ବରାହ ଦ୍ୱାଦଶୀ: ସମୁଦ୍ରରେ ଦୈତ୍ୟ ହିରଣାକ୍ଷ ଲୁଚାଇଥିବା ପୃଥିବୀକୁ ଉଦ୍ଧାର କରିଥିଲେ ବିଷ୍ଣୁ

ମତ୍ସ୍ୟଅବତାର ଓ କୂର୍ମଅବତାର ପରେ, ଭଗବାନ ବିଷ୍ଣୁଙ୍କର ତୃତୀୟ ଅବତାର ହେଉଛନ୍ତି ବରାହ। ଏହା ଭଗବାନଙ୍କର ଏକ ସୁନ୍ଦର ଅବତାର। ମହାପ୍ରତାପୀ ଅସୁର ହିରଣ୍ୟାକ୍ଷ ସ୍ୱର୍ଗପୁରୀକୁ ଧ୍ୱସ୍ତବିଧ୍ୱସ୍ତ କରି, ଦେବତାମାନଙ୍କୁ ସ୍ୱର୍ଗରାଜ୍ୟରୁ ବିତାଡ଼ିତ କଲା ଏବଂ ପୃଥିବୀକୁ ନେଇ ସମୁଦ୍ର ମଧ୍ୟରେ ଲୁଚାଇ ରଖିଲା। ଫଳରେ ସୃଷ୍ଟିରେ ମହା ଅନର୍ଥ ଦେଖାଦେଲା। ଏହା ଅନୁଭବ କରି ବ୍ରହ୍ମା ବିଷ୍ଣୁଙ୍କୁ ସ୍ମରଣ କରିବାରେ ଲାଗିଲେ। ସେ ବିଷ୍ଣୁଙ୍କର ପଦପଙ୍କଜ ସ୍ମରଣ କଲାମାତ୍ରେ ତାଙ୍କର ନାସାରନ୍ଧ୍ର ମଧ୍ୟରୁ ଏକ ବରାହ ଶିଶୁ ସୃଷ୍ଟି ହୋଇ, ଏକ ବିଶାଳ ରୂପ ଧାରଣ କଲେ ଏବଂ ପ୍ରଳୟ ଜଳ ମଧ୍ୟରେ ଦେବୀ ପୃଥିବୀଙ୍କୁ ଖୋଜିବା ନିମିତ୍ତ ଲମ୍ଫ ପ୍ରଦାନ କଲେ।

ଯେତେବେଳେ ସେ ଦେବୀ ପୃଥିବୀଙ୍କର ସାକ୍ଷାତ ଲାଭ କଲେ, ଦେବୀଙ୍କର ଅପରୂପ ସୌନ୍ଦର୍ଯ୍ୟ ଦର୍ଶନ କରି ଅପଲକ ନେତ୍ରରେ ତାଙ୍କୁ ଦେଖିବାରେ ଲାଗିଲେ। ସେହିପରି ଭୂଦେବୀ ମଧ୍ୟ ପ୍ରିୟ ପତିଙ୍କୁ ଦର୍ଶନ କରି ତାଙ୍କର ଅପୂର୍ବ ସୌନ୍ଦର୍ଯ୍ୟରେ ଆତ୍ମବିଭୋର ହୋଇଗଲେ। କିଛି ସମୟ ପରେ ସେ ଅଭିମାନରେ ମୁଖ ଅବନତ କରି ରହିଲେ ଏବଂ ପତି ଭାବରେ ଶ୍ରୀବିଷ୍ଣୁ ତାଙ୍କର କୌଣସି ଯତ୍ନ ନେଉ ନଥିବାରୁ ସେ ରାକ୍ଷସମାନଙ୍କ ସହିତ ଆସି ପାତାଳ ଲୋକରେ ନିବାସ କରୁଛନ୍ତି ବୋଲି ଅଭିଯୋଗ କଲେ। ଭଗବାନ ବିଷ୍ଣୁ ଦେବୀ ପୃଥିବୀଙ୍କୁ ପରମ ସନ୍ତୋଷ ପ୍ରଦାନ କରି, ନିଜର ଦନ୍ତାଗ୍ରରେ ତାଙ୍କୁ ଧାରଣ କଲେ ଏବଂ ଜଳ ମଧ୍ୟରୁ ବାହାର କରି ଆଣି ତାଙ୍କ ନିଜ ସ୍ଥାନରେ ସ୍ଥାପନ କରିଦେଲେ।

