ମିନିମାଲ ଇନ୍ଭାସିଭ୍ ବା କି ହୋଲ୍ ହାର୍ଟ ଅପରେସନ୍ କ’ଣ?
ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି ଯୋଗୁ ବର୍ତ୍ତମାନ ଛାତିର ମଝି ହାଡ଼କୁ କଟା ନ ଯାଇ ଛାତିର ଡାହାଣ ବା ବାମ ପାର୍ଶ୍ବରେ ଏକ କ୍ଷୁଦ୍ର ଛିଦ୍ର ମାଧ୍ୟମରେ ଓପନ୍ ହାର୍ଟ ଅସ୍ତ୍ରୋପଚାର କରାଯାଇପାରୁଛି। ଏହାକୁ ମିନିମାଲ୍ ଇନ୍ଭାସିଭ୍ ବା କି ହୋଲ୍ ହାର୍ଟ ଅପରେସନ୍ କୁହାଯାଏ।
କେଉଁ କେଉଁ ଧରଣର ଓପନ୍ହାର୍ଟ ଅପରେସନ୍ ମିନିମାଲ ଇନ୍ଭାସିଭ୍ ବା କି ହେଲେ ପଦ୍ଧତିରେ କରାଯାଇପାରିବ?
ପ୍ରାୟତଃ ପ୍ରତ୍ୟେକ ଧରଣର ଓପନ୍ ହାର୍ଟ ଅପରେସନ୍ ଏହି ପଦ୍ଧତିରେ କରାଯାଇପାରିବ। ବିଶେଷଭାବେ ହାର୍ଟ ହୋଲ୍ ଅପରେସନ୍, ମାଇଟ୍ରାଲ ଭାଲ୍ଭ ପ୍ରତିରୋପଣ ଆଓର୍ଟିକ୍-ଭାଲ୍ଭ ପ୍ରତିରୋପଣ ଓ କେତେକ ବାଇପାସ୍ ଅପରେସନ୍ ଏହି ପଦ୍ଧତିରେ ହୋଇପାରିବ।
ସାଧାରଣ ଓପନ୍ ହାର୍ଟ ଅପରେସନ୍ ଓ ମିନିମାଲ ଇନ୍ଭାସିଭ୍ ହାର୍ଟ ଅପରେସନ୍ ମଧ୍ୟରେ ପାର୍ଥକ୍ୟ କ’ଣ?
ଓପନ୍ହାର୍ଟ ଅପରେସନ୍ରେ ଛାତିର ମଝି ହାଡ଼କୁ କାଟି ଆମେ ହାର୍ଟ ବା ହୃଦୟ ପର୍ଯ୍ୟନ୍ତ ପହଞ୍ଚିଥାଉ। କିନ୍ତୁ ମିନିମାଲ ଇନ୍ଭାସିଭ୍ ପଦ୍ଧତିରେ ଛାତିର ହାଡାଣ ବା ବାମ ପାର୍ଶ୍ବରେ ଏକ ଅତି ଛୋଟ ଛିଦ୍ର ମାଧ୍ୟମରେ ହାର୍ଟ ଅପରେସନ୍ କରାଯାଇଥାଏ। ଏହା ବ୍ୟତୀତ ମୁଖ୍ୟ ଅପରେସନ୍ରେ କୌଣସି ପାର୍ଥକ୍ୟ ନ ଥାଏ। ମୁଖ୍ୟ ଅପରେସନ୍ ପାରମ୍ପରିକ। ମିନିମାଲ୍ ଇନ୍ଭାସିଭ୍ ପଦ୍ଧତିରେ କେବଳ ଏକ ଅତି ଛୋଟ ଛିଦ୍ର ମାଧ୍ୟମରେ ଅପରେସନ୍ କରାଯାଇଥାଏ।
ଏହି ଅପରେସନର ସୁବିଧାଗୁଡ଼ିକ କ’ଣ?
