ଅନିଦ୍ରା ରୋଗର ଉପଚାର; ଶୋଇବା ପୂର୍ବରୁ ଟେଲିଭିଜନ ଦେଖନ୍ତୁ ନାହିଁ କିମ୍ବା ଫୋନରେ କଥା ହୁଅନ୍ତୁ ନାହିଁ

ଡାକ୍ତର ସତ୍ୟକାମ ମହାପାତ୍ର

ନିଦ ମଣିଷ ଜୀବନର ଏକ ଜରୁରୀ ଆବଶ୍ୟକତା। ପ୍ରତିଦିନ ସାଧାରଣତଃ ୬ ରୁ ୮ ଘଣ୍ଟା ନିଦ ଶରୀରକୁ ସୁସ୍ଥ ରଖେ। ଯେବେଠାରୁ କରୋନା ମହାମାରୀ ଆରମ୍ଭ ହେଲାଣି ସେହି ଦିନଠାରୁ ଅନେକ ଲୋକଙ୍କଠାରେ ବିଭିନ୍ନ ନିଦ୍ରା ଜନିତ ସମସ୍ୟା ଦେଖା ଦେଉଛି। କିଛି ଲୋକଙ୍କର ନିଦ କମି ଯାଇଛି ତ ଆଉ କିଛି ଲୋକଙ୍କର ରାତିରେ ନିଦ ବାରମ୍ବାର ଭାଙ୍ଗି ଯାଉଛି। ଏସବୁ ଫଳରେ ସେମାନଙ୍କୁ ଦିନବେଳା କ୍ଳାନ୍ତ ଲାଗୁଛି ଓ କୌଣସି କାମରେ ମନ ଲାଗୁନି। ଯଦି ଏକ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ ନିଦ ଠିକ ଭାବରେ ହୁଏ ନାହିଁ, ତେବେ ଏହାକୁ ଅନିଦ୍ରା ରୋଗ ବୋଲି କୁହାଯାଏ। ଅନିଦ୍ରା ବିଭିନ୍ନ କାରଣରୁ ହୋଇଥାଏ। ଶୋଇବା ଘରର ଅଶ୍ଵସ୍ତିକର ପରିସ୍ଥିତି ଯେମିତିକି କୋଳାହଳ ରହିବା, ଖୁବ ଗରମ କିମ୍ବା ଥଣ୍ଡା, ଅଧିକ ଆଲୋକ, ଟିଭି ଚାଲିବା ଦ୍ଵାରା ନିଦ ହୋଇ ନ ଥାଏ। ବିଭିନ୍ନ ପ୍ରକାରର ଶାରୀରିକ ରୋଗ ଯଥା ଜ୍ଵର, ବ୍ୟଥା, ଶ୍ଵାସ ରୋଗ, ହୃତପିଣ୍ଡ ଜନିତ ସମସ୍ୟା, ମାନସିକ ସମସ୍ୟା ଯଥା ଅବସାଦ ରୋଗ, ଏଙ୍ଗଜାଇଟି, ମାନସିକ ଚାପ ଯୋଗୁଁ ନିଦ ହୋଇ ନ ଥାଏ। ଦୀର୍ଘ ଦିନ ପର୍ଯ୍ୟନ୍ତ ଅନିଦ୍ରା ଲାଗି ରହିଲେ କ୍ଳାନ୍ତ ଅନୁଭବ ହୁଏ, ଦିନରେ ନିଦ ଲାଗେ, ସିଦ୍ଧାନ୍ତ ନେବାରେ କିମ୍ବା ବୁଝି ବିଚାରି କମ କରିବାରେ କଷ୍ଟ ଅନୁଭବ ହୁଏ। ନାନା ପ୍ରକାରର ଶାରୀରିକ ରୋଗ ଯଥା ଉଚ୍ଚ ରକ୍ତଚାପ, ମଧୁମେହ ରୋଗ ଓ ଓଜନ ବଢିବା ଆରମ୍ଭ ହୋଇପାରେ।

