ନୂଆଦିଲ୍ଲୀ: ବୟସ ଗଡ଼ିଗଲେ ମା’ ହେବା କଷ୍ଟସାଧ୍ୟ ବୋଲି ଜନମାନସରେ ଧାରଣା ରହିଛି। କିନ୍ତୁ ଏହ ଅନେକ ସମୟରେ ଭୁଲ ପ୍ରମାଣିତ ହୋଇଛି। ସୁପରମଡେଲ ନାଓମି କ୍ୟାମ୍ପବେଲ ୫୩ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମାଆ ବନିଛନ୍ତି। ଏହା କୌଣସି ଚମତ୍କାରଠାରୁ କମ୍ ନୁହେଁ। ଯାହାକି ଜୈବିକ ଚକ୍ରକୁ ମଧ୍ୟ ଭୁଲ୍ ବୋଲି ପ୍ରମାଣିତ କରିଛି। ଏତେ ବୟସରେ ମା’ ହୋଇ ସେ ଅନ୍ୟମାନଙ୍କ ସାମ୍ନାରେ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ରିୟଲିଟି ସୋ’ "ଦି ଫେସ୍"ର ବିଚାରପତି ନାଓମି ତାଙ୍କ ଶିଶୁପୁତ୍ରର ଜନ୍ମ ଖବରକୁ ନିଜର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ନାଓମି ତାଙ୍କ ପୁଅ ବିଷୟରେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ପ୍ରକାଶ କରିଛନ୍ତି। ତାଙ୍କର ଏହି ଖବର ସହ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ମାଆ ବନିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସର ଆବଶ୍ୟକତା ନାହିଁ।
ସେ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘ମୋ ଗେହ୍ଲା ପୁଅ ତୁମକୁ ବହୁତ ଭଲପାଇବା ମିଳିବ ଏବଂ ତୁମ ଚାରିପାଖରେ କେବଳ ପ୍ରେମ ହିଁ ପ୍ରେମ ରହିବ। ତୁମକୁ ପାଇ ମୁଁ ଧନ୍ୟ ହୋଇଛି। ତୁମେ ଈଶ୍ବରଙ୍କର ପ୍ରକୃତ ଉପହାର। ସ୍ବାଗତମ୍ ପୁଅ।’ ଏହାସହିତ ନାଓମି ଆହୁରି ବି ଲେଖିଛନ୍ତି ଯେ ‘ମାଆ ବନିବା ପାଇଁ ଡେରି ହୋଇନାହିଁ’। ନାଓମି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୋଷ୍ଟ କରି ଦ୍ବିତୀୟ ଥର ମା’ ହେବାର ଖୁସି ବାଣ୍ଟିଛନ୍ତି।
ଏହାପୂର୍ବରୁ ହେଲି ବେରି, ସଲମା ହାଏକ, ମ୍ୟାଡୋନା, ସେଲିନ୍ ଡାୟୋନ, ଜେନେଟ୍ ଜ୍ୟାକସନ ଆଦି ସେଲିବ୍ରିଟିମାନେ ମଧ୍ୟ ୪୦ ବର୍ଷ ବୟସ ପରେ ମାଆ ହୋଇ ସାରିଛନ୍ତି।