ଶାରୀରିକ ସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ଚାଲିବା ଓ ଶିଡ଼ି ଚଢ଼ିବା ଦୁଇଟି ସହଜ ବ୍ୟାୟାମ ଭାବେ ଜଣାଶୁଣା। ଉଭୟର ଭିନ୍ନଭିନ୍ନ ବିଶେଷତ୍ବ ଓ ଉପକାରିତା ରହିଛି। ଏ ଦୁଇଟି ମଧ୍ୟରୁ କେଉଁଟି ଆପଣଙ୍କ ପାଇଁ ଠିକ୍ ତାହା ଜାଣିରଖିବା ଉଚିତ। ଚାଲିବା ହେଉଛି ସବୁଠାରୁ ସରଳ ବ୍ୟାୟାମ। ଏଥିଲାଗି କୌଣସି ସ୍ବତନ୍ତ୍ର ସରଞ୍ଜାମ ଦରକାର ପଡ଼େ ନାହିଁ। ପ୍ରତିଦିନ ଚାଲିବା ଦ୍ବାରା ଗୋଡ଼, ନିତମ୍ବ ଓ ଅଣ୍ଟାର ବିଭିନ୍ନ ମାଂସପେଶୀ ସକ୍ରିୟ ହୋଇଥାଏ ଏବଂ ଏହା ହୃତ୍‌ପିଣ୍ଡର ସ୍ବାସ୍ଥ୍ୟକୁ ଉତ୍‌ପ୍ରେରିତ କରିଥାଏ। ନିୟମିତ ଚାଲିବା ଦ୍ବାରା କ୍ୟାଲୋରି କ୍ଷୟ ହୋଇଥାଏ, ମନୋଭାବରେ ଉନ୍ନତି ହୁଏ, ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗର ଆଶଙ୍କା ହ୍ରାସ ପାଇଥାଏ। ବାହାର ପରିବେଶରେ ଚାଲିବା ଦ୍ବାରା ଆମେ ବୃକ୍ଷଲତା ଓ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସୁ, ଯାହା ଶରୀରରେ ଭିଟାମିନ୍‌ ଡି’ର ମାତ୍ରା ବଢ଼ାଏ ଏବଂ ସୁସ୍ଥତା ବଜାୟ ରଖେ। ତେଣୁ ସବୁ ବୟସର ଲୋକଙ୍କ ଲାଗି ଏହା ଏକ ଭଲ ବ୍ୟାୟାମ।

Advertisment

ଅପରପକ୍ଷେ ଶିଡ଼ି ଚଢ଼ିବା ହେଉଛି ଏକ ଅପେକ୍ଷାକୃତ କଠୋର ବ୍ୟାୟାମ। ଶିଡ଼ି ଚଢ଼ିବା ବେଳେ ଚାଲିବା ଅପେକ୍ଷା ଅଧିକ କ୍ୟାଲୋରି କ୍ଷୟ ହୋଇଥାଏ, କାରଣ ପ୍ରତିଟି ପାଦ ପକାଇବା ବେଳେ ଶରୀରକୁ ମାଧ୍ୟାକର୍ଷଣ ଶକ୍ତି ବିରୋଧରେ ଶକ୍ତି ଖଟାଇବାକୁ ପଡ଼େ। ଏହା ଗୋଡ଼ର କେତେକ ନିର୍ଦ୍ଦିଷ୍ଟ ମାଂସପେଶୀକୁ ସକ୍ରିୟ କରିଥାଏ, ହୃଦ୍‌ସ୍ପନ୍ଦନର ବେଗ ବୃଦ୍ଧି କରେ ଏବଂ ରକ୍ତ ସଂଚାଳନ ପ୍ରକ୍ରିୟାକୁ ସୁଦୃଢ଼ କରେ। ଏଥି ସହିତ ଅସ୍ଥି ସାନ୍ଦ୍ରତା ବୃଦ୍ଧି କରିବା ଓ ଗଣ୍ଠିର ସ୍ବାସ୍ଥ୍ୟକୁ ଉନ୍ନତ କରିବା ଦିଗରେ ବେଶ୍‌ ଉପାଦେୟ। ତେଣୁ ଅଷ୍ଟିଓପୋରସିସ୍‌ ଓ ଗଣ୍ଠି ସମସ୍ୟାର ଆଶଙ୍କା ଥିବା ଲୋକମାନେ ଚାଲିବା ଅପେକ୍ଷା ଶିଡ଼ି ଚଢ଼ିବା ଅଧିକ ଲାଭଦାୟକ ହୋଇଥାଏ। କମ୍ ସମୟରେ ଅଧିକ କ୍ୟାଲୋରି କ୍ଷୟ କରିବାକୁ ଚାହୁଁଥିବା ଓ ନିମ୍ନଭାଗର ମାଂସପେଶୀଗୁଡ଼ିକୁ ସୁଦୃଢ଼ କରିବାକୁ ଚାହୁଁଥିବା ଲୋକମାନେ ଶିଡ଼ି ଚଢ଼ିବାର ବିକଳ୍ପ ବାଛିବା ଉଚିତ।