ଜଳାତଙ୍କ ରୋଗ ମନରେ ଏକ ଭୟଙ୍କର ଚିତ୍ର ଜାତ କରେ, ଯେଉଁଥିରେ ଆକ୍ରାନ୍ତ ବ୍ୟକ୍ତି ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରିଥାଏ। ଆକ୍ରାନ୍ତ ବ୍ୟକ୍ତିର ଲାଳ ପଡ଼ିବା, ଜଳକୁ ଭୟ କରିବା ଆଦି ଲକ୍ଷଣ ଦେଖାଯାଏ। ଏହି ଭୂତାଣୁଜନିତ ରୋଗର ବିଭିନ୍ନ ଦିଗ ସମ୍ପର୍କରେ ଡାକ୍ତର ଦେବବ୍ରତ ତ୍ରିପାଠୀଙ୍କ ସହ ଏହି ସଂକ୍ଷିପ୍ତ ଆଲୋଚନା।
ଜଳାତଙ୍କ ବା ‘ରେବିଜ୍’ କେବେଠାରୁ ଆରମ୍ଭ ହୋଇଛି?
ମାନବ ସମାଜ ଜଳାତଙ୍କ ରୋଗ ବିଷୟରେ ପ୍ରାଚୀନକାଳରୁ ଅବଗତ। ଏହି ରୋଗ ବିଷୟରେ ଆମ ଶାସ୍ତ୍ରମାନଙ୍କରେ ମଧ୍ୟ ଉଲ୍ଲେଖ ରହିଛି। ଇଂରେଜୀ ଶବ୍ଦ ‘ରେବିଜ୍’ର ଉତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ ‘ରବଶ’ରୁ। ଯାହାର ଅର୍ଥ ‘ହିଂସାତ୍ମକ ହେବା’। ଜଳାତଙ୍କ ବିଷୟରେ ଅଥର୍ବ ବେଦରେ ଉଲ୍ଲେଖ ଅଛି, ମୃତ୍ୟୁର ଦେବତା ଯମଙ୍କ ସହ ଦୁଇଟି କୁକୁର ବିଚରଣ କରନ୍ତି। ଯାହାକୁ ମୃତ୍ୟୁର ଦୂତ ଭାବେ ଚିତ୍ରିତ କରାଯାଇଛି।
ଜଳାତଙ୍କ ଏକ ବୈଶ୍ବିକ ସମସ୍ୟା। ଏହାକୁ ନେଇ କ’ଣ ପଦକ୍ଷେପ ନିଆଯାଉଛି?
ଏକ ଆନୁମାନିକ ହିସାବରେ ବିଶ୍ବରେ ବାର୍ଷିକ ହାରାହାରି ୫୦ ହଜାର ଜଳାତଙ୍କଜନିତ ମୃତ୍ୟୁ ଘଟୁଛି। ଏହି ମୃତ୍ୟୁସଂଖ୍ୟାର ହାରାହାରି ୩୬% ମୃତ୍ୟୁ କେବଳ ଭାରତରେ ଘଟୁଛି। ମୃତ୍ୟୁ ସଂଖ୍ୟା କମାଇବା ପାଇଁ ଡବ୍ଲ୍ୟଏଚ୍ଓ ଓ ଅନ୍ୟ ବିଶ୍ବସ୍ତରୀୟ ସଂଗଠନ ମିଶି ୨୦୦୭ ମସିହାରେ ଜଳାତଙ୍କ ନିୟନ୍ତ୍ରଣ ପାଇଁ ବୈଶ୍ୱିକ ମେଣ୍ଟ ଗଠନ କରିଥିଲେ। ଏହି ମେଣ୍ଟର ମୂଳ ଉଦ୍ଦେଶ୍ୟ ୨୦୩୦ ସୁଦ୍ଧା କୁକୁର କାମୁଡ଼ାରୁ ଜଳାତଙ୍କଜନିତ ମୃତ୍ୟୁସଂଖ୍ୟାକୁ ଶୂନ କରିବା। ସମାନ ଲକ୍ଷ୍ୟ ନେଇ ଭାରତ ସରକାର ୨୦୧୨ ମସିହାରେ ଜାତୀୟ ଜଳାତଙ୍କ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ‘ଜାତୀୟ ସ୍ବାସ୍ଥ୍ୟ ମିସନ’ ଏହାକୁ ଏବେ ଚାଲୁ ରଖିଛି।
ଏହି ସବୁ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ କ’ଣ?
