ନୂଆଦିଲ୍ଲୀ: ପୂର୍ବତନ ହିଜ୍ବୁଲ୍ ମୁଜାହିଦୀନ୍ ନେତା ଜାକିର ମୁଶାଙ୍କ ନେତୃତ୍ୱାଧୀନ କଶ୍ମୀରଭିତ୍ତିକ ଅଲ୍ କାଏଦା ଅନୁବନ୍ଧିତ ସଙ୍ଗଠନ ‘ଅନ୍ସାର ଘଜ୍ଓ୍ଵାଟ୍-ଉଲ୍-ହିନ୍ଦ୍’ର ଆନୁଷ୍ଠାନିକ ଗଣମାଧ୍ୟମରେ ଏକ ସଦ୍ୟ ମନ୍ତବ୍ୟ ଜାରି କରି ମୁଶା ସତର୍କ କରାଇ ଦେଇଛନ୍ତି ଯେ ‘ଅଧିକୃତ ହିନ୍ଦୁସ୍ତାନକୁ ସ୍ୱାଧୀନ’ ନ କରିବା ଯାଏଁ ତାହା ବସି ରହିବ ନାହିଁ।
ରିଲିଜ୍ ହୋଇଥିବା ବିବୃତିରେ ନିବେଦନ କରାଯାଇଛି ଯେ ଅଷ୍ଟମ ଶତାବ୍ଦୀରେ ମହମ୍ମଦ୍ ବିନ୍ କାଶିମ୍ ସିନ୍ଧ୍ର ପୂର୍ବତନ ହିନ୍ଦୁ ରାଜାଙ୍କୁ ହତ୍ୟା କରି ସେଠାରେ ଶାରିହା ଶାସନ ପ୍ରଚଳନ କରିଥିଲେ। ତେଣୁ ସମସ୍ତ ମୁସଲମାନ ନିଜର ସୁଖସ୍ୱାଚ୍ଛନ୍ଦ ତ୍ୟାଗ କରି ଇସ୍ଲାମିକ୍ କଲିଫେଟ୍ର ପୁନଃ ପ୍ରତିଷ୍ଠା ପାଇଁ ସଂଗ୍ରାମରେ ଯୋଗ ଦେବା ଉଚିତ।
ବର୍ତ୍ତମାନ ଭାରତୀୟ ଉପମହାଦେଶସ୍ଥିତ ପାକିସ୍ତାନ ଅଞ୍ଚଳ ହେଉଛି ‘ଅଲ୍-ସିନ୍ଧ୍’। ତାହା ଏକଦା ଉମ୍ମାୟାଦ୍ ଖଲିଫେଟ୍ର ସେନାଧ୍ୟକ୍ଷ ମହମ୍ମଦ୍ ବିନ୍ କାଶିମ୍ଙ୍କ ଦ୍ୱାରା ଇସ୍ଲାମିକ୍ ଶାରିହା ଆଧାରରେ ଶାସିତ ହେଉଥିଲା। ଉପମହାଦେଶର ପ୍ରଥମ ରାଜ୍ୟ ହେଉଛି ଅଲ୍-ସିନ୍ଧ୍ ଯେଉଁଠି ଶାରିହା ପ୍ରଚଳନ କରାଯାଇଥିଲା। ୧୪୦୦ ବର୍ଷ ତଳେ ଅଲ୍-ସିନ୍ଧ୍ ଯାତ୍ରା ଆରମ୍ଭ ହୋଇଥିଲା। ଅଧିକୃତ ହିନ୍ଦୁସ୍ତାନ୍କୁ ସ୍ୱାଧୀନ କରି ଈସା ଇନ୍ ଶାମ୍ ସେନାରେ ଯୋଗ ନ ଦେଲା ଯାଏଁ ଏହି ଯାତ୍ରା ବନ୍ଦ ହେବ ନାହିଁ। ଘଜ୍ଓ୍ଵତ୍ ଉଲ୍ ହିନ୍ଦ୍ର ଆନୁଷ୍ଠାନିକ ଟେଲିଗ୍ରାମ୍ ଚାନେଲ୍ ଅଲ୍ ହୁର୍ରେ ଗୁରୁବାର ରାତିରେ ଏହି ବିବୃତି ପ୍ରସାରିତ ହୋଇଛି।