ଫୁଲ ନଥାଉ, ତୁଳସୀ ତ ଅଛି!

‘ମହାଭାରତ’ର ‘ଶାନ୍ତିପର୍ବ’ ଅନ୍ତର୍ଗତ ‘ବୈଷ୍ଣବଧର୍ମ ପର୍ବ’ରେ ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ନିଜର ପ୍ରିୟ ଫୁଲମାନଙ୍କର କଥା କହିଛନ୍ତି। ସେହି ପ୍ରସଙ୍ଗରେ ଆସିଛି, ତୁଳସୀର ଗୁଣ କଥା। (ଗତ ସପ୍ତାହର ‘ଜୀବନମନ୍ତ୍ର’ ଦ୍ରଷ୍ଟବ୍ୟ)। ଶ୍ରୀକୃଷ୍ଣ କହିଛନ୍ତି, ଯେକୌଣସି ପ୍ରକାରର ଫୁଲ ଅପେକ୍ଷା, ହଜାର ଗୁଣରେ ମୋର ଅଧିକ ପ୍ରିୟ ହେଉଛି ଉତ୍ପଳ। ସେହିପରି, ଉତ୍ପଳ ଅପେକ୍ଷା ପଦ୍ମ, ପଦ୍ମ ଅପେକ୍ଷା ଶତଦଳ ପଦ୍ମ, ଶତଦଳ ପଦ୍ମ ଅପେକ୍ଷା ସହସ୍ରଦଳ ପଦ୍ମ ଏବଂ ସହସ୍ରଦଳ ପଦ୍ମ ଅପେକ୍ଷା ପୁଣ୍ଡରୀକ (ଶ୍ୱେତପଦ୍ମ) ତାଙ୍କର ଅଧିକ ପ୍ରିୟ।

ଏହି ପ୍ରସଙ୍ଗରେ ଆସିଛି ତୁଳସୀର କଥା। ତାଙ୍କ ଅନୁସାରେ, ସହସ୍ର ଶ୍ୱେତପଦ୍ମଠାରୁ ବି ଅଧିକ ତୁଳସୀର ଗୁଣ; ସେଥିପାଇଁ ତୁଳସୀ ତାଙ୍କର ଅତ୍ୟନ୍ତ ପ୍ରିୟ।

ଏହି ପରିପ୍ରେକ୍ଷୀରେ ସେ ଆହୁରି ମଧ୍ୟ କହିଛନ୍ତି- ଯଦି କୌଣସି କାରଣରୁ ତାଙ୍କର ପୂଜାପାଇଁ ଫୁଲ ନମିଳେ, ତେବେ ତୁଳସୀ ପତ୍ରରେ ତାଙ୍କର ପୂଜା କରାଯାଇପାରିବ। ପୁଣି, କୌଣସି କାରଣରୁ ଯଦି ତୁଳସୀପତ୍ର ନମିଳେ, ତେବେ ତାହାର ଶାଖାର ଟୁକୁରାଟିଏ ଦ୍ୱାରା; ଶାଖା ନମିଳିଲେ ତାହାର ଚେରର ଟୁକୁରାଟିଏ ଦ୍ୱାରା ଏବଂ ଚେର ବି ଯଦି ନମିଳେ, ତେବେ ତୁଳସୀ ଗଛ ଲାଗିଥିବା ମାଟିଦ୍ୱାରା ବି ପୂଜାକଲେ ସେ ସନ୍ତୁଷ୍ଟ ହୁଅନ୍ତି।
ଏହା ତୁଳସୀକୁ ଯେଉଁ ମହତ୍ତ୍ୱ ଦେଇଛି, ତାହା ତୁଳସୀକୁ ସବୁ ପୂଜାଫୁଲଠାରୁ ଶ୍ରେଷ୍ଠ କରିଛି। ଏଣୁ ତୁଳସୀକୁ ଆମେ ସବୁବେଳେ ଯତ୍ନର ସହିତ ବଢ଼ାଇ ତାହାଦ୍ୱାରା ଶ୍ରୀଜଗନ୍ନାଥଙ୍କର ପୂଜା କଲେ, ତାଙ୍କର ଆଶିଷ ଲାଭ କରିପାରିବା।

ସମ୍ବନ୍ଧିତ ଖବର