କେଉଁ ଲକ୍ଷଣ ଦେଖା ଦେଲେ ଭର୍ଟିଗୋ ଆକ୍ରାନ୍ତ ବୋଲି ଜାଣିବେ

ଅଧିକ ସମୟ କଂପ୍ୟୁଟର୍‌ରେ କାର୍ଯ୍ୟ କଲେ ମୁଣ୍ଡ ବୁଲାଇପାରେ। ବେଳେ ବେଳେ ବସିଥିବା ସ୍ଥାନର ଚାରି ପାଖ ବୁଲିବା ଭଳି ଲାଗେ। ନିଜ ଉପରେ ନିୟନ୍ତ୍ରଣ ରହେନାହିଁ। ମୁଣ୍ଡକୁ କିଛି ସମୟ ହାତରେ ଚିପି ଧରିଲେ ସାମାନ୍ୟ ସୁସ୍ଥ ଲାଗେ। ଏ ପରି ସମସ୍ୟା ସହ ଶାରୀରିକ ଦୁର୍ବଳତା ଓ ବାନ୍ତି ହେଲେ ଭର୍ଟିଗୋରେ ପୀଡ଼ିତ ହୋଇପାରନ୍ତି। ଅଧିକ ଝାଳ ବୋହିବା, ଝାପସା ଦିଶିବା, ବେକ ମୂଳ ବ୍ୟଥା, ବସିବା ଜାଗାରୁ ଉଠିବା କ୍ଷଣି ମୁଣ୍ଡ ବୁଲାଇବା ଆଦି ଭର୍ଟିଗୋର ଲକ୍ଷଣ। ଏହା ଦ୍ୱାରା ଆକ୍ରାନ୍ତ ହେଲେ ଶ୍ରବଣ ଶକ୍ତି କମିବାର ଆଶଙ୍କା ଥାଏ। ଶବ୍ଦ ଉଚ୍ଚାରଣରେ ଅସୁବିଧା ହୋଇପାରେ। ଦୀର୍ଘକାଳୀନ ମୁଣ୍ଡ ବ୍ୟଥା, ମସ୍ତିଷ୍କ ଆବୁ, କିଛି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା, ମୁଣ୍ଡରେ ଶକ୍ତ ଆଘାତ କାରଣରୁ ମଧ୍ୟ ଭର୍ଟିଗୋରେ ଆକ୍ରାନ୍ତ ହୋଇପାରନ୍ତି।

ତେବେ, ଉପଯୁକ୍ତ ଚିକିତ୍ସା ଦ୍ୱାରା ଏଥିରୁ ଆରୋଗ୍ୟ ଲାଭ ସମ୍ଭବ। ନିୟମିତ ବ୍ୟାୟାମ ସହ ଶୋଇବା କିଂବା ବସିବା ସ୍ଥାନରୁ ହଠାତ୍‌ ଉଠନ୍ତୁନାହିଁ। ଚାଲିବା ସମୟରେ ଦୂରକୁ ଅନାଇ ଚାଲନ୍ତୁ। ଦୀର୍ଘ ସମୟ ଧରି ମୁଣ୍ଡ ନୁଆଁଇ ବସନ୍ତୁନାହିଁ। ଅଧିକ ଶର୍କରାଯୁକ୍ତ ଖାଦ୍ୟ ଖାଆନ୍ତୁନାହିଁ। ଚର୍ବି ଓ ରକ୍ତ ଚାପ ନିୟନ୍ତ୍ରଣରେ ରଖନ୍ତୁ। ଧୂମପାନ, କଫି, ଲୁଣ କମାନ୍ତୁ। ଭର୍ଟିଗୋ ଦ୍ୱାରା ପୀଡ଼ିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଡାକ୍ତରଙ୍କ ବିନା ପରାମର୍ଶରେ ଗାଡ଼ି ଚଳାଇବା କିଂବା ସନ୍ତରଣ ନିଷେଧ।

-ଡା. ନୀଳମାଧବ ପୃଷ୍ଟି,
ଇଏନ୍‌ଟି ବିଶେଷଜ୍ଞ, ଫୋନ୍‌-୯୪୩୯୪୮୨୫୨୬

ସମ୍ବନ୍ଧିତ ଖବର