ଆଜି ବିଶ୍ବ ଅଣ୍ଡା ଦିବସ। ଅଣ୍ଡାରେ ଉଚ୍ଚମାନର ପ୍ରୋଟିନ୍, ଭିଟାମିନ୍ ଫୋଲେଟ୍, ସେଲେନିୟମ୍, କୋଲାଇନ୍ ଏବଂ ଲ୍ୟୁଟିନ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ସମେତ ବିଭିନ୍ନ ପ୍ରକାରର ଅତ୍ୟାବଶ୍ୟକୀୟ ପୁଷ୍ଟିକର ପଦାର୍ଥ ଭରପୂର୍ ମାତ୍ରାରେ ରହିଛି। ଯାହାଫଳରେ ଅଣ୍ଡା ଖାଇଲେ ଆମକୁ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟଗତ ସୁବିଧା ମିଳିଥାଏ।
ଏହି ପୁଷ୍ଟିକର ପଦାର୍ଥ ମାଂସପେଶୀ ବୃଦ୍ଧି, ମସ୍ତିଷ୍କ କାର୍ଯ୍ୟ, ଚକ୍ଷୁ ସ୍ୱାସ୍ଥ୍ୟ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ବୃଦ୍ଧି କରିବାରେ ସହାୟକ ହୁଏ। କେବଳ ସେତିକି ନୁହେଁ, ଏକ ଗବେଷଣାରୁ ଜାଣିବାକୁ ମିିଳିଛି ଯେ ଅଧିକାଂଶ ଲୋକଙ୍କ ପାଇଁ ପ୍ରତିଦିନ ଗୋଟିଏରୁ ତିନୋଟି ଅଣ୍ଡା ଖାଇବା ଖୁବ୍ ଭଲ। ୧୦୦ ଗ୍ରାମ ଅଣ୍ଡାରେ ପ୍ରାୟ ୧୩ ଗ୍ରାମ ପ୍ରୋଟିନ୍ ସହିତ ସମସ୍ତ ନଅଟି ଅତ୍ୟାବଶ୍ୟକ ଆମିନୋ ଏସିଡ୍ ରହିଥାଏ।
ଅଣ୍ଡାରୁ ଆମକୁ ଉଚ୍ଚମାନର ପ୍ରୋଟିନ୍ ମିଳିଥାଏ। ଯାହାକି ମସ୍ତିଷ୍କ ବୃଦ୍ଧିରେ ଗୁରୁତର ଭୂମିକା ନିର୍ବାହ କରେ। ସେଥିପାଇଁ ଛୋଟପିଲାଙ୍କୁ ଦୈନନ୍ଦିନ ଗୋଟାଏ ଅଣ୍ଡା ଦେବା ଜରୁରୀ ବୋଲି ଡାକ୍ତରମାନେ କହନ୍ତି।
କେବଳ ମସ୍ତିଷ୍କ ପାଇଁ ନୁହେଁ; ହୃଦୟ ପାଇଁ ବି ଅଣ୍ଡା ଖୁବ୍ ଭଲ। କୋଲେଷ୍ଟ୍ରଲ୍ ଅଧିକ ଥିଲେ ମଧ୍ୟ ବ୍ୟକ୍ତି ଅଣ୍ଡା ଖାଇପାରିବେ। ଏହା କୌଣସି ନକାରାତ୍ମକ ପ୍ରଭାବ ପକାଏ ନାହିଁ। ତେବେ ଅଣ୍ଡାର ଧଳା ଅଂଶ ଏବଂ ହଳଦିଆ ଅଂଶ ଉଭୟ ବେଶ୍ ଉପକାରୀ। ପ୍ରତିଦିନ ଅନ୍ତତଃ ଗୋଟାଏ ଅଣ୍ଡା ଖାଇବା ଶରୀର ପ୍ରତି ଭଲ ହୋଇଥାଏ।