ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ଓଡ଼ିଶାର ସଧବା ସ୍ତ୍ରୀଲୋକମାନେ ସାବିତ୍ରୀବ୍ରତ ପାଳନ କରିଥାଆନ୍ତି। ତେବେ ଏହା କେବଳ ଓଡ଼ିଶା ବା ଭାରତରେ ସୀମିତ ଏକ ବ୍ରତ ନୁହେଁ। ନେପାଳରେ ମଧ୍ୟ ଏ ବ୍ରତ ପାଳିତ ହୋଇଥାଏ। ସ୍ୱାମୀଙ୍କର ଦୀର୍ଘଜୀବନ କାମନା ଏହାର ମୁଖ୍ୟ ଉଦ୍ଦେଶ୍ୟ। ବିଭିନ୍ନ ପୁରାଣ ଓ ବ୍ରତକଥାରେ ଏହି ବ୍ରତ ପାଳନର ନିର୍ଦ୍ଦିଷ୍ଟ ବିଧି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
‘ବ୍ରହ୍ମବୈବର୍ତ୍ତ ପୁରାଣ’ର ‘ପ୍ରକୃତିଖଣ୍ଡ’ରେ, ୧୦ଟି ଅଧ୍ୟାୟରେ ସାବିତ୍ରୀଙ୍କର ଉପାଖ୍ୟାନ ବର୍ଣ୍ଣିତ ଅଛି। ନାରଦ ଓ ନାରାୟଣଙ୍କ ମଧ୍ୟରେ କଥୋପକଥନ ଏହାର ବର୍ଣ୍ଣନା ରୀତି। ଉପାଖ୍ୟାନର ଆରମ୍ଭରେ ନାରଦ ନାରାୟଣଙ୍କୁ କହିଛନ୍ତି- ହେ ପ୍ରଭୁ! ଯେଉଁ ସାବିତ୍ରୀ ଚାରିବେଦଙ୍କର ମାତା ବୋଲି ପୁରାଣରେ ପ୍ରମାଣ ଅଛି, ତାହାଙ୍କର ବୃତ୍ତାନ୍ତ ମୁଁ ଶୁଣିବି। ସେହି ବେଦମାତା କିପରି ପୃଥିବୀରେ ଜାତ ହେଲେ ଏବଂ ପ୍ରଥମେ ତାଙ୍କୁ କିଏ ପୂଜା କଲେ, ତାହା ମୋତେ କହନ୍ତୁ।
ତାହାର ଉତ୍ତରରେ ନାରାୟଣ କହିଛନ୍ତି- ସେହି ବେଦମାତାଙ୍କୁ ବ୍ରହ୍ମା ପ୍ରଥମେ ପୂଜା କଲେ। ପରେ ପୂଜା କଲେ ଦେବଗଣ ଓ ପଣ୍ଡିତମାନେ। ତା’ପରେ ଅଶ୍ୱପତି ପୃଥିବୀରେ ଏବଂ ତାଙ୍କ ପରେ ଚତୁବର୍ଣ୍ଣ (ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ସମସ୍ତେ) ଶୁଦ୍ଧମତି ଓ ଭକ୍ତିରେ ତାଙ୍କର ପୂଜା କଲେ। ଏଣୁ ସାବିତ୍ରୀ ବ୍ରତର ପୂଜିତା ଦେବୀ ଅଶ୍ୱପତିଙ୍କର କନ୍ୟା ବା ସତ୍ୟବାନଙ୍କର ପତ୍ନୀ ନୁହନ୍ତି; ସେ ବେଦମାତା। ସେ ସୂର୍ଯ୍ୟମଣ୍ଡଳର ଦେବୀ, ବେଦମାତା ଗାୟତ୍ରୀଙ୍କର ଦ୍ୱିପ୍ରହରକାଳୀନ ଧ୍ୟେୟ ରୂପ। ସେଥିପାଇଁ ତାଙ୍କର ପୂଜା ମଧ୍ୟାହ୍ନ କାଳରେ ହୋଇଥାଏ। ଅଶ୍ୱପତି ତାଙ୍କୁ ହିଁ ଉପାସନା କରି, ତାଙ୍କରି ଅଂଶରେ ସାବିତ୍ରୀଙ୍କୁ କନ୍ୟା ରୂପେ ପାଇଥିଲେ। ସେହି ଦେବୀଙ୍କର ବର୍ଣ୍ଣନା କରି ‘ବ୍ରହ୍ମବୈବର୍ତ୍ତ ପୁରାଣ’ରେ କୁହାଯାଇଛି, “ସୂର୍ଯ୍ୟ ଅଧିଦେବୀ ଆଉ ମନ୍ତ୍ର ଅଧିଷ୍ଠାତ୍ରୀ/ ଏ ହେତୁ ସାବିତ୍ରୀ ନାମ ଅଟେ ବେଦକର୍ତ୍ତ୍ରୀ।”
ସାବିତ୍ରୀ ବ୍ରତର ‘ସାବିତ୍ରୀ-ସତ୍ୟବାନ’ ଉପାଖ୍ୟାନ ସମସ୍ତଙ୍କୁ ଜଣା। ସତୀତ୍ୱର ନିଷ୍ଠା ଏବଂ ବିନୟ ଓ ଦୃଢ଼ ମନୋବଳ ଦ୍ୱାରା ସାବିତ୍ରୀ ନିଜର ମୃତ ପତି ସତ୍ୟବାନଙ୍କୁ ଯମରାଜଙ୍କଠାରୁ ଫେରାଇ ଆଣିବା ସହିତ ଶତ ସନ୍ତାନର ଜନନୀ ହୋଇଥିଲେ। ଶ୍ୱଶୁର ଦ୍ୟୁମତ୍ସେନଙ୍କୁ ମଧ୍ୟ ଅନ୍ଧତ୍ୱରୁ ମୁକ୍ତ କରି ହୃତ ରାଜ୍ୟ ପ୍ରାପ୍ତ କରାଇ ପାରିଥିଲେ।
ଏହି ବ୍ରତକଥାର ସାବିତ୍ରୀ କିନ୍ତୁ ସାବିତ୍ରୀ ବ୍ରତର ଉପାସ୍ୟା ନୁହନ୍ତି; ସାବିତ୍ରୀବ୍ରତର ଉପାସ୍ୟା ହେଉଛନ୍ତି ଦେବୀ ସାବିତ୍ରୀ। ସାବିତ୍ରୀ ଅମାବାସ୍ୟାରେ ତାଙ୍କୁ ହିଁ ସ୍ୱାମୀଙ୍କର ଦୀର୍ଘଜୀବନ ଓ ସୌଭାଗ୍ୟପାଇଁ ପୂଜା କରାଯାଏ। ଏଣୁ ଏହି ବ୍ରତକଥାର ଦୁଇ ସାବିତ୍ରୀଙ୍କ ମଧ୍ୟରୁ ଜଣେ ଦେବୀ ଓ ଆଉଜଣେ ମାନବୀ।