ନୂଆଦିଲ୍ଲୀ: କଥିତ ଅଛି- ଦିନ ତମାମର ଭୋଜନ ମଧ୍ୟରେ ସକାଳ ଜଳଖିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସକାଳେ ଜଳଖିଆ ଖାଇବା ପରେ ହିଁ ଜଣେ ଦିନ ତମାମ କାର୍ଯ୍ୟ ଲାଗି ନିଜକୁ ପ୍ରସ୍ତୁତି କରେ। ‘ଗୁଗଲ୍’ ଓ ‘ଆଲ୍ଫାବେଟ୍’ ଭଳି ବିଶ୍ୱର ଅନ୍ୟତମ ବିଶାଳ ଓ ବ୍ୟସ୍ତ ବହୁଳ ପ୍ରତିଷ୍ଠାନର ସିଇଓ ସୁନ୍ଦର ପିଚାଇ ନିଜର ସକାଳ ଜଳଖିଆରେ କ’ଣ ଖାଆନ୍ତି? ସେ କଥା ସେ ଏକ ସାକ୍ଷାତ୍କାରରେ କହିଛନ୍ତି।
ସୁନ୍ଦର ପିଚାଇ ଜଣେ ନିରାମିଷାଶୀ। ସକାଳେ ସର୍ବ ପ୍ରଥମେ ସେ କପେ ଇଂଲିସ୍ ଚା ପିଅନ୍ତି। ‘ନିରାମିଷାଶୀ’ ହୋଇଥିବାରୁ ସେ ତାଙ୍କ ଜଳଖିଆରେ ନିଶ୍ଚୟ ଅଣ୍ଡା ସାମିଲ କରିଥାଆନ୍ତି। ଏ ସଂକ୍ରାନ୍ତରେ ସେ ନିଜେ କହନ୍ତି: ମୋର ପୁଷ୍ଟିସାର ଆବଶ୍ୟକ ଥିବାରୁ ସକାଳେ ସର୍ବଦା ଅଣ୍ଡା ଆମ୍ଲେଟ୍ଟିଏ ଖାଏ।
/sambad/media/post_attachments/wp-content/uploads/2020/01/sunpi-300x139.jpg)
ଚା ଓ ଆମ୍ଲେଟ୍ ପରେ ସେ ଖାଉଥିବା ତୃତୀୟ ଜିନିଷଟି ହେଉଛି ‘ଟୋଷ୍ଟ୍’। ଏଇ ତିନୋଟି ଜିନିଷ ସେ ନିୟମିତ ସକାଳ ଜଳଖିଆରେ ଖାଆନ୍ତି ଏବଂ ଏଥିସହ ସକାଳର ‘ଓ୍ଵାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ନାମକ ଖବରକାଗଜ (ଛାପା ହୋଇଥିବା) ପଢ଼ନ୍ତି। ଏହାଛଡ଼ା ସେ ‘ନ୍ୟୁୟର୍କ ଟାଇମ୍ସ୍’ର ଅନ୍ଲାଇନ୍ ସଂସ୍କରଣ ପଢ଼ନ୍ତି।
ସକାଳ ୬: ୩୦ କିଂବା ୭:୦୦ଟାରେ ସେ ବିଛଣା ଛାଡୁଥିଲେ ବି, ନିଜକୁ ‘ସକାଳୁ ଉଠିବା’ ବ୍ୟକ୍ତି ବୋଲି କହନ୍ତି ନାହିଁ। ତା’ପରେ ଦିନ ତମାମର କାର୍ଯ୍ୟକଳାପ ଲାଗି ନିଜକୁ ପ୍ରସ୍ତୁତି କରିବା ଲାଗି ସକାଳର ଖବରକାଗଜ ପଢ଼ିବା ସହ ଚା ଜଳଖିଆ ଖାଆନ୍ତି। ବ୍ୟାୟାମ ପାଇଁ ସମୟ ଦିଅନ୍ତି ନା ନାହିଁ ପଚରା ଯିବାରୁ ସେ କହିଲେ ଯେ ସକାଳେ ସେ ଯଥାସମ୍ଭବ ବ୍ୟାୟାମ କରନ୍ତି। କିନ୍ତୁ, ସନ୍ଧ୍ୟାରେ ସେ ନିଶ୍ଚୟ କିଛି ସମୟ ବ୍ୟାୟାମ କରନ୍ତି।
ଭାରତ ଜନ୍ମିତ ସୁନ୍ଦର ପିଚାଇ ଆଇଆଇଟି-ମାଡ୍ରାସ୍ ଏବଂ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିବା ପରେ ୨୦୦୪ରେ ଗୁଗଲ୍ରେ ଯୋଗ ଦେଇଥିଲେ।