ଅନିଦ୍ରାର ଉପଚାର ନିମନ୍ତେ ଦୈନନ୍ଦିନ ଜୀବନରେ କେତେକ ସାଧାରଣ ପଦକ୍ଷେପ ନେବା ଜରୁରୀ। ଯାହାକୁ ‘ସ୍ଲିପ ହାଇଜିନ’ ବୋଲି କୁହାଯାଏ। ଏଗୁଡିକ ହେଲା :
ଶୋଇବା ପାଇଁ ନିର୍ଦ୍ଧିଷ୍ଟ ସମୟ ରଖନ୍ତୁ। ଠିକ୍‌ ସମୟରେ ଶୋଇବାକୁ ଯାଆନ୍ତୁ ଓ ଠିକ୍‌ ସମୟରେ ଉଠନ୍ତୁ।
ନିଜର ବିଛଣା ଓ ଶୋଇବା ଘରକୁ ଆରାମଦାୟକ ଓ ନିଦ ପାଇଁ ଅନୁକୂଳ କରାନ୍ତୁ। ଅତ୍ୟନ୍ତ ଟାଣ କିମ୍ବା ଅତ୍ୟନ୍ତ କୋମଳ ବିଛଣା ବ୍ୟବହାର କରନ୍ତୁ ନାହିଁ। ଅଧିକ ଶବ୍ଦ, କୋଳାହଳ ଓ ଆଲୋକ ଯେଭଳି ନରୁହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
ଦିନରେ କିଛି ପରିମାଣର ଶାରୀରିକ ପରିଶ୍ରମ, ବ୍ୟାୟାମ ଓ ଯୋଗ ଅଭ୍ୟାସ କରନ୍ତୁ। ଭଲ ନିଦ ପାଇଁ ଅପରାହ୍ନରେ ବ୍ୟାୟମ କରିବା ଲାଭଦାୟକ ଅଟେ।
କଫି ଏବଂ କାଫେନ ଯୁକ୍ତ ଖାଦ୍ୟ ଓ ପାନୀୟ ଯଥା ଚା’, କୋଲା ଜାତୀୟ ପାନୀୟ ଓ ଚକ୍‌ଲେଟକୁ ସନ୍ଧ୍ୟା ପରେ ସେବନ କରନ୍ତୁ ନାହିଁ। ଏଗୁଡିକ ଶରୀରରେ ଉତ୍ତେଜନା ସୃଷ୍ଟି କରିଥାଏ ଏବଂ ଭଲ ନିଦ ହେବା କଷ୍ଟକର ହୋଇଥାଏ।
ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ଯଥା ମଦ, ସିଗାରେଟ, ଭାଙ୍ଗ ଓ ତମାଖୁଠାରୁ ଦୂରେଇ ରୁହନ୍ତୁ।

ରାତିରେ ବହୁତ ଡେରିରେ ଖାଦ୍ୟ ଖାଆନ୍ତୁ ନାହିଁ। ରାତି ଖାଇବା ଓ ଶୋଇବା ସମୟ ମଧ୍ୟରେ ଅତି କମରେ ୨-୩ ଘଣ୍ଟା ବ୍ୟବଧାନ ରଖନ୍ତୁ। ରାତିରେ ଉପଯୁକ୍ତ ପରିମାଣରେ ଖାଦ୍ୟ ଖାଆନ୍ତୁ। ଅଧିକ କିମ୍ବା କମ ପରିମାଣରେ ଖାଦ୍ୟ ଖାଇଲେ ନିଦ ଠିକ ଭାବରେ ହୋଇ ନଥାଏ। ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟକୁ ରାତିରେ ଖାଆନ୍ତୁ ନାହିଁ। ଏହା ହଜମ କରିବାରେ ଅସୁବିଧା କରେ ଓ ନିଦ ଉପରେ କୁପ୍ରଭାବ ପକାଇଥାଏ। ରାତ୍ରି ଭୋଜନରେ ଜଟିଳ ଶ୍ଵେତସାରଯୁକ୍ତ ଖାଦ୍ୟ ଯଥା ଗୋଟା ଶସ୍ୟରୁ ତିଆରି ରୁଟି, ସବୁଜ ପନିପରିବାରେ ତିଆରି ତରକାରୀ ଓ ଫଳକୁ ଅଧିକ ସେବନ କରନ୍ତୁ। ଏଥିରେ ଥିବା ମ୍ୟାଗ୍ନେସିଅମ, ପଟାସିୟମ ଓ କ୍ୟାଲସିୟମ ଉତ୍ତମ ନିଦ୍ରା ପାଇଁ ଲାଭଦାୟକ ଅଟେ। ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ ମହୁ ମିଶାଇ ସେବନ କରନ୍ତୁ। ଏହା ମସ୍ତିଷ୍କରେ ମେଲାଟୋନିନ ନାମକ ରାସାୟନିକ ପଦାର୍ଥକୁ ବୃଦ୍ଧି କରିଥାଏ। ଯାହା ଦ୍ଵାରା ରାତିରେ ନିଦ ଭଲ ଭାବରେ ହୋଇ ଥାଏ। ରାତିରେ ଶୋଇବା ପୂର୍ବରୁ ଅଧିକ ପରିମାଣର ପାଣି ପିଅନ୍ତୁ ନାହିଁ। ସନ୍ଧ୍ୟା ସମୟରେ ହିଁ ଯଥେଷ୍ଟ ପାଣି ପିଇ ନିଅନ୍ତୁ।

