ଦାନ୍ତବିନ୍ଧା ଏମିତି ଏକ ଯନ୍ତ୍ରଣା ଯାହା ଲିଙ୍ଗ, ବୟସ, ଧନୀ-ଗରିବ ନିର୍ବିଶେଷରେ ଯେ କୌଣସି ପରିସ୍ଥିତିରେ ଅପ୍ରତ୍ୟାଶିତ ଭାବେ ଉପୁଜିପାରେ। ସେଥିରୁ ମୁକୁଳିବା କେତେ କଷ୍ଟକର, ତାହା ଯିଏ ଭୋଗିଛି ସେ ହିଁ କେବଳ କହିପାରିବ। ଦାନ୍ତବିନ୍ଧାର ସାଧାରଣ କାରଣଗୁଡ଼ିକ ହେଲା- ସଂକ୍ରମଣ, ଦନ୍ତକ୍ଷୟ, ମାଢ଼ିଫୁଲା ଓ ଦାନ୍ତମୂଳ ବାହାରକୁ ଦିଶିବା। ଏପରି କିଛି ଘରୋଇ ଉପଚାର ରହିଛି ଯାହା ଦାନ୍ତ ଯନ୍ତ୍ରଣା ଲାଘବ କରିବାରେ ସକ୍ଷମ।
ଏକ ଅତି ସରଳ ଉପଚାର ହେଲା ଲୁଣପାଣିରେ କୁଳୁକୁଞ୍ଚା କରିବା। ଲୁଣ ହେଉଛି ଏକ ପ୍ରାକୃତିକ ସଂକ୍ରମଣ-ବିରୋଧୀ ଯାହା ପ୍ରଦାହ, ଫୁଲା ଓ ଦାନ୍ତମୂଳରେ ବୀଜାଣୁ ଉପସ୍ଥିତିକୁ କମାଇଦେଇଥାଏ। କୌଣସି ସଂକ୍ରମଣ କି ମାଢ଼ିଫୁଲା ଯୋଗୁଁ ଦାନ୍ତବିନ୍ଧା ହେଉଥିଲେ, ଲୁଣପାଣି ଭଲ କାମ କରେ।
ଲବଙ୍ଗ ତେଲ ଦାନ୍ତବିନ୍ଧାର ଏକ ଲୋକପ୍ରିୟ ଉପଚାର। ଲବଙ୍ଗରେ ‘ୟୁଜିନଲ୍’ ନାମକ ପ୍ରାକୃତିକ ନିଶ୍ଚେତକ ତଥା ବୀଜାଣୁବିରୋଧୀ ଉପାଦାନ ରହିଛି, ଯାହା ଯନ୍ତ୍ରଣା ଓ ପ୍ରଦାହ କମାଇପାରିବ। ଲବଙ୍ଗ ତେଲ ନଥିଲେ ଦାନ୍ତମୂଳରେ ଗୋଟିଏ ଲବଙ୍ଗ ରଖିଲେ ଅନୁରୂପ ଫଳ ମିଳିପାରିବ।
ପିଜୁଳିପତ୍ରର ପ୍ରଦାହବିରୋଧୀ ତଥା ବୀଜାଣୁବିରୋଧୀ ଗୁଣ ରହିଛି। ତେଣୁ କିଛି ସଜ ପିଜୁଳିପତ୍ରକୁ ଚୋବାଇଲେ ପାଟିରେ ଥିବା ବୀଜାଣୁଙ୍କର ମୃତ୍ୟୁ ଘଟି ଦାନ୍ତବିନ୍ଧା କମିଥାଏ।
ରସୁଣରେ ଥିବା ‘ଆସିଲିନ୍’ ନାମକ ରସାୟନ ପ୍ରଦାହବିରୋଧୀ ତଥା ବୀଜାଣୁବିରୋଧୀ ହୋଇଥିବାରୁ ଦୁଇ ପାଖୁଡ଼ା ରସୁଣ ଚୋବାଇଲେ ମଧ୍ୟ ଦାନ୍ତବିନ୍ଧାରୁ ଉପଶମ ମିଳିପାରିବ।
ହଳଦୀରେ ଥିବା ‘କର୍କ୍ୟୁମିନ୍’ ନାମକ ରାସାୟନିକ ପଦାର୍ଥ ପ୍ରଦାହ କମାଇବା ସହ ସଂକ୍ରମଣରୁ ରକ୍ଷା କରିଥାଏ। ଗୋଟା ହଳଦୀକୁ ବାଟି କିମ୍ବା ହଳଦୀଗୁଣ୍ଡରେ ପାଣି ମିଶାଇ ଏକ ମୋଟା ପ୍ରଲେପ ପ୍ରସ୍ତୁତ କରି ତାହାକୁ ପ୍ରଭାବିତ ଦାନ୍ତରେ ମାରିଲେ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ।
ଦାନ୍ତ ପାଖରେ ବରଫ ପ୍ରୟୋଗ କରି ଯନ୍ତ୍ରଣା କମାଇହେବ। ଏହା ଯନ୍ତ୍ରଣା ସୃଷ୍ଟି କରୁଥିବା ସ୍ନାୟୁକୁ ଶିଥିଳ କରାଇ ଦାନ୍ତ ବିନ୍ଧା ହ୍ରାସ କରିଥାଏ।