ଉପକାରୀ ବଥୁଆ ଶାଗ, ଦୂର ହୋଇଥାଏ ଅନେକ ରୋଗ

ବଥୁଆ ଶାଗର ଅନେକ ଉପକାରିତା ରହିଛି। ପ୍ରତିଦିନ ଏହି ଶାଗ ଖାଇବା ଦ୍ୱାରା ପଥରୀ ରୋଗରୁ ରକ୍ଷା ମିଳିଥାଏ। ଏହା ଆମାଶୟକୁ ଶକ୍ତି ପ୍ରଦାନ କରେ। ଏହି ଶାଗର ପ୍ରକୃତି ହେଉଛି ଥଣ୍ଡା। ଏହି ଶାଗ ବିଶେଷକରି ଗହମ କ୍ଷେତରେ ଅଧିକ ମାତ୍ରାରେ ହୋଇଥାଏ। ବଥୁଆ ଶାଗରେ ଲୌହ, ସ୍ୱର୍ଣ୍ଣ ଏବଂ କ୍ଷାର ଆଦି ତତ୍ତ୍ୱ ପୂରି ରହିଛି। ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ ଏହି ଶାଗ ନିୟମିତ ଖାଇବା ଦରକାର। ତେବେ ଏହି ଶାଗରେ ବେଶୀ ମସଲା ପକାଇବା ଉଚିତ ନୁହେଁ। କାରଣ ଏଥିରେ ତାହାର ଦ୍ରବ୍ୟଗୁଣ ନଷ୍ଟ ହୋଇଥାଏ। ଏଥିରେ ଲୁଣ ନ ପକାଇଲେ ଭଲ। ସ୍ୱାଦ ପାଇଁ ଯଦି ଲୁଣ ଚାହୁଁଥାନ୍ତି ତେବେ ସୈନ୍ଧବ ଲବଣ ପକାଇ ପାରନ୍ତି। ଘିଅ ଛୁଙ୍କ କରି ପାରନ୍ତି। ଏହି ଶାଗ ସିଝା ଯାଇଥିବା ପାଣି ଶରୀର ପାଇଁ ହିତକର। ବଥୁଆରେ ଦହି ପକାଇ ପ୍ରସ୍ତୁତ ହୋଇଥିବା ରାଇତା ବେଶ୍‌ ସ୍ୱାଦିଷ୍ଟ ହୋଇଥାଏ। ଯେମିତି ବି ହେଉ ବଥୁଆ ଶାଗ ନିୟମିତ ଖାଇବା ଭଲ। ଏହା ମଧ୍ୟ ଶୁକ୍ରବର୍ଦ୍ଧକ। ଏବେ ଜାଣନ୍ତୁ ଏହି ଶାଗର ଆଉ କିଛି ଗୁଣ…

-ବଥୁଆ ଆମାଶୟକୁ ଶକ୍ତି ପ୍ରଦାନ କରିଥାଏ। କିଛି ସପ୍ତାହ ଧରି ନିୟମିତ ବଥୁଆ ଶାଗ ଖାଇଲେ କୋଷ୍ଠକାଠିନ୍ୟ ଦୂର ହୋଇଥାଏ। ପେଟ ସଫା ରହେ। ଶରୀରରେ ସର୍ବଦା ଶକ୍ତି ଏବଂ ସ୍ଫୂର୍ତ୍ତି ଭରି ରହେ।

-ବଥୁଆ ଶାଗ ସବୁ ଋତୁରେ ମିଳେ ନାହିଁ। ତେବେ ଯେଉଁ ସମୟରେ ଏହା ମିଳିଥାଏ ନିୟମିତ ଏହାର ରସ କିମ୍ବା ସିଝା ଯାଇଥିବା ପାଣି ପିଅନ୍ତୁ। ଏହା ପେଟର ବିଭିନ୍ନ ରୋଗକୁ ଆରୋଗ୍ୟ କରିଥାଏ। ଅଜୀର୍ଣ୍ଣ, କୃମି, ବାୟୁରୋଗ ଆଦିକୁ ଦୂର କରେ।

-ପଥରୀରେ ପୀଡ଼ିତ ବ୍ୟକ୍ତି ନିୟମିତ ଏକ ଗ୍ଲାସ୍‌ ବଥୁଆ ରସରେ ଚିନି ମିଶାଇ ପିଇବା ଦ୍ୱାରା ପଥରୀ ଖଣ୍ଡ ଖଣ୍ଡ ହେଇ ବାହାରି ଯାଏ। ମୁଣ୍ଡରେ ନିଖ ହେଉଥିଲେ ବଥୁଆକୁ ସିଝାଇ ତା’ର ପାଣିରେ ମୁଣ୍ଡ ଧୋଇବା ଦ୍ୱାରା ନିଖ ମରିଯାଏ। କେଶ ମଧ୍ୟ ସଫା ହେଇଯାଏ।

