ବିଗତ ଏକ ଶତାବ୍ଦୀ ହେଲା ବିଭିନ୍ନ କାରଣରୁ ଆମର ଜୀବନଧାରଣ କ୍ଷମତା ନାଟକୀୟ ଭାବେ ବୃଦ୍ଧି ପାଇଛି। ତାହାର ପ୍ରମୁଖ କାରଣ ହେଉଛି ପରିମଳ, ସାର୍ବଜନୀନ ସ୍ବାସ୍ଥ୍ୟସେବା ଓ ଔଷଧପତ୍ରରେ ଉନ୍ନତି ଯାହା ବିଶେଷ କରି ଯୁବପିଢ଼ିଙ୍କ ମୃତ୍ୟୁ ହାରକୁ କମାଇଦେଇଛି। ବିଂଶ ଶତାବ୍ଦୀରେ ଏପରି ହାରାହାରି ବୟସ ବୃଦ୍ଧି ମାନବଜାତିର ଅନ୍ୟତମ ଶ୍ରେଷ୍ଠ ଉପଲବ୍‌ଧି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ‘ମୋଟ ବୟସ’ ବା ଜନ୍ମଠାରୁ ମୃତ୍ୟୁ ମଧ୍ୟରେ ରହିଥିବା ବୟସର ବ୍ୟବଧାନ ଏବଂ ‘ସ୍ବାସ୍ଥ୍ୟ ବୟସ’ ବା ସୁସ୍ଥ ସବଳ ହୋଇ ବଞ୍ଚି ରହିବାର ଅବଧି ଭିତରେ ପାର୍ଥକ୍ୟ ରହିଛି। 

Advertisment

ବୟସ୍କ ଲୋକମାନେ ସାଧାରଣତଃ ଦୁର୍ବଳ ସ୍ବାସ୍ଥ୍ୟ ସହ ଅଧିକ ସମୟ ବିତାଉଛନ୍ତି, ଯାହା ଏକ ପ୍ରମୁଖ ସ୍ବାସ୍ଥ୍ୟ ବୋଝକୁ ଇଙ୍ଗିତ କରୁଛି। ପରିଣତ ବୟସରେ ଏକ ସ୍ବାଧୀନ ଜୀବନଶୈଳୀ ବିତାଇବା ହିଁ ଜଣକର ଜୀବନର ମାନକୁ ଉଚ୍ଚ ରଖିଥାଏ। ତେବେ ବୟସ୍କଙ୍କର ମାଂସପେଶୀ, ତାହାର ଦୃଢ଼ତା ଓ କ୍ରିୟାଶୀଳତାରେ ଅବନତି ହେଉଛି ବୟସ୍କ ଲୋକଙ୍କ ‘ସ୍ବାସ୍ଥ୍ୟ ବୟସ’ ହ୍ରାସର ପ୍ରମୁଖ କାରଣ। 

ମନୁଷ୍ୟର ଅଙ୍ଗଭଙ୍ଗୀ ଓ ଚଳପ୍ରଚଳନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ମାଂସପେଶୀ ଶରୀରର ସମଗ୍ର ଗଠନରେ ଅବଦାନ ରଖିବା ସହ ଶର୍କରା ଓ ଚର୍ବିର ଏକ ଗୁରୁତ୍ବପୂର୍ଣ୍ଣ ଭଣ୍ଡାର ସାଜିଥାଏ। ଆମେ ବୟସର ପଞ୍ଚଦଶକରେ ଉପନୀତ ହେଲା ପରେ ଆମର ମାଂସପେଶୀଗୁଡ଼ିକ ବର୍ଷକୁ ଏକ ପ୍ରତିଶତ ହାରରେ କ୍ଷୟପ୍ରାପ୍ତ ହେବାକୁ ଲାଗିଥାଏ ଏବଂ ତାହାର ଦୃଢ଼ତା ବର୍ଷକୁ ତିନି ପ୍ରତିଶତ ହାରରେ କମିଥାଏ। ଏହା ଶରୀରରେ ବିଭିନ୍ନ ପ୍ରକାର ନକାରାତ୍ମକ ପରିବର୍ତ୍ତନ ଘଟାଇଥାଏ। ସୁତରାଂ ଜଣକର ସ୍ବାସ୍ଥ୍ୟ ବୟସ ବଜାୟ ରଖିବା ବା ପରିବର୍ଦ୍ଧିତ କରିବା ପାଇଁ ଆମର ମାଂସପେଶୀ ଓ ତାହାର ଦୃଢ଼ତାକୁ ବଜାୟ ରଖିବାକୁ ହେବ। ଲିଙ୍ଗ ଓ ବୟସ ନିର୍ବିଶେଷରେ ସେଥିପାଇଁ ଜଣେ ଦୈନିକ ନିଜ ଶରୀର ଓଜନର କେଜି ପିଛା ୧.୨ ଗ୍ରାମ୍‌ରୁ ୧.୬ ଗ୍ରାମ୍‌ ଯାଏ ପୁଷ୍ଟିସାରଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦରକାର ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ କରିଛନ୍ତି। ଏଥି ସହିତ ନିୟମିତ ବ୍ୟାୟାମ ମଧ୍ୟ ବାଞ୍ଛନୀୟ।