ଶୋଇବା ପାଇଁ ବିଛଣାକୁ ଯିବା ପୂର୍ବରୁ ଆରାମ ଲାଗିଲା ଭଳି କିଛି କାମ କରି ପାରନ୍ତି। ଯେମିତିକି ଗରମ ପାଣିରେ ଦେହ ହାତ ପୋଛି ହେବା ଓ ମଧୁର ସଂଗୀତ ଶୁଣିବା ଓ ବହି ପଢିବା ଆଦି।
ଯଦି ନିଦ ନ ଆସେ ତେବେ ବିଛଣାରେ ଏପଟ ସେପଟ ନ ହୋଇ ଉଠି ଯାଆନ୍ତୁ। କିଛି କାମ କରନ୍ତୁ। ପୁଣି ନିଦ ଆସିଲେ ବିଛଣାକୁ ଫେରନ୍ତୁ।
ଯଦି ନିଦ ନ ହେଉଛି ତାହେଲେ ବ୍ୟସ୍ତ ହୋଇ ବାରମ୍ବାର ଘଣ୍ଟା ଦେଖନ୍ତୁ ନାହିଁ। ଏହା ଦ୍ଵାରା ମନରେ ବ୍ୟସ୍ତତା ଆହୁରି ବଢିବ ଓ ନିଦ ଆସିବ ନାହିଁ। ମୋବାଇଲ ଫୋନକୁ ଏହି ସମୟରେ ବ୍ୟବହାର କରନ୍ତୁ ନାହିଁ। ଏହା ଓଲଟା ନିଦ ଆସିବାରେ ବିଳମ୍ବ କରିଥାଏ।
ଯଦି ରାତିରେ ନିଦ ନ ହେଲା ତେବେ ତା ପର ଦିନ ଦିନବେଳା ଶୁଅନ୍ତୁ ନାହିଁ।
ଶୋଇବା ପାଇଁ ବ୍ୟବହାର କରୁଥିବା ବିଛଣାରେ ବସି ଶୋଇବା ପୂର୍ବରୁ ଟେଲିଭିଜନ ଦେଖନ୍ତୁ ନାହିଁ କିମ୍ବା ଫୋନରେ କଥା ହୁଅନ୍ତୁ ନାହିଁ।

ଯଦି ଏ ସବୁ କଲା ପରେ ମଧ୍ୟ ଅନିଦ୍ରା ଲାଗି ରହେ ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। ଏଥି ନିମନ୍ତେ ଔଷଧ ସହିତ ମନସ୍ତାତ୍ତ୍ବିକ ଚିକିତ୍ସା ଦରକାର ପଡିପାରେ। ଔଷଧକୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେବନ କରନ୍ତୁ। ବିନା ପରାମର୍ଶରେ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କଲେ ଏହି ଔଷଧ ଗୁଡିକ ଉପରେ ନିର୍ଭରଶୀଳତା ବଢି ଯାଏ, ଯାହାଠାରୁ ମୁକୁଳିବା କଷ୍ଟ କର ହୋଇଥାଏ।

ସମ୍ବନ୍ଧିତ ଖବର