-ମହିଳାଙ୍କ ମାସିକଧର୍ମରେ ଅନିୟମିତତା ଦେଖାଦେଲେ ଦୁଇ ଚାମଚ ବଥୁଆ ମଞ୍ଜି ନେଇ ସେଥିରେ ଗୋଟିଏ ଗ୍ଲାସ୍‌ ପାଣି ଦେଇ ତାକୁ ଭଲ ଭାବେ ଫୁଟାନ୍ତୁ। ପାଣି ମରି ମରି ଅଧଗ୍ଳାସ୍‌ ରହିଲେ ତାକୁ ଛାଣି ପିଇବାକୁ ଦିଅନ୍ତୁ। ଏହି ସମସ୍ୟା ଦୂର ହେଇଯିବ। ଆଖି ଲାଲ୍‌ ପଡୁଥିଲେ ବା ଦରଜ ରହୁଥିଲେ ପ୍ରତିଦିନ ବଥୁଆ ଶାଗ ଖାଆନ୍ତୁ।

-ଅଧକିଲୋ ବଥୁଆରେ ତିନି ଗ୍ଲାସ୍‌ ପାଣି ମିଶାଇ ସିଝାନ୍ତୁ। ଏହାପରେ ପାଣି ଛାଣି ଦିଅନ୍ତୁ। ଏହି ପାଣିରେ ବଥୁଆକୁ ଭଲ ଭାବେ ଚିପୁଡ଼ି ତା’ର ପାଣିକୁ ମିଶାଇ ଦିଅନ୍ତୁ। ଏହାକୁ ସ୍ୱାଦୁକର କରିବା ପାଇଁ ଲେମ୍ବୁ, ଜିରା, ସାମାନ୍ୟ ଗୋଲ ମରିଚ ଏବଂ ସୈନ୍ଧବ ଲବଣ ମିଶାଇ ପାରନ୍ତି। ଏହାକୁ ଦିନରେ ତିନି ଥର ପିଇବା ଦ୍ୱାରା ପରିସ୍ରାରେ ଜ୍ୱଳନ ଏବଂ ଅନ୍ୟାନ୍ୟ ପରିସ୍ରାଜନିତ ସମସ୍ୟା ଦୂର ହୁଏ। ବାୟୁବିକାର ଆରୋଗ୍ୟ ହୁଏ। ଖାଦ୍ୟ ହଜମ ହୁଏ। ପେଟ ହାଲ୍‌କା ରହେ। ସିଝା ଶାଗକୁ ଦହି ମିଶାଇ ଖାଆନ୍ତୁ।

-ପରିସ୍ରା ରହି ରହି ହେଉଥିଲେ ବଥୁଆ ରସ ପିଇଲେ ଭଲ ହେଇଯାଏ।

-ଦୈନିକ ଗୋଟିଏ କପ୍‌ ବଥୁଆ ରସ ପିଇଲେ ପେଟରୁ କୃମି ମରିଯାଆନ୍ତି। ଗୋଟିଏ ଚାମଚ ବଥୁଆମଞ୍ଜିର ଗୁଣ୍ଡରେ ମହୁ ମିଶାଇ ଚାଟି ଖାଇବା ଦ୍ୱାରା ମଧ୍ୟ କୃମି ମରି ଯାଆନ୍ତି ଏବଂ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।

-ଧଳା ଦାଗ, କୁଣ୍ଡିଆ ଆଦି ଚର୍ମରୋଗ ହେଉଥିଲେ ପ୍ରତିଦିନ ବଥୁଆ ଶାଗକୁ ସିଝାଇ ତାକୁ ଚିପୁଡ଼ି ରସ ପିଅନ୍ତୁ। ସିଝା ଯାଇଥିବା ପାଣିକୁ ନ ଫିଙ୍ଗି ସେଥିରେ ତ୍ୱଚାକୁ ଧୋଇ ଦିଅନ୍ତୁ। ଆହୁରି ମଧ୍ୟ ବଥୁଆର କଞ୍ଚାପତ୍ରକୁ ଛେଚି ସେଥିରୁ ରସ ବାହାର କରନ୍ତୁ। ଦୁଇକପ୍‌ ରସରେ ଅଧକପ୍‌ ରାଶି ତେଲ ମିଶାଇ ତାକୁ ଧୀରେ ଧୀରେ ନିଆଁ ଜାଳି ଗରମ କରନ୍ତୁ। ରସ ମରି ତେଲ ରହିଗଲେ ତାକୁ ଛାଣି ଏକ ଶିଶିରେ ରଖନ୍ତୁ। ଏହାକୁ ନିୟମିତ ଲଗାଇଲେ ଚର୍ମରୋଗ ଭଲ ହୁଏ।

-ବଥ, ବାରମୂଳିଆ ଆଦିକୁ ବସାଇବା କିମ୍ବା ଫଟାଇବା ପାଇଁ ମଧ୍ୟ ବଥୁଆ ଶାଗକୁ ବ୍ୟବହାର କରାଯାଇଥାଏ।

ସମ୍ବନ୍ଧିତ ଖବର