ଉଗ୍ରା, ଉଗ୍ରଗନ୍ଧା, ଷଡ଼ଗ୍ରନ୍ଥା, ଶତପର୍ବିକା, କ୍ଷୁଦ୍ରପତ୍ରୀ, ମାଙ୍ଗଲ୍ୟା, ଗୋଲୋମି, ଜାତିଲା, ଲୋମଶା ପରି ସଂସ୍କୃତରେ ବଚର ଆହୁରି ଅନେକ ନାଁ ରହିଛି। ବଚର ବୁଦା ବେଶୀ ବଡ଼ ହୁଏ ନାହିଁ। ଏହା ମଣିପୁର, ଆସାମରେ ଅଧିକ ମାତ୍ରାରେ ଦେଖିବାକୁ ମିଳେ। ଫଫସା ତଥା ସନ୍ତସନ୍ତିଆ ଜାଗାରେ ଏହା ଭଲ ବଢ଼େ। ଏହି ଗଛର ମୂଳ ବା କନ୍ଦ ବେଶୀ ମୋଟା ନୁହେଁ। ଏହାର ପତ୍ରର ଲମ୍ବ ୦.୯ ମିଟରରୁ ଆରମ୍ଭ କରି ୧.୮ମିଟର ପର୍ଯ୍ୟନ୍ତ ହୋଇଥାଏ। ଇଂରାଜିରେ ଏହି ଗଛଟି ସୁଇଟ୍‌ ଫ୍ଲାଗ୍‌, କାଲାମସ୍‌ ରୁଟ୍‌ ନାଁରେ ପରିଚିତ। ବଚ ତୀବ୍ର ଗନ୍ଧଯୁକ୍ତ ହୋଇଥିବାରୁ ଏହାକୁ ଉଗ୍ରଗନ୍ଧା କୁହାଯାଏ। ଏହା ମାନସିକ ବିକାର, ପେଟ ସଫା ରଖିବା, ଉନ୍ମାଦ ଏବଂ ବାତ ଆଦି ଦୂର କରିବା ପାଇଁ ଔଷଧ ଭାବେ ବିବେଚିତ ହୋଇଥାଏ। ଏହା ଥଣ୍ଡା ଏବଂ କଫ ରୋଗକୁ ଦୂର କରିଥାଏ। ଏହା ଶରୀରରେ ଉଷ୍ମତା ସୃଷ୍ଟି କରିଥାଏ। ଦେହରେ ଜ୍ୱରଥିଲେ, କମ୍ପ ଆସୁଥିଲେ ତାହାର ଉପଚାର କରେ। ପକ୍ଷାଘାତରେ ପୀଡ଼ିତ ଅଙ୍ଗରେ ଏହାର ଲେପ ଦିଆ ଯାଇଥାଏ। ଏହା ମୂତ୍ର ସୃଷ୍ଟି କରୁଥିବାରୁ ପଥରୀ ରୋଗ ଆରୋଗ୍ୟରେ ଲାଭପ୍ରଦ ହୋଇଥାଏ। ବଚ ସ୍ମୃତି ଶକ୍ତି ବୃଦ୍ଧି କରେ, କଣ୍ଠକୁ ସଫା ରଖେ। ଶରୀରରୁ ବିଜାତୀୟ ପଦାର୍ଥକୁ ଏହା ବାହାରକୁ ବାହାର କରିଦିଏ। ଗାୟକମାନଙ୍କ କଣ୍ଠ ପଡ଼ିଗଲେ ବଚ ଖାଇ ସେମାନେ କଣ୍ଠକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ପ୍ରଯତ୍ନ କରିଥା’ନ୍ତି। ଏହାର ସେବନ ଦ୍ୱାରା କୃମିରୋଗରୁ ରକ୍ଷା ମିଳିଥାଏ। ଆୟୁର୍ବେଦରେ ଏହାର ଆନ୍ତରିକ ପ୍ରୟୋଗ ପାଇଁ ପ୍ରଥମେ ବଚକୁ ଅଦାରସ କିମ୍ବା ଦୁଗ୍‌ଧରେ ସିଝାଇ ତାକୁ ଶୋଧ କରାଯାଇଥାଏ। ଏହି ଗଛଟିର ଆଉ କିଛି ଉପକାରିତା ଏବେ ଜାଣନ୍ତୁ।
-ବଚକୁ ସ୍ୱଳ୍ପ ମାତ୍ରରେ ସେବନ କରିବା ଦ୍ୱାରା ଏହା ପାଚକର କାର୍ଯ୍ୟ କରିଥାଏ, ଅର୍ଥାତ୍‌ ହଜମ କାରକ ହୋଇଥାଏ, ମାତ୍ର ଅଧିକ ନେବା ଦ୍ୱାରା ଏହା ବାନ୍ତି କରାଇ ଦେଇଥାଏ। ବିଭିନ୍ନ ପ୍ରକାର ପେଟରୋଗରେ ଏହାକୁ ପ୍ରୟୋଗ କରାଯାଇଥାଏ। ବିଶେଷକରି ବାୟୁରୋଗ ପାଇଁ ନାଭି ଉପରେ ଏହାର ପ୍ରଲେପ ଦେବା ଦ୍ୱାରା ରୋଗର ଉପଶମ ହୋଇଥାଏ।
