରରେ ଏପରି ହୋଇ ନଥାଏ। କିନ୍ତୁ ଯେଉଁ ବାପାମା’ଙ୍କର ଗ୍ଲକୋମା ଅଛି ତାଙ୍କ ପିଲାମାନେ ଅଧିକ ସଚେତନ ରହିବା ଉଚିତ। ଏହାର କୌଣସି ଘରୋଇ ଉପଚାର ନାହିଁ। ନିଶ୍ଚୟ ଔଷଧ ସେବନ କରିବାକୁ ପଡ଼ିଥାଏ।

Advertisment