ଭୂଦେବ ଓ ଭୂଦେବୀଙ୍କର ଏହି ମିଳନ ଦୃଶ୍ୟ ଅତ୍ୟନ୍ତ ମହାର୍ଘ ଥିଲା। ସ୍ୱସ୍ଥାନ ଫେରି ପାଇବାରୁ, ଦେବ, ମାନବ, ଋଷି ଓ ମୁନି ଭୂଦେବୀଙ୍କର ଏହି ଉତ୍‌ଥାନ ଦିବସକୁ ଅତି ଆନନ୍ଦରେ ପାଳନ କଲେ। ତାହା ବରାହ ଦ୍ୱାଦଶୀ ଭାବରେ ପ୍ରଖ୍ୟାତ ହେଲା।

ପତିଙ୍କର ସାନ୍ନିଧ୍ୟ ଲାଭ କରି ଭୂଦେବୀ ମଧ୍ୟ ନିଜକୁ ଅତି ଭାଗ୍ୟଶାଳୀ ମନେ କଲେ। ଏକଦା ଚନ୍ଦନ ବୃକ୍ଷ ପରିବେଷ୍ଟିତ ମଳୟ ବନରେ, ଶ୍ୟାମଳ ଦୁର୍ବାଶଯ୍ୟା ଉପରେ ଶୟନରତ ବରାହଙ୍କୁ ଦେଖି ଭୂଦେବୀ ଆନନ୍ଦରେ ଜର୍ଜରିତା ହୋଇ ଏକ ସୁନ୍ଦରୀ କନ୍ୟାର ରୂପଧରି ତାଙ୍କ ସହିତ ମିଳିତ ହେଲେ। ସେହି ମିଳନ ସୁଦୀର୍ଘ ହେଲା। ଭୂଦେବୀ ସନ୍ତୁଷ୍ଟ ହେବାର ଅନୁଭବ କରି ବରାହ ଅନ୍ତର୍ହିତ ହୋଇଗଲେ। ଭୂଦେବୀ ନିଜର ଗର୍ଭରେ ତାଙ୍କର ବୀର୍ଯ୍ୟଧାରଣ କରିବାକୁ ଅସମର୍ଥ ହେବାରୁ ତାଙ୍କର ଚେତନା ଲୋପ ପାଇଗଲା। ସେହି ସମୟରେ ଆକାଶ ମାର୍ଗରେ ଯାତ୍ରା କରୁଥିବା ଉର୍ବଶୀ ଭୂଦେବୀଙ୍କର ଅବସ୍ଥା ଦେଖି ତାଙ୍କର ପରିଚର୍ଚ୍ଚା କଲେ। ଚେତନା ପାଇ ଭୂଦେବୀ ବରାହଙ୍କ ଶକ୍ତିକୁ ଏକ ବୈଦୁର୍ଯ୍ୟ ଖଣି ମଧ୍ୟକୁ ନିକ୍ଷେପ କଲେ। ସେଠାରେ ସେହି ଶକ୍ତିରୁ ମଙ୍ଗଳ ଜାତ ହେଲେ। ସେଥିପାଇଁ ମଙ୍ଗଳଙ୍କର ଅନ୍ୟନାମ ଧରାସୁତ।

ଏହିପରି ଭାବରେ ବରାହ ଅବତାରରେ ଭଗବାନ ବିଷ୍ଣୁ ଭୂମିଦେବୀଙ୍କୁ ଚରମ ଆନନ୍ଦ ପ୍ରଦାନ କରିଥିଲେ।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର