ଦେବଶିଳ୍ପୀ ବିଶ୍ୱକର୍ମା

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ସୂର୍ଯ୍ୟ ସିଂହରାଶିରୁ ଯାଇ କନ୍ୟା ରାଶିରେ ପ୍ରବେଶ କଲେ କନ୍ୟା ସଂକ୍ରାନ୍ତି ହୋଇଥାଏ। ଏହି ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ହେଉଛି, ଏହି ଦିନଟି ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ଜନ୍ମଦିବସ ଭାବରେ ଭାରତ ଓ ନେପାଳ ଆଦି ଦେଶରେ ମହା ସମାରୋହରେ ପାଳିତ ହୋଇଥାଏ।
ବେଦ ଅନୁସାରେ, ପୃଥିବୀର ନିର୍ମାଣକର୍ତ୍ତା ହେଉଛନ୍ତି ବିଶ୍ୱକର୍ମା। କେତେକ ପୁରାଣର ବର୍ଣ୍ଣନା ଅନୁସାରେ, ସେ ବ୍ରହ୍ମାଙ୍କର ପୁତ୍ର ଓ ସ୍ୱୟଂଭୂ। କିନ୍ତୁ ‘ବିଷ୍ଣୁ ପୁରାଣ’ର ବର୍ଣ୍ଣନା ଅନୁସାରେ, ଅଷ୍ଟମବସୁ ପ୍ରଭାସ ଓ ବୃହସ୍ପତିଙ୍କ ଭଗ୍ନୀ ସ୍ୱୟଂସିଦ୍ଧାଙ୍କର ସେ ପୁତ୍ର।

ବିଶ୍ୱକର୍ମାଙ୍କୁ ପୃଥିବୀର ସମସ୍ତ ଶିଳ୍ପକର୍ମର ଉଦ୍ଭାବକ ଓ ପ୍ରକାଶକ ରୂପେ ଗ୍ରହଣ କରାଯାଏ। ସମସ୍ତ କଳାର ଜ୍ଞାତା ଭାବରେ ସେ ସ୍ୱର୍ଗଲୋକ, ମର୍ତ୍ତ୍ୟଲୋକ ଓ ପାତାଳଲୋକର ନିର୍ମାତା। ଦେବଶିଳ୍ପୀ ଭାବରେ ଦେବତାମାନଙ୍କର ସ୍ୱର୍ଗପୁରୀ, ସଭାଗୃହ, ଯାନ ଏବଂ ସମସ୍ତ ଅସ୍ତ୍ରଶସ୍ତ୍ରର ନିର୍ମାତା ମଧ୍ୟ ସେ। ଏପରିକି ଭଗବାନ ବିଷ୍ଣୁଙ୍କର ଚକ୍ର, ଶିବଙ୍କର ତ୍ରିଶୂଳ ଓ ଇନ୍ଦ୍ରଙ୍କର ବଜ୍ରର ମଧ୍ୟ ସେ ନିର୍ମାତା।

ଏ ସଂପର୍କରେ ପୁରାଣରେ ଗୋଟିଏ ସୁନ୍ଦର କାହାଣୀ ଅଛି। ବିଶ୍ୱକର୍ମା ନିଜର କନ୍ୟା ସଂଜ୍ଞାଙ୍କୁ ସୂର୍ଯ୍ୟଙ୍କୁ ବିବାହ ଦେଇଥିଲେ। ସଂଜ୍ଞା ସୂର୍ଯ୍ୟଙ୍କର ତାପ ସହ୍ୟ କରି ନପାରିବାରୁ ବିଶ୍ୱକର୍ମା ଶାଣଚକ୍ରରେ ସ୍ଥାପନ କରି ସୂର୍ଯ୍ୟଙ୍କ ଔଜ୍ୱଲ୍ୟର ଏକ-ଅଷ୍ଟମାଂଶ କର୍ତ୍ତନ କରିଦେଲେ ଏବଂ ସେଥିରେ ବିଷ୍ଣୁଙ୍କର ସୁଦର୍ଶନ ଚକ୍ର, ଶିବଙ୍କର ତ୍ରିଶୂଳ, କୁବେରଙ୍କର ପାଶ ଏବଂ କାର୍ତ୍ତିକଙ୍କର ଭାଲ ନିର୍ମାଣ କରିଥିଲେ।

‘ବ୍ରହ୍ମବୈବର୍ତ୍ତ ପୁରାଣ’ର ବର୍ଣ୍ଣନା ଅନୁସାରେ, ବିଶ୍ୱକର୍ମା ଓ ଅପ୍‌ସରା ଘୃତାଚୀ ପରସ୍ପରକୁ ଅଭିଶାପ ଦେଇ ମର୍ତ୍ତ୍ୟଲୋକରେ ଜନ୍ମଗ୍ରହଣ କରିଥିଲେ। ସେମାନଙ୍କଠାରୁ ନବପୁତ୍ର ଜାତ ହୋଇଥିଲେ। ସେମାନେ ମର୍ତ୍ତ୍ୟଲୋକର ଶିଳ୍ପକାର ଥିଲେ। ସେମାନେ ହେଲେ- “ମାଳାକାର କର୍ମକାର କଂସେଇ ଶଙ୍ଖାର / କୁନ୍ଦବିକ କୁମ୍ଭକାର ପୁଣି ସୂତ୍ରଧାର / ସ୍ୱର୍ଣ୍ଣକାର ଚିତ୍ରକାର ଏ ନବ ପୁତ୍ରଙ୍କୁ / ଦେଖି ପିତାମାତା ତୋଷ ହୋଇଲେ ତାହାଙ୍କୁ।”

ସେହିପରି, ‘ରାମାୟଣ’ର ବର୍ଣ୍ଣନା ଅନୁସାରେ, ଘୃତାଚୀ ଓ ବିଶ୍ୱକର୍ମା ମର୍ତ୍ତ୍ୟକୁ ଆସି, ବିବାହ କରି, ସୁମେରୁ ପ୍ରଦେଶରେ ବାସ କରୁଥିଲେ। ସେଠାରେ ତାଙ୍କର ନଳ ଓ ନୀଳ ନାମରେ ଦୁଇପୁତ୍ର ଜାତ ହୋଇଥିଲେ। ଏହି ଦୁଇପୁତ୍ର, ଶ୍ରୀରାମଙ୍କ ସେତୁବନ୍ଧ ନିର୍ମାଣର ମୁଖ୍ୟ ଉପଦେଷ୍ଟା ଥିଲେ।
ସମସ୍ତ ଶିଳ୍ପଶାସ୍ତ୍ରର ଆଦିସ୍ରଷ୍ଟା ହେତୁ, ଭାରତର ପ୍ରାୟ ସମସ୍ତ ଶିଳ୍ପସଂସ୍ଥାରେ କନ୍ୟା ସଂକ୍ରାନ୍ତି ଦିନ ବିଶ୍ୱକର୍ମାଙ୍କର ପୂଜା ହୋଇଥାଏ।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର