ସ୍କ୍ବାମ୍‌ସ ସେଲ୍‌ କାର୍ସିନୋମା (ଏସ୍‌ସିସି) ବା ଶାଢ଼ି କର୍କଟ ହେଉଛି ଏଭଳି ଏକ ଚର୍ମ କର୍କଟ ଯାହା ଶାଢ଼ି ପିନ୍ଧିବା ଦ୍ବାରା ହୋଇଥାଏ। ଦୀର୍ଘ ସମୟ ଶାଢ଼ି ପିନ୍ଧିବା ହେତୁ କ୍ରମାଗତ ଘର୍ଷଣର ସମ୍ମୁଖୀନ ହେଉଥିବା ଶରୀରର ଅଣ୍ଟା ଆଦି ଅଞ୍ଚଳରେ ଏହା ଦେଖାଯାଇଥାଏ। କେବଳ ଶାଢ଼ି ନୁହେଁ, ଅଣ୍ଟାରେ ଖୁବ୍‌ ଜୋର୍‌ରେ କଷି କରି ପିନ୍ଧାଯାଉଥିବା ଧୋତି, ସାୟା ଆଦି ଯୋଗୁଁ ମଧ୍ୟ ଏହି କର୍କଟ ରୋଗ ହେବାର ଆଶଙ୍କା ରହିଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଚର୍ମର ବାହ୍ୟ ଇଲାକାରେ ଥିବା ସମତଳ ସ୍କ୍ବାମ୍‌ସ କୋଷ ସ୍ତରରେ ଏହା ସୃଷ୍ଟି ହେଉଥିବାରୁ ଏହାର ନାମକରଣ ସେଭଳି ହୋଇଛି। ଏହା ଅନ୍ୟାନ୍ୟ କର୍କଟ ପରି ଘାତକ ନହେଲେ ବି ଚିକିତ୍ସା ବା ପ୍ରତିଷେଧକ ବ୍ୟବସ୍ଥା ନନେଲେ ଏହା ବିପଦ ସୃଷ୍ଟି କରିପାରେ। ଅଣ୍ଟାରେ ଚର୍ମ ଫଳି ଯିବା ସହ ଲାଲ୍‌ ରଙ୍ଗର ପଟି ସୃଷ୍ଟିହୋଇ ପରେ ଘାଆ ହେବା ଏହାର ଲକ୍ଷଣ ବୋଲି ବିଶେଷଜ୍ଞଙ୍କ ମତ।

Advertisment

ସ୍କ୍ବାମ୍‌ସ ସେଲ୍‌ କାର୍ସିନୋମା ନାମକ ଚର୍ମ କର୍କଟ ‘ଶାଢ଼ି କର୍କଟ’ ଭାବରେ ମଧ୍ୟ ଜଣାଶୁଣା। ଏହି ବିରଳ ଚର୍ମ କର୍କଟ ଶାଢ଼ି ପିନ୍ଧିବା ଦ୍ବାରା ଅଣ୍ଟାରେ ସୁଦୀର୍ଘ ଘର୍ଷଣ ଯୋଗୁଁ ହୋଇଥାଏ। ଶାଢ଼ି ବ୍ୟତୀତ ଖୁବ୍‌ ଜୋର୍‌ରେ କଷି କରି ପିନ୍ଧାଯାଉଥିବା ଧୋତି, ସାୟା ଆଦି ଯୋଗୁଁ ଏହି କର୍କଟ ହୋଇପାରେ।

ପ୍ରତିକାର ସ୍ବରୂପ ଶାଢ଼ି ବା ସାୟା ଆଦିକୁ ଟିକେ ଢିଲା କରି ପିନ୍ଧିବା ଦରକାର। କମର ଇଲାକାରେ ସ୍ବଚ୍ଛତା ବଜାୟ ରଖିବା ସହ ଅତିରିକ୍ତ ଆରାମ ଓ ଘର୍ଷଣ ହ୍ରାସ ପାଇଁ କଷିକରି ପିନ୍ଧୁଥିବା ସ୍ଥାନ ତଳେ ଆଉ ଏକ କୋମଳ ପଟି ବାନ୍ଧିଲେ ଭଲ। ସର୍ବଦା ସରୁ ଡୋରି ଅପେକ୍ଷା ବେଲ୍‌ଟ ପରି ପ୍ରଶସ୍ତ ପଟି ବ୍ୟବହାର କରିବା ଉଚିତ। ସୂର୍ଯ୍ୟକିରଣ ସଂସ୍ପର୍ଶରେ ବିଶେଷ କରି ସକାଳ ୧୦ଟାରୁ ଅପରାହ୍‌ଣ ୪ଟା ଭିତରେ କମ୍‌ ଆସିବାକୁ ଚେଷ୍ଟା କରନ୍ତୁ। ବାହାରକୁ ଗଲା ବେଳେ ସାବଧାନତାର ସହପୋଷାକ ପିନ୍ଧିବା ସହ ଯଥା ସମ୍ଭବ ଛାଇର ଆଶ୍ରୟ ନିଅନ୍ତୁ। ତ୍ବଚାକୁ ତୋଫା କରିବା ଲାଗି ବ୍ୟବହୃତ ‘ଟାନିଂ ବେଡ୍‌’ଠାରୁ ଦୂରେଇ ରହିବା ଦରକାର, କାରଣ ସେଥିରୁ କ୍ଷତିକାରକ ଅତିବାଇଗଣୀ ରଶ୍ମି ବିକରିତ ହୋଇଥାଏ। ଧୂମପାନ ମଧ୍ୟ ଏସ୍‌ସିସି ଆଶଙ୍କା ବଢ଼ାଇଥାଏ, ତେଣୁ ତାହା ବର୍ଜନ କରିବା ଉଚିତ। ସର୍ବୋପରି ଚର୍ମରେ କୌଣସି ପ୍ରକାର ସନ୍ଦେହଜନକ ପରିବର୍ତ୍ତନ ଦେଖାଗଲେ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ ଜରୁରି।