ଆଜି ପଖାଳ ଦିବସ: ଓଡ଼ିଆ ହାଣ୍ଡିଶାଳର ଅନନ୍ୟ ବ୍ୟଞ୍ଜନ ପଖାଳର ସ୍ବାଦ ଆଗ‌ରେ ସବୁ ଫିକା

ଭୁବନେଶ୍ବର: ଛୁଙ୍କ ପଖାଳକୁ ଛେଚା ଚିଙ୍ଗୁଡ଼ି। ଦହି ‌ପଖାଳକୁ ପତ୍ରପୋଡ଼ା ଚୂନା ମାଛ। ବାସ୍‌ ଏତିକି ହେଇଗଲେ ଖରାବେଳଟା ଜମିଯାଉଛି। ଖରା ଯେତେ ଟାଣ ହେଉଛି ପଖାଳ କଂସାକୁ ମନ ସେତେ ଲୋଡ଼ୁଛି। ଘରେ ହେଉ କି ହୋଟେଲ୍‌ରେ ସବୁଠି ଏବେ ଲୋଡ଼ା ପଡ଼ିଲାଣି ପଖାଳ। ଦିନେ ଗରିବ ଘରେ ବଳକା ଭାତ ପଖାଳର ରୂପ ନେଉଥିବା ବେଳେ ଆଜି ତାହା ପଞ୍ଚ ତାରକା ହୋଟେଲର ସ୍ବତନ୍ତ୍ର ମେନୁରେ ସ୍ଥାନ ପାଇଛି। ଚାଳିଆ ହୋଟେଲ୍‌ରୁ ନେଇ ପଞ୍ଚ ତାରକା ହୋଟେଲ୍‌ରେ ଏବେ ପଖାଳ ହିଁ ପାଲଟିଛି ମୁଖ୍ୟ ମେନୁ। ସଜ ଘୋଳ ଦହି ସାଙ୍ଗକୁ ଛେଚା ଆମ୍ବ କଷିଆ ଅଦା ପକେଇ କେଉଁଠି ପଖାଳ ପ୍ରସ୍ତୁତ ହେଉଛିତ ପୁଣି କେଉଁଠି କଷି ଆମ୍ବଡେମ୍ଫର ଲସା ସାଙ୍ଗକୁ ଅଦା, ପୁଦିନା ଓ ଧନିଆ ଚଟଣି ଦେଇ ପଖାଳ ପ୍ରସ୍ତୁତ ହେଉଛି।

ଗତ କିଛି ବର୍ଷ ତଳେ ସାମାଜିକ ଗଣମାଧୢମରେ ପଖାଳ ବାବଦରେ ଏତେ ପ୍ରଚାର ହେଲା ଯେ, ଶେଷରେ ମାର୍ଚ ୨୦କୁ ପଖାଳ ଦିବସ ଭାବେ ପାଳିବାକୁ ବାର୍ତାର ସୁଅ ଛୁଟିଲା। ସେବେଠୁ ଅନ୍ତର୍ଜାତୀୟ ଦିବସ ତାଲିକାରେ ଯୋଡ଼ି ହୋଇଗଲା ପଖାଳ ଦିବସ। ଆମେରିକାଠୁ ଆର୍ଜେଣ୍ଟିନା। ଜର୍ମାନୀରୁ ଜାପାନ। ବିଦେଶରେ ବସବାସ କରୁଥିବା ଓଡ଼ିଆ ପରିବାର ପାଳିଲେ ବିଶ୍ବ ପଖାଳ ଦିବସ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, ଛତିଶଗଡ଼ର ଲୋକେ ପଖାଳ ପ୍ରିୟ ହୋଇଥିବା ବେଳେ ନେପାଳ, ବାଙ୍ଗାଲୋର ସମେତ ମିଆଁମାରର କିଛି ଅ˚ଶରେ ପଖାଳର ଲୋକପ୍ରିୟତା ଦେଖିବାକୁ ମିଳିଲାଣି।

Telegraph India

ରାଜଧାନୀବାସୀଙ୍କୁ ବି ଘାରିଛି ଏଇ ପଖାଳ ନିଶା।ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ୍‌ ପରଷି ଦେଉଛନ୍ତି ରକମ ରକମର ପଖାଳ। ଜିରା ପଖାଳ, ଦହି ପଖାଳ, ଚାଇଁ ପଖାଳ, ଆମ୍ବ କଷିଆ ଅଦା ପଖାଳ ଓ ଅରୁଆ ପଖାଳ। ପଖାଳ ପାଗ ପ୍ରସ୍ତୁତି ଦିନକ ଆଗରୁ ହୁଏ। ପୂର୍ବଦିନ ରାତିରେ ଭାତ ରାନ୍ଧି ପଖାଳି ଦେବା ପରେ ଏଥିରେ ଧନିଆ ପତ୍ର, ଅଦା, କଞ୍ଚାଲଙ୍କା, ଚାଟ୍‌ ମସଲା, ଦହି ଦେଇ ଭୃସଙ୍ଗ ପତ୍ର ଓ ସୋରିଷରେ ଛୁଙ୍କ ପ୍ରସ୍ତୁତ କରାଯାଏ ବୋଲି କହିଛନ୍ତ ଏକାମ୍ର ହାଟସ୍ଥିତ ହୋଟେଲ୍‌ ପେଟପୂଜାର ପ୍ରକାଶ ଚନ୍ଦ୍ର ବେହେରା। ମାଘ ମାସରୁ ରଜ ପର୍ଯ୍ୟନ୍ତ ପଖାଳର ଖୁବ୍‌ ଚାହିଦା ରୁହେ। ତାଙ୍କ ହୋଟେଲ୍‌ରେ ଚିଙ୍ଗୁଡ଼ି ଛେଚା, ଚୂନା ମାଛ, ପତ୍ରପୋଡ଼ା ଚିଙ୍ଗୁଡ଼ି, ପତ୍ରପୋଡ଼ା ଚୂନା ମାଛ, ପୋଡ଼ା ମଟନ୍‌, ତାୱା ସେକା ରୋହି ଓ ଖଙ୍ଗା ମାଛ, ଚିଙ୍ଗୁଡ଼ି ଛେଚା, ପତ୍ରପୋଡ଼ା ଛତୁ, ଛତୁ ଭଜା ଉପଲବ୍ଧ ବୋଲି ଶ୍ରୀ ବେହେରା କହିଛନ୍ତି। ଖାଲି ସେତିକି ନୁହେଁ, ପଞ୍ଚ ତାରକାରେ ବି ଦେଶୀ ଛୁଙ୍କ ଉପଲବ୍ଧ ହେଲାଣି। ମେ ଫେୟାରର କନିକା ରେଷ୍ଟୁରାଣ୍ଟ ହେଉ ଅବା ସ୍ବସ୍ତି ପ୍ରିମିୟମର ଚନ୍ଦନ ଇଣ୍ତିଆନ ରେଷ୍ଟୁରାଣ୍ଟ୍‌। ପୁଣି ପଖାଳ ରେଷ୍ଟୁରାଣ୍ଟ୍‌ରୁ ନେଇ ଡାଲ୍‌ମା। ସବୁଠି ଏବେ ପ୍ରଥମ ଡିମାଣ୍ଡ୍‌ ପଖାଳ।

ସମ୍ବନ୍ଧିତ ଖବର