ମାର୍ଗଶିର ମାସ ହେଉଛି ଲକ୍ଷ୍ମୀଙ୍କ ମାସ। କିନ୍ତୁ ଏ ମାସରେ ଲକ୍ଷ୍ମୀଙ୍କର ପୂଜା କଲାବେଳେ, ସ୍ୱତଃ ଅଲକ୍ଷ୍ମୀଙ୍କ ପ୍ରସଙ୍ଗ ମନକୁ ଆସେ। ଯେଉଁଠି ଶୁଚିତା ଓ ଶୁଦ୍ଧତା, ସେଠାରେ ଅନ୍ନ ଓ ଐଶ୍ୱର୍ଯ୍ୟର ଦେବୀ ଲକ୍ଷ୍ମୀ ରହନ୍ତି। ଯେଉଁଠି ଅଶୁଚିତା ଓ ଅଶୁଦ୍ଧତା- ସେ ସ୍ଥାନ ଲକ୍ଷ୍ମୀ ଛାଡ଼ିଯାଆନ୍ତି। ଅଲକ୍ଷ୍ମୀ ସେ ସ୍ଥାନ ଅଧିକାର କରନ୍ତି।
ମହାଦେବ ଦାସ ବିରଚିତ ‘କାର୍ତ୍ତିକ ମାହାତ୍ମ୍ୟ’ରେ ‘ଅଲକ୍ଷ୍ମୀଙ୍କ ସ୍ଥାନ ନିରୂପଣ’ ପ୍ରସଙ୍ଗ ଅଛି। ଅଲକ୍ଷ୍ମୀଙ୍କ ଅନୁରୋଧରେ ସ୍ୱୟଂ ବିଷ୍ଣୁ ତାଙ୍କ ପାଇଁ ଉପଯୁକ୍ତ ସ୍ଥାନର ନିରୂପଣ କରିଥିଲେ।
ଭଗବାନ ବିଷ୍ଣୁ ଅଲକ୍ଷ୍ମୀଙ୍କୁ କହିବା ଅନୁସାରେ- ଯେଉଁ ଘରେ ସବୁବେଳେ କଳିଗୋଳ ଲାଗିଥାଏ, ସେ ଘରେ ଅଲକ୍ଷ୍ମୀ ନିବାସ କରନ୍ତି। ଯେ କୁପୁରୁଷ ଓ ମିଥ୍ୟାଭାଷୀ- ଅଲକ୍ଷ୍ମୀ ତା’ କାନ୍ଧରେ ବସି ତା’ର ଅନିଷ୍ଟ କରନ୍ତି। ସେହିପରି, ଯେ ପରନାରୀ ଓ ପର ଅର୍ଥ ପ୍ରତି ଆସକ୍ତ ହୁଏ, ପରନିନ୍ଦା କରେ ଏବଂ ଅନ୍ୟକୁ କଷ୍ଟ ଦିଏ- ଅଲକ୍ଷ୍ମୀ ତା’ ପାଖ କେବେ ଛାଡ଼ନ୍ତି ନାହିଁ।
ଏହି ପ୍ରସଙ୍ଗରେ ଭଗବାନ ବିଷ୍ଣୁ ଅଲକ୍ଷ୍ମୀଙ୍କ ପାଇଁ ଉପଯୋଗୀ ଆହୁରି ଅନେକ ସ୍ଥାନ ନିରୂପଣ କରିଛନ୍ତି। ସେସବୁ ହେଉଛି- ଯେ ଅପବିତ୍ର ଥାଇ ଦେବଦର୍ଶନ କରିବାକୁ ଯାଏ, ଯେ ନୀଚପ୍ରୀତି କରେ, ଯେ ଧର୍ମଶାସ୍ତ୍ରକୁ ନିନ୍ଦା କରେ, ଯେ ପିତା, ମାତା ଓ ଗୁରୁଙ୍କୁ କପଟ ସ୍ନେହ କରେ- ତା’ କାନ୍ଧରେ ଅଲକ୍ଷ୍ମୀ ବସନ୍ତି ଏବଂ ତାର ସବୁ ଧନସଂପଦକୁ ଧ୍ୱଂସ କରିଦିଅନ୍ତି।
ଏହି ପ୍ରସଙ୍ଗରେ, କେଉଁ ନାରୀଙ୍କଠାରେ ଅଲକ୍ଷ୍ମୀ ରହନ୍ତି- ତାହା ମଧ୍ୟ ବିଷ୍ଣୁ ତାଙ୍କୁ କହିଛନ୍ତି। ତାହା ଅନୁସାରେ- ଯେଉଁ ନାରୀ ବିନା କୌଣସି କାମରେ ଏଣେତେଣେ ଘୂରିବୁଲେ, ପର ଆଗରେ ଘର କଥା କହେ, ସ୍ୱାମୀର ସ୍ନେହରେ ଅସୁଖୀ ହୁଏ, ପୁଅ, ଝିଅ ଓ ବନ୍ଧୁବାନ୍ଧବଙ୍କ ସହ କଳିଗୋଳ କରେ, ଗୁରୁ ଓ ଗୁରୁଜନଙ୍କୁ ନିନ୍ଦା କରେ- ତା ନିକଟରେ ଅଲକ୍ଷ୍ମୀ ମନ ଖୁସିରେ ରହନ୍ତି।
ଅଲକ୍ଷ୍ମୀଙ୍କର ଏହି ସ୍ଥାନ ନିରୂପଣ ପ୍ରସଙ୍ଗ ସୂଚାଏ- ଆମେ ଲକ୍ଷ୍ମୀଙ୍କ ସହିତ ରହିବା ନା ଅଲକ୍ଷ୍ମୀଙ୍କ ସହିତ ରହିବା, ତାହା ଆମ ଉପରେ ହିଁ ନିର୍ଭର କରେ।