ଭୁବନେଶ୍ବର, ୧୧।୧୦ (ଇମିସ): ଭାରତର ୧୮ କୋଟି ଲୋକ ଗଣ୍ଠିବାତଜନିତ ସମସ୍ୟାରେ ପୀଡ଼ିତ। ମଧୁମେହ, ରକ୍ତଚାପ ଭଳି ଗଣ୍ଠିବାତ ରୋଗ କେବଳ ଭାରତର ନୁହେଁ; ବିଶ୍ବର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସମସ୍ୟା। ଭାରତର ଜନସଂଖ୍ୟାର ୧୪% ଲୋକ ଗଣ୍ଠିବାତ ପାଇଁ ଡାକ୍ତରଙ୍କ ପରାମର୍ଶ ନେଉଥିବା ସର୍ବେକ୍ଷଣରୁ ଜଣାପଡ଼ୁଛି। ଏଥିସହ ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଏହି ଗଣ୍ଠିବାତ ସମସ୍ୟାରେ ଅଧିକ ପୀଡ଼ିତ ବୋଲି ଜଣାପଡ଼ିଛି। ଏହି ଗଣ୍ଠିବାତ ରୋଗ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସମଗ୍ର ବିଶ୍ବରେ ଅକ୍ଟୋବର ୧୨ତାରିଖକୁ ‘ବିଶ୍ବ ଗଣ୍ଠିବାତ ଦିବସ’ ଭାବେ ପାଳନ କରାଯାଏ। ଏହି ରୋଗକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ‘ଓଡ଼ିଶା ଆର୍ଥରାଇଟିସ୍ ଆଣ୍ଡ୍ ରିଉମାଟୋଲୋଜି କେୟାର’ର ରିଉମାଟୋଲୋଜିଷ୍ଟ୍ ପ୍ରଫେସର ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ାଙ୍କ ସହ ସସ୍ମିତା ସାହୁଙ୍କ ସାକ୍ଷାତକାର...
ପ୍ର: ଗଣ୍ଠିବାତ ରୋଗ କ’ଣ?
ଶରୀରର କୌଣସି ଗଣ୍ଠି ଫୁଲିବା ଓ ଦରଜ ହେବା ସମସ୍ୟାକୁ ସାଧାରଣତଃ ଗଣ୍ଠିବାତ ବା ଆର୍ଥରାଇଟିସ୍ କୁହାଯାଏ। ଏହା ମଧୁମେହ, ରକ୍ତଚାପ, ଶ୍ବାସରୋଗ ଓ ଥାଇରଏଡ୍ ଭଳି ଏକ ଦୀର୍ଘସ୍ଥାୟୀ ରୋଗ। ଗଣ୍ଠିବାତ ରୋଗର ଚିକିତ୍ସା ରିଉମାଟୋଲୋଜି ବିଭାଗ ଅନ୍ତର୍ଗତ ବୋଲି ବହୁ ଲୋକ ଏ ନେଇ ସଚେତନ ନୁହନ୍ତି। କାର୍ଡିଓଲୋଜି, ନ୍ୟୁରୋଲୋଜି ଓ ନେଫ୍ରୋଲୋଜି ଭଳି ରିଉମାଟୋଲୋଜି ମଧ୍ୟ ଏକ ସୁପରସ୍ପେସାଲିଷ୍ଟ ବିଭାଗ। ଏ ନେଇ ସଚେତନତା ଅଭାବରୁ ଓ ଉପଯୁକ୍ତ ଚିକିତ୍ସା ନ ପାଇ ଅନେକ ରୋଗୀଙ୍କ ହାଡ଼ ଓ ଗଣ୍ଠି ବଙ୍କା ହୋଇଯାଏ।
ପ୍ର: କେତେ ମାତ୍ରାରେ ଆରୋଗ୍ୟସାଧ୍ୟ?