-ମାନିସକ ବିକାର ଦୂର ପାଇଁ ବ୍ରାହ୍ମୀ, ମଣ୍ଡୁକପର୍ଣ୍ଣୀ ଏବଂ ଶଙ୍ଖପୁଷ୍ପୀ ସହ ବଚର ପ୍ରୟୋଗ କରାଯାଇଥାଏ। ଛାତିରେ କଫ ଜମା ହୋଇଥିଲେ ମୁଲେଠି, ଅରୁସା ଏବଂ ତୁଳସୀ ସହିତ ଏହାର ପ୍ରୟୋଗ କରାଯାଇଥାଏ।
-ବଚର ଚୂର୍ଣ୍ଣ ୫ରତି ନେଇ ହାଲ୍‌କା ଉଷୁମ କ୍ଷୀର ସହ ସେବନ କରିବା ଦ୍ୱାରା ଛାତିରୁ କଫ ବାହାରି ଯାଇଥାଏ।
-କ୍ଷୀର କିମ୍ବା ଘିଅ ସହ ଏହାର ଚୂର୍ଣ୍ଣକୁ ଖାଇବା ଦ୍ୱାରା ମସ୍ତିଷ୍କ ଉପରେ ସୁପ୍ରଭାବ ପକାଇଥାଏ। ଏହା ସ୍ମୃତିଶକ୍ତି ବୃଦ୍ଧି କରେ। ସ୍ମୃତିଶକ୍ତି ବୃଦ୍ଧି ପାଇଁ ଏହି ଗଛର କନ୍ଦର ଚୂର୍ଣ୍ଣକୁ ଦିନକୁ ଦୁଇଥର ମହୁ ସହ ସେବନ କରିବାକୁ ପଡ଼ିଥାଏ।
-ଉନ୍ମାଦ ପୀଡ଼ିତ ବ୍ୟକ୍ତି ଏହାର ଚୂର୍ଣ୍ଣ ୫ରୁ ୧୦ ରତି ନେଇ ମହୁ ସହ ଚାଟି ଖାଇବା ଦ୍ୱାରା ଏହି ରୋଗର ଉପଶମ ଘଟେ।
-ବାନ୍ତି କରାଇବା ପାଇଁ ୬୨୫ ମି.ଗ୍ରା.ରୁ ଆରମ୍ଭ କରି ଦୁଇଗ୍ରାମ୍‌ ପର୍ଯ୍ୟନ୍ତ ଏହାର ଚୂର୍ଣ୍ଣ ବ୍ୟବହାର କରାଯାଇଥାଏ।
-ବଚର ଚୂର୍ଣ୍ଣକୁ ପାଣିରେ ଭଲ ଭାବେ ଘୋଟି ଜ୍ୱର ପୀଡ଼ିତ ବ୍ୟକ୍ତିର ମଥାରେ ପ୍ରଲେପ ଦେବା ଦ୍ୱାରା ଜ୍ୱରରୁ ଉପଶମ ମିଳିଥାଏ।
-ଜଟିଳ ପ୍ରସବ ସମୟରେ ବଚ ସହ ଗୋଲମରିଚ ଗଛର ମୂଳ ଏବଂ କେଶରକୁ ମିଶାଇ ସେବନ ପାଇଁ ଦିଆଯାଇଥାଏ। ଯନ୍ତ୍ରଣାପ୍ରଦ ମାସିକ ସ୍ରାବ ସମୟରେ ଏହାର ମଧ୍ୟ ଉପଯୋଗ କରାଯାଇଥାଏ।
ସାବଧାନତା
ବଚର ବ୍ୟବହାରରେ କେତେକ ସତର୍କତା ଅବଲମ୍ବନ କରିବା ଜରୁରୀ। ଆମେ ଜାଣି ରଖିବା ଦରକାର ବଚ ସ୍ୱଭାବରେ ଉଷ୍ମ। ଶିଶୁ ଗର୍ଭରେ ଥିବା ବେଳେ କିମ୍ବା ସ୍ତନ୍ୟପାନ କରାଉଥିବା ସମୟରେ ଏହାର ସେବନ କରିବା ଅନୁଚିତ। ମାତ୍ରାଧିକ ସେବନ ଦ୍ୱାରା ଏହା ବାନ୍ତି କରାଇବା, ମୁଣ୍ଡ ବିନ୍ଧିବା ତଥା ପିତ୍ତ ବୃଦ୍ଧି କରାଇଥାଏ। ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଏହା ସେବନ ନ କରିବା ଭଲ। ମାସିକ ଋତୁସ୍ରାବରେ ଅନିୟମିତତା, ଅର୍ଶ, ପେଟରେ ଘା’ ଆଦି ସମସ୍ୟା ଥିଲେ ବଚ ସେବନ କରିବା ଅନୁଚିତ। ପିତ୍ତ ପ୍ରକୃତିର ବ୍ୟକ୍ତି ଏହାର ସେବନ ନ କରିବା ଭଲ। ଦୀର୍ଘଦିନ ପାଇଁ ଏହାର ଲଗାତର ସେବନ କରନ୍ତୁ ନାହିଁ। ବଚ ସେବନ କରିବା ଦ୍ୱାରା କୌଣସି ଦୁଷ୍ପ୍ରଭାବ ପଡ଼ିଥିଲେ ତାକୁ ଏଡ଼ାଇବା ପାଇଁ ତୁରନ୍ତ ଲେମ୍ବୁ ପାଣି ପିଅନ୍ତୁ।