ଆଜି ବିଶ୍ବ ମସ୍ତିଷ୍କ ଟ୍ୟୁମର ଦିବସ

ଆଜି ବିଶ୍ବ ମସ୍ତିଷ୍କ ଟ୍ୟୁମର ଦିବସ। ମସ୍ତିଷ୍କ ଟ୍ୟୁମର ହେଉଛି ବିଶ୍ବର ଚତୁର୍ଥ ସାଂଘାତିକ କର୍କଟ ରୋଗ ଏବଂ ୨୦୩୦ ସୁଦ୍ଧା ଏହା ଦ୍ବିତୀୟ ସର୍ବାଧିକ କର୍କଟ ରୋଗୀଙ୍କୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଏ। ଉଲ୍ଲେଖଯୋଗ୍ୟ, ମସ୍ତିଷ୍କରେ କୌଣସି ପ୍ରକାର କୋଷର ଅସ୍ବାଭାବିକ ବୃଦ୍ଧିକୁ ମସ୍ତିଷ୍କ ଟ୍ୟୁମର କୁହାଯାଇଥାଏ। ଏହା ଦୁଇ ପ୍ରକାରର- ଗୋଟିଏ ହେଲା ବିନାଇନ୍‌ ବା ଅଣକର୍କଟ ଏବଂ ଅନ୍ୟଟି ହେଲା ମାଲିଗ୍ନାଣ୍ଟ ବା କର୍କଟ। ତେବେ ଟ୍ୟୁମର କୋଷର ଆକାର, ପ୍ରକାର, ଉତ୍ପତ୍ତିସ୍ଥଳ ଓ ବୃଦ୍ଧି ଅନୁଯାୟୀ ରୋଗର ଲକ୍ଷଣ ଜଣାପଡ଼ିଥାଏ। ବାନ୍ତି ହେବା ଓ ଓକାର ଆସିବା ସହ ସ୍ମରଣଶକ୍ତି ଓ ଏକାଗ୍ରତାରେ ହ୍ରାସ ସମେତ ସମନ୍ବୟ ଓ ସନ୍ତୁଳନରେ ଅଭାବ ଦେଖାଦେବା ହେଉଛି ମସ୍ତିଷ୍କ ଟ୍ୟୁମରର ପ୍ରାଥମିକ ଲକ୍ଷଣ।

ରୋଗ ପୁରୁଣା ହେବା ସାଙ୍ଗକୁ ବିଭିନ୍ନ ଅଙ୍ଗ ନିଷ୍କ୍ରିୟ ହେବା ପରି ଗୁରୁତର ଲକ୍ଷଣ ଦେଖାଦେବା ସହ ଅନେକ ରୋଗୀ ମୃତ୍ୟୁମୁଖରେ ପଡ଼ିଥା’ନ୍ତି। ପ୍ରତିବର୍ଷ କେବଳ ଭାରତରେ ୨୮ ହଜାର ବ୍ୟକ୍ତି ମସ୍ତିଷ୍କ ଟ୍ୟୁମରରେ ଆକ୍ରାନ୍ତ ହେଉଥିବା ବେଳେ ସେଥିରୁ ୨୪ ହଜାରଙ୍କର ମୃତ୍ୟୁ ହେଉଥିବା ଜଣାଯାଇଛି। ତେବେ ପ୍ରଥମରୁ ସଚେତନ ହୋଇପାରିଲେ ମସ୍ତିଷ୍କ ଟ୍ୟୁମରକୁ ଔଷଧ, ଅସ୍ତ୍ରୋପଚାର, ତେଜଷ୍କ୍ରିୟ ବିକିରଣ ଓ ରାୟାୟନିକ ପ୍ରୟୋଗ ଆଦି ବିଭିନ୍ନ ଉପାୟରେ ହଟାଯାଇ ପୀଡ଼ିତଙ୍କୁ ସୁସ୍ଥ କରାଯାଇପାରିବ। ତେଣୁ ମସ୍ତିଷ୍କ ଟ୍ୟୁମର ସମ୍ପର୍କରେ ବିଶ୍ବବ୍ୟାପୀ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜର୍ମାନ ମସ୍ତିଷ୍କ ଟ୍ୟୁମର ସଂଘ ପକ୍ଷରୁ ୨୦୦୦ ମସିହାରେ ଏହି ଦିବସ ପାଳନର ପରିକଳ୍ପନା କରାଯାଇଥିଲା।

ସମ୍ବନ୍ଧିତ ଖବର