ଶ୍ରୀଜଗନ୍ନାଥଙ୍କ ‘ନୀଳାଦ୍ରିବିଜେ’ର ‘ବିଭୀଷଣ ବନ୍ଦାପନା’ ନୀତି ପ୍ରସଙ୍ଗରେ, ବିଭୀଷଣଙ୍କ ବୃତ୍ତାନ୍ତ ଆମର ସ୍ମରଣୀୟ। ‘ବାଲ୍ମୀକି ରାମାୟଣ’ ଅନୁସାରେ, ବିଭୀଷଣ ରାବଣର ଭାଇ। ବିଶ୍ରବା ଋଷିଙ୍କ ଔରସରେ, ରାକ୍ଷସ ସୁମାଳୀର କନ୍ୟା ନିକଷା (ବା କୈକେସୀ) ଗର୍ଭରୁ ସେ ଦୁହିଁଙ୍କ ସହିତ, କୁମ୍ଭକର୍ଣ୍ଣ ଓ ଭଉଣୀ ଶୂର୍ପଣଖା ଜନ୍ମ ହୋଇଥିଲେ। ବିଶ୍ରବା ଋଷି ଧ୍ୟାନରତ ଥିବା ଅବସ୍ଥାରେ ସୁମାଳୀର ନିର୍ଦ୍ଦେଶରେ ନିକଷା ତାଙ୍କ ପାଖକୁ ଆସିଥିଲା। ତା’ ମନର ଭାବନା ଜାଣି, ବିଶ୍ରବା ତାକୁ କହିଥିଲେ- ତୁମେ ଅସମୟରେ ମୋ ପାଖକୁ ଆସିଛ। ତେଣୁ ତୁମ ଗର୍ଭରୁ ଭୀଷଣକାୟ ରାକ୍ଷସମାନେ ହିଁ ଜନ୍ମନେବେ। ସେଥିରେ ବ୍ୟଥିତ ହୋଇ ନିକଷା ପ୍ରାର୍ଥନା କରିବାରୁ, ବିଶ୍ରବା କହିଲେ- ଋଷିବାକ୍ୟ ଅନ୍ୟଥା ହେବନାହିଁ। ତେବେ ତୁମର ଶେଷ ଗର୍ଭର ସନ୍ତାନ ମୋର ଆଶୀର୍ବାଦରୁ ପରମ ଧାର୍ମିକ ହେବ। ତେଣୁ ବିଭୀଷଣ ଅନ୍ୟ ଭାଇ-ଭଉଣୀଙ୍କଠାରୁ ଭିନ୍ନ ଏବଂ ପରମଧାର୍ମିକ ଓ ଭକ୍ତ ହୋଇଥିଲେ। କଠୋର ତପସ୍ୟା କରି, ସେ ବ୍ରହ୍ମାଙ୍କଠାରୁ ମଧ୍ୟ ଚିରଧାର୍ମିକ ହେବାର ବର ପାଇଥିଲେ। ସେ ଥିଲେ ସାତ ଚିରଂଜୀବୀଙ୍କ ମଧ୍ୟରୁ ଜଣେ।
‘ବାଲ୍ମୀକି ରାମାୟଣ’ର ‘ଉତ୍ତରାକାଣ୍ଡ’ରେ ବିଭୀଷଣଙ୍କ ପ୍ରସଙ୍ଗରେ ‘ଜଗନ୍ନାଥ’ଙ୍କ କଥା କୁହାଯାଇଛି। ସ୍ୱୟଂ ଶ୍ରୀରାମଚନ୍ଦ୍ର ତାଙ୍କୁ କହିଛନ୍ତି- ହେ ମହାପରାକ୍ରମୀ ରାକ୍ଷସରାଜ ବିଭୀଷଣ! ଯେ ପର୍ଯ୍ୟନ୍ତ ଏ ସଂସାରରେ ପ୍ରଜା ଥିବେ, ଆକାଶରେ ସୂର୍ଯ୍ୟ ଓ ଚନ୍ଦ୍ର ରହିଥିବେ ଏବଂ ଯେ ପର୍ଯ୍ୟନ୍ତ ସଂସାରରେ ମୋ କଥା ପ୍ରଚଳିତ ଥିବ, ସେତେଦିନ ପର୍ଯ୍ୟନ୍ତ ଏ ଭୂତଳରେ ତୁମେ ଓ ତୁମର ରାଜ୍ୟ ରହିବ।
ଏହି ପ୍ରସଙ୍ଗରେ ଆସିଛି- ଶ୍ରୀଶେଷଶାୟୀ ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କ କଥା। ଶ୍ରୀରାମଚନ୍ଦ୍ର କହିଛନ୍ତି- “ହେ ମହାବଳୀ, ରାକ୍ଷସରାଜ ବିଭୀଷଣ! ମୁଁ ଏବେ ତୁମକୁ ଏକ ବିଶେଷ କଥା କହୁଛି। ଆମର ଏହି ଈକ୍ଷାକୁ କୁଳର ଦେବତା ହେଉଛନ୍ତି ଭଗବାନ ଜଗନ୍ନାଥ। ଇନ୍ଦ୍ରାଦି ଦେବତା ତାଙ୍କୁ ନିରନ୍ତର ଆରାଧନା କରିଥାଆନ୍ତି। ତୁମେ ବି ତାଙ୍କୁ ପୂଜା କରିବ।” ସେଦିନ ଶ୍ରୀରାମଙ୍କର ସେହି କଥାକୁ ହୃଦୟରେ ଧାରଣ କରିବା ସହିତ ପାଳନ କରିବାର ପ୍ରତିଶ୍ରୁତି ଦେଇଥିଲେ ବିଭୀଷଣ।
ସେଥିପାଇଁ ଗୋଟିଏ ବିଶ୍ୱାସ ପ୍ରଚଳିତ ଅଛି, ଯେ ବିଭୀଷଣ ପ୍ରତିଦିନ ରାତିରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀ ଆସିଥାଆନ୍ତି।