ଭାରତୀୟ ଦାର୍ଶନିକ ଗଣନା ଅନୁସାରେ ପ୍ରତ୍ୟେକ ମାସର କିଛି ନା କିଛି ସ୍ୱାତନ୍ତ୍ରୢ ଓ ମହତ୍ତ୍ୱ ଅଛି। ସେହି ପରିପ୍ରେକ୍ଷୀରେ କିଛି ମାସକୁ ଅତି ପବିତ୍ର ଭାବରେ ଗଣନା କରାଯାଇଥାଏ। ବିଶେଷକରି କାର୍ତ୍ତିକ, ମାଘ ଓ ବୈଶାଖକୁ ପବିତ୍ର ମାସ ଭାବରେ ଗ୍ରହଣ କରାଯାଇଛି। ଏହା ଉକ୍ତ ମାସରେ ସଂଯୁକ୍ତ ମହାପୁଣ୍ୟଦାୟକ ତିଥି ଯୋଗୁଁ ହୋଇଥାଏ। ମାସ ମଧ୍ୟରେ ପଡ଼ୁଥିବା ବିଭିନ୍ନ ପୁଣ୍ୟଦାୟକ ତିଥି ମାସର ମର୍ଯ୍ୟାଦା ବୃଦ୍ଧିରେ ସହାୟକ ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ମାଘ ମାସରେ ସେହିପରି କେତେକ ପୁଣ୍ୟତିଥି ରହିଛି। ସେ ମଧ୍ୟରୁ ତ୍ରିବେଣୀ ଅମାବାସ୍ୟା ଅନ୍ୟତମ। ମାଘ ମାସଟି ଆପାତତଃ ସ୍ନାନ, ଜପ ଓ ଧ୍ୟାନ ଆଦିର ମାସ। ତ୍ରିବେଣୀ ସେ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଗଙ୍ଗା, ଯମୁନା ଓ ସରସ୍ୱତୀର ମିଳନ ସ୍ଥଳକୁ ତ୍ରିବେଣୀ କୁହାଯାଏ। ମାଘ ଅମାବାସ୍ୟା ଦିନ ତ୍ରିବେଣୀରେ ସ୍ନାନ କଲେ ମହାପୁଣ୍ୟ ମିଳେ। ଏଣୁ ଏହି ଅମାବାସ୍ୟାକୁ ତ୍ରିବେଣୀ ଅମାବାସ୍ୟା କୁହାଯାଏ।
ତ୍ରିବେଣୀ ଅମାବାସ୍ୟାର ଅନ୍ୟ ଏକ ବିଶେଷତ୍ୱ ହେଉଛି, ଜ୍ୟେଷ୍ଠ ଅମାବାସ୍ୟାରେ ହେଉଥିବା ସାବିତ୍ରୀ ବ୍ରତ ପରି, ଏହି ଅମାବାସ୍ୟାରେ ମଧ୍ୟ ସାବିତ୍ରୀ ଦେବୀଙ୍କର ଆରାଧନା କରାଯାଇଥାଏ। ଗ୍ରାମର କୌଣସି ଏକ ସ୍ଥାନରେ ଏକ ପୂଜାମଣ୍ଡପ କରାଯାଏ। ଗୃହିଣୀମାନେ ଉପବାସ କରି ତୁଳସୀ, ବର ଓ ଅଶ୍ୱତ୍ଥ ଏହି ତିନି ବୃକ୍ଷକୁ ଗୋଟିଏ ଗୋଟିଏ ରେଶମୀ ଡୋରରେ ବାନ୍ଧି ପୂଜା ମଣ୍ଡପରେ ବିଜେ କରାନ୍ତି। ବୃକ୍ଷ ପାଖରେ ଶିବ-ପାର୍ବତୀ, ଓ ଲକ୍ଷ୍ମୀ-ନାରାୟଣଙ୍କର ମୂର୍ତ୍ତି ରଖାଯାଏ। ପୂଜା ମଣ୍ଡପଟିକୁ ଫୁଲ, ପତ୍ର ଓ ଚାଉଳବଟା ଚିତାରେ ଅତି ସୁନ୍ଦର ଭାବରେ ସଜାଯାଏ।
ଅବନ୍ତୀରାଜ ଚନ୍ଦ୍ରଧ୍ୱଜଙ୍କର କନ୍ୟା ଚନ୍ଦ୍ରକାନ୍ତି ଓ ବଜ୍ରବାହୁଙ୍କର ବିବାହ, ଅଳ୍ପାୟୁଷ ବଜ୍ରବାହୁଙ୍କ ମୃତ୍ୟୁ ଏବଂ ପୁନଶ୍ଚ ତ୍ରିବେଣୀଙ୍କ ଦୟାରୁ ପ୍ରତି ତ୍ରିବେଣୀରେ ସେମାନଙ୍କର ମିଳନ ଆଦି ସଂପର୍କରେ ଲେଖାଯାଇଥିବା ବ୍ରତକଥା ପଢ଼ାଯାଇ ପୂଜା କରାଯାଏ। ପୂଜା ମଣ୍ଡପରେ ତିନିବୃକ୍ଷଡାଳ ତଳେ ଦୁଇଟି ଲେଖାଏଁ ଗୁଆ ଓ ବେଲ, ହଳଦୀ ଓ ସିନ୍ଦୂରରେ ବିଭୂଷିତ କରି ରଖାଯାଏ। ପୂଜା ଶେଷରେ ଯିଏ ଯାହାର ଗୁଆ ଓ ବେଲ ନେଇ ଘରକୁ ଯାଆନ୍ତି।
ଏହିପୂଜାରେ ଦେବତାଙ୍କୁ ସାତପ୍ରକାରର ଫଳ ଓ ସାତପ୍ରକାରର ଫୁଲ ଅର୍ପଣ କରାଯାଏ। ପୂଜା ସମାପ୍ତି ପରେ ବ୍ରତଚାରିଣୀମାନେ ଯାଇ ବରଗଛରେ ସୂତାବାନ୍ଧି, ତା’ର ପୂଜା କରନ୍ତି। ଏହାର କାରଣ ଭାବରେ ଏତିକି କୁହାଯାଇପାରେ ଯେ ସାବିତ୍ରୀ ଯେତେବେଳେ ଯମଙ୍କର ପଶ୍ଚାତ୍ଧାବନ କରିଥିଲେ, ସେତେବେଳେ ବଟବୃକ୍ଷ ସତ୍ୟବାନଙ୍କର ମୃତପିଣ୍ଡକୁ ଜଗି ରହିଥିଲା।
ଏହି ଦିନ ପୂଜା ସମାପ୍ତି ପରେ, ବ୍ରତଚାରିଣୀମାନେ ହଳଦୀ ପାଣିରେ ନିଜ ପତିଙ୍କର ପାଦ ଧୋଇ, ପୂଜାର ଭୋଗ ତାଙ୍କୁ ଖୁଆଇ ନିଜେ ଖାଇବାର ବିଧି ରହିଛି।
ଡକ୍ଟର ତୁଳସୀ ଓଝା