ମହୁର ଅନେକ ସ୍ବାସ୍ଥ୍ୟପ୍ରଦ ଗୁଣ ରହିଛି। ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମହୁର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କାହିଁ କେଉଁ କାଳରୁ ବିଭିନ୍ନ ଔଷଧ ସମେତ ଖାଦ୍ୟ ପ୍ରସ୍ତୁତିରେ ମହୁର ବ୍ୟବହାର କରାଯାଇ ଆସିଛି। ତେବେ ଦେଶରେ ପାରମ୍ପରିକ ଭାବେ ମହୁର ବ୍ୟବହାର ସୀମିତ ଥିବା ବେଳେ ମହାମାରୀ କୋଭିଡ୍ କାଳରେ ସେଥିରେ ୩୫ ପ୍ରତିଶତ ବୃଦ୍ଧି ଘଟିଥିଲା। କିନ୍ତୁ ଲୋକଙ୍କ ଚାହିଦା ଅନୁସାରେ ପ୍ରାକୃତିକ ଭାବେ ସଂଗୃହୀତ ମହୁ ଉପଲବ୍ଧ ହେଉ ନାହିଁ। ତେଣୁ ବିଭିନ୍ନ କମ୍ପାନି ଦ୍ବାରା ପ୍ରସ୍ତୁତ ଏବଂ ପ୍ରାକୃତିକ ଭାବେ ସଂଗୃହୀତ ତଥା ଅସଲି ବୋଲି ଦାବି କରାଯାଉଥିବା ମହୁ ବୋତଲ ଉପରେ ଭରସା ରଖିବାକୁ ସମସ୍ତେ ବାଧ୍ୟ ହେଉଛନ୍ତି। ମାତ୍ର ଆମ ହାତ ପାଆନ୍ତାରେ ମିଳୁଥିବା ଏହି ବହୁଦେଶୀୟ କମ୍ପାନିଗୁଡ଼ିକର ମହୁ ଅସଲି ନୁହେଁ ବରଂ ସଂପୂର୍ଣ୍ଣ ଭାବରେ ଅପମିଶ୍ରିତ। ବିଶେଷ କରି ଅସଲି ଓ ନକଲି ମହୁ ଭିତରେ ଫରକ ବାରି ନହେବା ପାଇଁ ପ୍ରାକୃତିକ ମହୁରେ ମିଶାଯାଉଥିବା ଚୀନ୍ରୁ ଆମଦାନୀ ମହୁ (ମୋଡିଫାଏଡ୍ ସୁଗାର ସିରପ୍ ବା ଏମ୍ଏସ୍ଏସ୍) ହିଁ ଏଭଳି କଳା କାରନାମା କରୁଛି ବୋଲି ସରକାରୀ ସଂସ୍ଥା ବିଜ୍ଞାନ ଓ ପରିବେଶ କେନ୍ଦ୍ର (ସିଏସ୍ଇ)ର ଯାଞ୍ଚ ପରେ ଧରାପଡ଼ିଛି।
ସିଏସ୍ଇ ଦ୍ବାରା ଯାଞ୍ଚ କରାଯାଇଥିବା ବିଭିନ୍ନ କମ୍ପାନିର ନମୁନା ଭିତରୁ ୭୭ ପ୍ରତିଶତ ନମୁନାରେ ଚୀନୀ ମହୁ ବା ସୁଗାର ସିରପ୍ ମିଶିଥିବା ଜଣାଯାଇଛି। ଆହୁରି ଚିନ୍ତାଜନକ କଥା ହେଉଛି ଚୀନୀ ମହୁରେ ବହୁଳ ପରିମାଣର ଚିନି (ଆଖୁ ବା ଚାଉଳରୁ ପ୍ରସ୍ତୁତ) ରହିଥିଲେ ହେଁ ତାହା ଖାଦ୍ୟ ନିୟାମକ ସଂସ୍ଥା ଏଫ୍ଏସ୍ଏସ୍ଏଆଇ ଦ୍ବାରା ନିର୍ଦ୍ଧାରିତ ସି-୩ ଓ ସି-୪ ପରି ପରୀକ୍ଷା ନିରୀକ୍ଷାକୁ ଡେଇଁ ଖସିଯିବାରେ ସଫଳ ହେଉଛି। ତେଣୁ କମ୍ପାନିମାନେ ମହୁରେ ମିଶାଇବା ଲାଗି ପ୍ରଭୂତ ପରିମାଣର ଏହି ଶସ୍ତା ଚୀନୀ ମହୁକୁ ଆମଦାନି କରିବା ସହ ନିଜେ ମଧ୍ୟ ଏମ୍ଏସ୍ଏସ୍ ପ୍ରସ୍ତୁତି ଆରମ୍ଭ କଲେଣି। ଫଳରେ ଆମେ ଶୁଦ୍ଧ ମହୁ ନାଁରେ ନିରୋଳା ଚିନି ଖାଇ ଚାଲିେଛ। ଏହା ଆମ ଶରୀରକୁ ସୁସ୍ଥ ରଖିବା ପରିବର୍ତ୍ତେ ନାନା ରୋଗକୁ ଆମନ୍ତ୍ରଣ କରି ଚାଲିଛି।