ଜଳାତଙ୍କ ବିଷୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦେବା, ଟିକା ପାଇଁ ଇଣ୍ଟ୍ରାଡର୍ମାଲ୍ ଇଞ୍ଜେକ୍ସନ୍ ପଦ୍ଧତିକୁ ପ୍ରୋତ୍ସାହିତ କରିବା, ଜଳାତଙ୍କ ନିରୀକ୍ଷଣକୁ ସୁଦୃଢ଼ କରିବା ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ। କେଉଁ ପଶୁ କାମୁଡ଼ିଲେ ଏହି ରୋଗ ହୋଇପାରେ, କ’ଣ ପ୍ରାଥମିକ ଚିକିତ୍ସା କରିବା ଆବଶ୍ୟକ, ଜଳାତଙ୍କ ପ୍ରତିରୋଧ କରିବା ପାଇଁ ଉପଲବ୍ଧ ଟିକା ଓ ନିଜ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାର ଉପଲବ୍ଧତା ବିଷୟରେ ଜନସାଧାରଣଙ୍କୁ ଜଣାଇବା ଏହାର ଉଦ୍ଦେଶ୍ୟ।
ଜଳାତଙ୍କର ପ୍ରାଥମିକ ଚିକିତ୍ସା କ’ଣ?
ଯେକୌଣସି ଉଷ୍ମରକ୍ତ ପ୍ରାଣୀ ଯଥା: କୁକୁର, ବିରାଡ଼ି, ମାଙ୍କଡ଼, ବିଲୁଆ, ଗାଈ ଆଦି କାମୁଡ଼ିବା ତଥା ରାମ୍ପୁଡ଼ିବା ଦ୍ବାରା ଜଳାତଙ୍କ ହେବାର ଆଶଙ୍କା ରହିଥାଏ। ଏପରି ହେଲେ କ୍ଷତ ଜାଗାଟିକୁ ଭଲଭାବେ ପାଣିରେ ସାବୁନ ଲଗାଇ ୧୫ ମିନିଟ ପାଇଁ ଧୋଇବା ଓ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଜଳାତଙ୍କ ରୋଗର ପ୍ରତିରୋଧ ପାଇଁ ଏକମାତ୍ର ଉପାୟ ହେଉଛି ଟିକାକରଣ। ସନ୍ଦେହଜନକ ପଶୁ ସଂସ୍ପର୍ଶରେ ଆସିବା ପରେ ପୋଷ୍ଟ ଏକ୍ସପୋଜର ପ୍ରୋଫାଇଲାକ୍ସିସ୍ (ପି.ଇ.ପି) ଟିକା ନେବା ଜରୁରି। ପଶୁ ସଂସ୍ପର୍ଶରେ ଆସିବା ପୂର୍ବରୁ ମଧ୍ୟ ପ୍ରି-ଏକ୍ସପୋଜର ପ୍ରୋଫାଇଲାକ୍ସିସ୍ (ପି.ଆର.ଇ.ପି) ଟିକା ନେଇ ହେବ। ଯେଉଁମାନେ ଅଧିକାଂଶ ସମୟ ପଶୁମାନଙ୍କ ସଂସ୍ପର୍ଶରେ ଆସନ୍ତି, ସେମାନେ ପି.ଆର୍.ଇ.ପି ନେଇ ନିଜକୁ ଅଧିକ ସୁରକ୍ଷିତ କରିପାରିବେ।
ଏହାର ମୂଳୋତ୍ପାଟନ କିଭଳି କରାଯାଇପାରିବ?
ଜଳାତଙ୍କ କେବଳ ମାନବ ସମାଜ ପାଇଁ ସମସ୍ୟା ନୁହେଁ, ଏହା ପ୍ରାଣୀ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏକ ବଡ଼ ସମସ୍ୟା। ୯୯% ଜଳାତଙ୍କ କୁକୁର ଯୋଗୁଁ ହୋଇଥାଏ। ତେଣୁ କୁକୁରମାନଙ୍କର ଟିକାକରଣ ହିଁ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ।
ଟିକାକରଣ ହିଁ ଜଳାତଙ୍କ ସହ ଲଢ଼ିବାର ବ୍ରହ୍ମାସ୍ତ୍ର
ଜଳାତଙ୍କ ରୋଗ ମନରେ ଏକ ଭୟଙ୍କର ଚିତ୍ର ଜାତ କରେ, ଯେଉଁଥିରେ ଆକ୍ରାନ୍ତ ବ୍ୟକ୍ତି ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରିଥାଏ। ଆକ୍ରାନ୍ତ ବ୍ୟକ୍ତିର ଲାଳ ପଡ଼ିବା, ଜଳକୁ ଭୟ କରିବା ଆଦି ଲକ୍ଷଣ ଦେଖାଯାଏ।
/sambad/media/media_files/APLDnKq4hWwoFsDvFM3J.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)