ସମସ୍ତ ଗଣ୍ଠିବାତ ରୋଗ ସମାନ ନୁହେଁ। ପ୍ରାୟ ୧୦୦ ପ୍ରକାରର ଗଣ୍ଠିବାତ ରୋଗ ରହିଛି। ଯାହାର ଭିନ୍ନ ଭିନ୍ନ କାରଣ ଓ ଚିକିତ୍ସା ବିଧି ରହିଛି। ଏଥିସହ ଗଣ୍ଠିବାତ ରୋଗ ଦୀର୍ଘସ୍ଥାୟୀ। ଏହାର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ସମ୍ଭବ ନୁହେଁ। ଏହାର ସଅଳ ନିରୂପଣ ଓ ଉପଯୁକ୍ତ ଚିକିତ୍ସା ହିଁ ରୋଗୀର ରୋଗ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ। ଏହା ଫଳରେ ରୋଗୀଙ୍କ ଗଣ୍ଠି ଓ ହାଡ଼ ବଙ୍କା ହେବ ନାହିଁ କିମ୍ବା ଅସ୍ଥି ସଂରଚନାରେ କୌଣସି ବିକୃତି ଦେଖାଯିବ ନାହିଁ।
ପ୍ର: ଅନେକ ସମୟରେ ଗଣ୍ଠି ଦରଜ ହେଲେ ଲୋକମାନେ ବଜାରରେ ମିଳୁଥିବା ବିଭିନ୍ନ ମଲମ ବା ତେଲ ଆଣି ବ୍ୟବହାର କରନ୍ତି, ଔଷଧ ବି ଖାଇଦିଅନ୍ତି। ଏହା କେତେ ଦୂର ଠିକ୍?
ଡାକ୍ତରଙ୍କ ବିନା ପରାମର୍ଶରେ ଅନେକ ରୋଗୀ ଅନ୍ୟମାନଙ୍କଠାରୁ ଶୁଣି କିମ୍ବା ଇଣ୍ଟରନେଟ୍ରୁ ପଢ଼ି ବଜାରରେ ମିଳୁଥିବା ଏଣୁତେଣୁ ଔଷଧ ବ୍ୟବହାର କରିନିଅନ୍ତି। ଏହା ଫଳରେ ସାମୟିକ ସମୟ ପାଇଁ ସେମାନଙ୍କୁ ଯନ୍ତ୍ରଣାରୁ ଉପଶମ ମିଳେ ସିନା କିନ୍ତୁ ଭିତରେ ଭିତରେ ରୋଗ ମାରାତ୍ମକ ରୂପ ନିଏ। ଯାହାକି ଭବିଷ୍ୟତରେ ରୋଗୀଙ୍କୁ ଚାଲି ନପାରିବା, ଅଙ୍ଗପ୍ରତ୍ୟଙ୍ଗ ପରିଚାଳନାରେ ଅସୁବିଧା ହେବା, ବସି ଉଠି ନ ପାରିବା ଓ ଅଙ୍ଗବଙ୍କା ହୋଇଯିବା ଆଦି ସମସ୍ୟାରେ ପକାଏ।
ପ୍ର: ଚିକିତ୍ସା ସମୟରେ କ’ଣ ସମସ୍ୟା ଦେଖାଦିଏ?