ମିନିମାଲ ଇନ୍ଭାସିଭ ବା କି ହୋଲ ପଦ୍ଧତିରେ ହାର୍ଟ ହୋଲ୍ ଅପରେସନ୍, ହାର୍ଟ ଭାଲ୍ ଅପରେସନ, ବାଇପାସ୍ ଅପରେସନ୍ ଆଦି ଓପନ୍ ହାର୍ଟ ଅପରେସନ୍ ଛାତିର ଡାହାଣ ବା ବାମ ପାର୍ଶ୍ବରେ ଏକ ଅତି କ୍ଷୁଦ୍ର ଛିଦ୍ର ମାଧ୍ୟମରେ ହୋଇଥାଏ। ଫଳରେ ରୋଗୀ ଅଧିକ ଯନ୍ତ୍ରଣା ହୋଇନଥାଏ। କ୍ଷତ ଅତି କ୍ଷୁଦ୍ର ହୋଇଥିବାରୁ ଏହା ଶୀଘ୍ର ଶୁଖି ଯାଏ। ଏଥିରେ ଇନ୍ଫେକ୍ସନ୍ ବା ସଂକ୍ରମଣ ହେବାର ଆଶଙ୍କା କମ୍। ରୋଗୀ ଅଳ୍ପଦିନରେ ସୁସ୍ଥ ହୋଇ ଘରକୁ ଫେରିଆସେ। ମହିଳା ଏବଂ ଝିଅମାନଙ୍କ କ୍ଷେତ୍ରରେ ଏହାର ବିଶେଷ ମହତ୍ତ୍ବ ରହିଛି। ଏଥିରେ ଅପରେସନ୍ର ଦାଗ ପ୍ରାୟ ରହି ନଥାଏ।
ମିନିମାଲ ଇନ୍ଭାସିଭ ହାର୍ଟ ଅପରେସନ୍ କ’ଣ ସାଧାରଣ ଓପନ ହାର୍ଟ ଅପରେସନ୍ ତୁଳନାରେ ଅଧିକ ବ୍ୟୟବହୁଳ?
ଉଭୟ ଅପରେସନ୍ର ଖର୍ଚ୍ଚ ପ୍ରାୟ ସମାନ। ସ୍ଥଳ ବିଶେଷରେ ଯେହେତୁ ଏହି ପଦ୍ଧତିରେ ଅତି କ୍ଷୁଦ୍ର ମାଧ୍ୟମରେ ଅପରେସନ୍ ହୋଇଥାଏ ଓ ରୋଗୀ କମ୍ ଦିନ ହସ୍ପିଟାଲରେ ରହିବାକୁ ପଡ଼ିଥାଏ, ତେଣୁ ଖର୍ଚ୍ଚର ପରିମାଣ ଓପନ୍ ହାର୍ଟ ଅପରେସନ୍ ଅପେକ୍ଷା କମ୍ ହୋଇଥାଏ।
କି ହୋଲ ଅପରେସନ୍ରେ କିଛି ବିଶେଷ ଧରଣର ଡାକ୍ତରୀ ସରଞ୍ଜାମ ଆବଶ୍ୟକ ହୋଇଥାଏ କି?
ହଁ, କେତେକ କ୍ଷେତ୍ରରେ କିଛି ବିଶେଷ ଧରଣର ଯନ୍ତ୍ରପାତି ଆବଶ୍ୟକ ହୋଇଥାଏ। ନଚେତ୍ ଓପନ୍ ହାର୍ଟ ଅପରେସନ୍ରେ ବ୍ୟବହାର ହେଉଥିବା ଯନ୍ତ୍ରପାତିରେ ଏହା ସୂଚାରୁ ରୂପେ ହୋଇପାରେ।
ଆମ ରାଜ୍ୟରେ କେଉଁ ହସ୍ପିଟାଲରେ ଏହି ଅପରେସନ୍ର ସୁବିଧା ଉପଲବ୍ଧ।
ଭୁବନେଶ୍ବର ଆମ୍ରି ହସ୍ ପିଟାଲରେ ଏହି ଧରଣର ଅପରେସନ୍ର ସୁବିଧା ରହିଛି। ବର୍ତ୍ତମାନ ସୁଦ୍ଧା ଅନେକ ହୃଦ୍ରୋଗୀ ମିନିମାଲ୍ ଇନ୍ଭାସିଭ୍ ପଦ୍ଧତିରେ ଓପନ୍ ହାର୍ଟ ଅପରେସନ୍ କରାଇ ସାରିଲେଣି।
ଡାକ୍ତର ବିଶ୍ବଜିତ ମହାପାତ୍ର
ଏମ୍ବିବିଏସ୍, ଏମ୍ଏସ୍, ଏମ୍ସିଏଚ୍ (ସିଟିଭିଏସ୍) କାର୍ଡିଓ ଥୋରାସିସ୍ ଆଣ୍ଡ ଭାସ୍କୁଲାର ସର୍ଜନ, ଆମ୍ରି ହସ୍ପିଟାଲ, ଭୁବନେଶ୍ବର