ଏକ ସପ୍ତାହବ୍ୟାପୀ ଭାଲେଣ୍ଟାଇନ୍ ଉତ୍ସବର ଶେଷ ତଥା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିବସ ହେଉଛି ଭାଲେଣ୍ଟାଇନ୍ସ ଡେ’। ପ୍ରେମୀଯୁଗଳ ପରସ୍ପରଙ୍କ ପ୍ରତି ସ୍ନେହ ଓ ଭଲପାଇବା ପ୍ରକାଶ କରିବାର ଦିବସ ଭାବେ ଏହା ପ୍ରାୟ ସବୁ ଦେଶରେ ପାଳିତ ହେଉଛି। ପ୍ରେମୀଯୁଗଳ ପରସ୍ପରଙ୍କୁ ଗ୍ରିଟିଙ୍ଗ୍ସ କାର୍ଡ ଓ ଉପହାର ଦେଇ ଏହି ଦିବସ ପାଳନ କରିଥାନ୍ତି। ଭାଲେଣ୍ଟାଇନ୍ ନାମକ ସହିଦ ଖ୍ରୀଷ୍ଟିଆନ୍ ସନ୍ଥଙ୍କ ସମ୍ମାନାର୍ଥେ ପାଶ୍ଚାତ୍ୟରେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। କ୍ରମେ ବିଭିନ୍ନ କିଂବଦନ୍ତି ମାଧ୍ୟମରେ ଏହାର ସାଂସ୍କୃତିକ, ଧାର୍ମିକ ଓ ବ୍ୟାବସାୟିକ ଗୁରୁତ୍ବ ବୃଦ୍ଧି ପାଇଥିଲା।
ସନ୍ଥ ଭାଲେଣ୍ଟାଇନ୍ଙ୍କୁ ନେଇ ଅନେକ କାହାଣୀ ରହିଛି। ଗୋଟିଏ କାହାଣୀ ଅନୁସାରେ ତୃତୀୟ ଶତାବ୍ଦୀରେ ରୋମ ସମ୍ରାଟ୍ ଖ୍ରୀଷ୍ଟିଆନ୍ ସୈନିକଙ୍କ ବିବାହ ନିଷେଧ କରିଦେଇଥିବା ବେଳେ ଏହାକୁ ଅବମାନନା କରି ଭାଲେଣ୍ଟାଇନ୍ ସେମାନଙ୍କର ବିବାହ କରାଉଥିବାରୁ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ବନ୍ଦୀ ଥିବା ସମୟରେ ସେ ଜେଲର୍ଙ୍କ ଦୃଷ୍ଟିହୀନ କନ୍ୟାଙ୍କ ଦୃଷ୍ଟିଶକ୍ତି ଫେରାଇ ଦେଇଥିଲେ ଓ ସେମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ଭାଲେଣ୍ଟାଇନ୍ ମୃତ୍ୟୁ ଦଣ୍ଡ ପାଇବା ପୂର୍ବରୁ ଜେଲର୍ଙ୍କ କନ୍ୟାକୁ ଏକ ବିଦାୟକାଳୀନ ଚିଠି ପଠାଇଥିଲେ ଯାହାର ଶେଷରେ ଲେଖା ଥିଲା- ‘ଫ୍ରମ୍ ୟର୍ ଭାଲେଣ୍ଟାଇନ୍’। ଚତୁର୍ଦ୍ଦଶ ଶତାବ୍ଦୀରେ ଯାଇ ଏହି ଦିବସଟିକୁ ପ୍ରେମର ପର୍ବ ଭାବେ ପାଳନ କରାଯିବା ଆରମ୍ଭ ହୋଇଥିଲା।
ସପ୍ତାଦଶ ଶତାବ୍ଦୀ ବେଳକୁ ଆମେରିକାରେ ବ୍ୟାବସାୟିକ ଭାଲେଣ୍ଟାଇନ୍ କାର୍ଡ ବିକ୍ରି ଆରମ୍ଭ ହୋଇଥିଲେ। ୧୯୯୨ ପରେ ପରେ ବିଭିନ୍ନ ଟିଭି କାର୍ଯ୍ୟକ୍ରମ ତଥା ଅର୍ଥନୈତିକ ଉଦାରୀକରଣ ଯୋଗୁଁ ଭାରତୀୟମାନେ ଏହି ଦିବସ ସମ୍ପର୍କରେ ଜାଣିଲେ ଓ ପାଳନ କଲେ। ତେବେ ଭାରତର ଉଭୟ ବାମପନ୍ଥୀ ଓ ଦକ୍ଷିଣପନ୍ଥୀମାନେ ଭିନ୍ନ ଭିନ୍ନ କାରଣରୁ ଏହାକୁ ବିରୋଧ କରିଥାନ୍ତି। ଏହା ସତ୍ତ୍ବେ ଯୁବପିଢ଼ି ମଧ୍ୟରେ ଏହାର ଆଦୃତି ବୃଦ୍ଧି ପାଇବାରେ ଲାଗିଛି।