ଯେହେତୁ ଗଣ୍ଠିବାତ ରୋଗର ଚିକିତ୍ସା ପଦ୍ଧତି ଦୀର୍ଘକାଳୀନ, ଏଣୁ ରୋଗୀଙ୍କ ଯଥେଷ୍ଟ ଧୈର୍ଯ୍ୟ ଓ ନିଷ୍ଠାର ସହ ଔଷଧ ସେବନ କରିବାକୁ ପଡ଼ିଥାଏ। ଏହାସହ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜର ଦୈନନ୍ଦିନ ଦିନଚର୍ଯ୍ୟା ବି ପାଳନ କରିବାକୁ ହୁଏ। ତେଣୁ ଏ କ୍ଷେତ୍ରରେ ଡାକ୍ତରଙ୍କ ଉପରେ ରୋଗୀ ବିଶ୍ବାସ ରଖିବା ଉଚିତ। ରୋଗୀ ଓ ଡାକ୍ତର ପରସ୍ପରକୁ ବୁଝିବା ବି ଜରୁରି। କିନ୍ତୁ ଅନେକ ସମୟରେ ଏହି ଦୀର୍ଘକାଳୀନ ଚିକିତ୍ସା ଭିତରେ ରୋଗୀ ଔଷଧ ଖାଇବାକୁ ନେଇ ବିତୃଷ୍ଣା ହେବା ସହ ଚିକତ୍ସା ଉପରେ ବିଶ୍ବାସ ହରାଇ ବସେ। ଯାହାକି ଚିକିତ୍ସାରେ ବହୁ ସମସ୍ୟା ସୃଷ୍ଟି କରେ।
ପ୍ର: ଦରଜ କମିଗଲେ ଔଷଧ ସେବନ ବନ୍ଦ କରି ହେବ କି?
ଅନେକ ରୋଗୀ କିଛି ଦିନର ଚିକିତ୍ସା ପରେ ଦରଜ ଟିକେ କମିଗଲେ ଡାକ୍ତରଙ୍କର ପରାମର୍ଶ ଲୋଡ଼ନ୍ତି ନାହିଁ କି ଔଷଧ ସେବନ କରନ୍ତି ନାହିଁ। ଏହା ଦ୍ବାରା ନିୟନ୍ତ୍ରଣରେ ଥିବା ରୋଗ ଭିତରେ ଭିତରେ ଭୀଷଣ ରୂପ ନିଏ। ଏହାକୁ ପୁଣି ଥରେ ନିୟନ୍ତ୍ରଣ କରିବାକୁ ଅଧିକ ଔଷଧର ଆବଶ୍ୟକତା ପଡ଼ିଥାଏ। ନିୟମିତ ବ୍ୟବଧାନରେ ରୋଗୀଙ୍କ ଅବସ୍ଥା ଦେଖି ଡାକ୍ତର ପରବର୍ତୀ ପର୍ଯ୍ୟାୟର ଔଷଧ ନିର୍ଦ୍ଧାରଣ କରିଥା’ନ୍ତି। ଏଣୁ ଦରଜ କମିଗଲେ ବି ନିୟମିତ ଅନ୍ତରାଳରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।
ପ୍ର: କୌଣସି ଖାଦ୍ୟପେୟରେ ବାରଣ ଅଛି କି?
ନା..। ଗଣ୍ଠିବାତ ରୋଗୀ ଘରେ ତିଆରି ସମସ୍ତ ଖାଦ୍ୟ ଖାଇପାରିବେ। ଖାଦ୍ୟପେୟରେ ସେମାନଙ୍କ ପାଇଁ ସେମିତି କିଛି ବାରଣ ନଥାଏ। ରୋଗୀଙ୍କ ସମ୍ପର୍କୀୟମାନେ ରୋଗୀକୁ ଖାଦ୍ୟପେୟରେ ଅଯଥା ବାରଣ କରିଥାନ୍ତି, ଯାହାଦ୍ବାରା ରୋଗୀମାନେ ଖାଦ୍ୟରୁ ସଠିକ୍ ପୋଷଣ ପାଇବାରୁ ବଞ୍ଚିତ ହୁଅନ୍ତି। କେବଳ ଗାଉଟ୍ ବା ୟୁରିକ୍ ଏସିଡ୍ ରୋଗୀଙ୍କୁ ଛାଡ଼ି ଅନ୍ୟକୌଣସି ଗଣ୍ଠିବାତ ରୋଗୀଙ୍କ ପାଇଁ ଖାଦ୍ୟରେ ବିଶେଷ ବାରଣ ନାହିଁ।