କେଉଁ ନିନ୍ଦା ପାଇଁ କି ଦଣ୍ଡ: ଗୁରୁନିନ୍ଦା କଲେ ସାତଜନ୍ମ ଯାଏ ଯମଦଣ୍ଡ

‘ମହାଭାରତ’ର ଶିଶୁପାଳବଧ ଘଟଣା ଅତ୍ୟନ୍ତ ଲୋକପ୍ରିୟ। ଚେଦିରାଜା ଦମଘୋଷଙ୍କର ପୁଅ ଥିଲା ଶିଶୁପାଳ। ଶିଶୁପାଳର ମାଆ ସୃଷ୍ଟଶ୍ରବା ଜାଣିଥିଲେ, ତାର ମୃତ୍ୟୁ ଶ୍ରୀକୃଷ୍ଣଙ୍କ ହାତରେ ହେବ। ତେଣୁ ଶ୍ରୀକୃଷ୍ଣଙ୍କଠାରୁ ପୁଅପାଇଁ ସେ ପ୍ରତିଶ୍ରୁତିଟିଏ ଆଦାୟ କରି ନେଇଥିଲେ ଯେ ସେ ଶିଶୁପାଳର ଶହେଟି ଦୋଷ କ୍ଷମା କରିବେ। ତେଣୁ ଶିଶୁପାଳ ୧୦୧ତମ ଦୋଷ କରିବା ମାତ୍ରେ ସେ ସୁଦର୍ଶନ ଚକ୍ରରେ ତାର ଶିରଚ୍ଛେଦ କରିଥିଲେ।
କିନ୍ତୁ ‘ମାଘମାହାତ୍ମ୍ୟ’ରେ ଭିନ୍ନ ଭିନ୍ନ ନିନ୍ଦା ପାଇଁ ଭିନ୍ନ ଭିନ୍ନ ଦଣ୍ଡର ବ୍ୟବସ୍ଥା ଅଛି। ତାହାକୁ କୁହାଯାଇଛି, ‘ନିନ୍ଦାବାକ୍ୟ ଦୋଷ’। ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଛନ୍ତି- ଭଗବାନଙ୍କ ମହିମା ବର୍ଣ୍ଣିତ ଥିବା ଗ୍ରନ୍ଥକୁ ଯେଉଁମାନେ ନିନ୍ଦା କରନ୍ତି, ସେମାନେ ଦଣ୍ଡସ୍ୱରୂପ ନର୍କ ଭୋଗ କରନ୍ତି। ଗୁରୁନିନ୍ଦା କଲେ ସାତଜନ୍ମ ଯାଏ ଯମଦଣ୍ଡ ମିଳେ।

ସେହିପରି, ଦେବୀନିନ୍ଦା ପାଇଁ ଶିରଚ୍ଛେଦ, ଶିବନିନ୍ଦା ପାଇଁ କୁଷ୍ଠରୋଗ ଭୋଗ, ବିଷ୍ଣୁନିନ୍ଦାପାଇଁ ନିଃସନ୍ତାନ ହେବାର ଦୁଃଖ ଏବଂ ଗୃହନିନ୍ଦାପାଇଁ ଦେଶାନ୍ତର ମିଳେ ବୋଲି ଶ୍ରୀକୃଷ୍ଣ କହିଛନ୍ତି।

ସେଥିରେ ଥିବା ବର୍ଣ୍ଣନା ଅନୁସାରେ, ଅନ୍ୟାନ୍ୟ ନିନ୍ଦା ପାଇଁ ରହିଥିବା ଦଣ୍ଡବ୍ୟବସ୍ଥା ଏହିପରି-
ଗୁରୁନିନ୍ଦା କଲେ ଶୂକର ଜନ୍ମ ଏବଂ ବିଦ୍ୟାଦାତା ଗୁରୁଙ୍କୁ ନିନ୍ଦା କଲେ ଶ୍ୱାନଜନ୍ମ ନେବାକୁ ପଡ଼େ। ପିତାମାତାଙ୍କୁ ନିନ୍ଦା କଲେ ପ୍ରଥମେ ଶାରୀପକ୍ଷୀ ଏବଂ ତା’ ପର ଜନ୍ମରେ ମନୁଷ୍ୟ ଜନ୍ମ ହୋଇ ଦାରିଦ୍ରୢ ଭୋଗ କରିବାକୁ ହୁଏ। ସ୍ତ୍ରୀ ନିନ୍ଦା କଲେ ନପୁଂସକ ହେବାକୁ ପଡ଼େ। ବୃଦ୍ଧଜନଙ୍କୁ ନିନ୍ଦା କଲେ ଆୟୁହାନି ଏବଂ ଯତି ଓ ସତୀଙ୍କୁ ନିନ୍ଦା କଲେ ଧର୍ମହାନି ହୁଏ।

ଯେଉଁ ବ୍ୟକ୍ତି ଅଗ୍ନିଙ୍କୁ ନିନ୍ଦା କରେ ତାହାକୁ ଅଜୀର୍ଣ୍ଣ ଭୋଗ କରିବାକୁ ପଡ଼େ ଏବଂ ଯେ ସଂସାରକୁ ନିନ୍ଦା କରେ ତାହାର କର ଛେଦନ ହୁଏ ବୋଲି ମଧ୍ୟ ‘ମାଘମାହାତ୍ମ୍ୟ’ରେ କୁହାଯାଇଛି।

ଏହିପରି ଭାବରେ, ଭିନ୍ନ ଭିନ୍ନ ନିନ୍ଦା ପାଇଁ ମନୁଷ୍ୟ ଭିନ୍ନ ଭିନ୍ନ ଦଣ୍ଡ ଭୋଗ କରେ ବୋଲି ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଛନ୍ତି ଏବଂ ଅନ୍ୟାନ୍ୟ ନିନ୍ଦା ପାଇଁ ଚଣ୍ଡାଳ, ଶୃଗାଳ, ଶାଗୁଣା, ବେଙ୍ଗ, କାଉ, ମଇଁଷି, ଝିଙ୍କ ଆଦି ଜନ୍ମ ନେବାକୁ ପଡ଼େ ବୋଲି ମଧ୍ୟ ସତର୍କ କରି ଦେଇଛନ୍ତି।

ଏସବୁ ଯମଦେବଙ୍କର ବ୍ୟବସ୍ଥା ଏବଂ କର୍ମ ଅନୁସାରେ ଏହିସବୁ ଯମଦଣ୍ଡ ମିଳେ ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧିତ ଖବର