ଜୁନ୍ ମାସର ପାଞ୍ଚତାରିଖ ଦିନଟି ସାରା ପୃଥିବୀରେ ପରିବେଶ ଦିବସ ରୂପେ ପାଳିତ ହୁଏ। ୧୯୭୨ରେ ଜାତିସଂଘ ପକ୍ଷରୁ ଏହାର ପାଳନ ପାଇଁ ଘୋଷଣା ହୋଇଥିଲା ଏବଂ ୧୯୭୪ ମସିହାଠାରୁ ଏହା ପାଳିତ ହୋଇଆସୁଛି। ଏବେ ଆମ ଦେଶ ସମେତ ପୃଥିବୀର ୧୪୩ଟି ଦେଶ ଏହାର ସଦସ୍ୟ ଅଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ- ପରିବେଶ ସୁରକ୍ଷା ଓ ସେଥିପାଇଁ ସଚେତନତା।
କିନ୍ତୁ ଆମ ଦେଶର ଶାସ୍ତ୍ରଗ୍ରନ୍ଥମାନଙ୍କରେ ଯେ ଆବହମାନ କାଳରୁ ଏହାକୁ ଗୁରୁତ୍ୱ ଦିଆ ହୋଇଆସିଛି, ଏହାର ପ୍ରମାଣ ‘ଗୀତା’ ଓ ‘ଭାଗବତ’ରୁ ଆମକୁ ମିଳେ।
‘ଶ୍ରୀମଦ୍ଭଗବଦ୍ଗୀତା’ର ସପ୍ତମ ଅଧ୍ୟାୟ ହେଉଛି, ‘ଜ୍ଞାନବିଜ୍ଞାନ ଯୋଗ’। ତାହାର ଆରମ୍ଭରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି, “ମୋତେ ସମଗ୍ର ଭାବରେ ଜାଣିଲେ ହିଁ ତୁମ ମନରୁ ସଂଶୟ ଦୂର ହୋଇଯିବ।”
ଆମେ ଯାହାକୁ ‘ପରିବେଶ ସୁରକ୍ଷା’ କହୁଛୁ, ତାହା ପ୍ରକୃତରେ ‘ପ୍ରକୃତିର ସୁରକ୍ଷା’। ଏହି ଅଧ୍ୟାୟରେ (ଶ୍ଳୋକ-୪ରେ) ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, “ପୃଥିବୀ, ଅନଳ, ପବନ, ଜଳ ଓ ଆକାଶ ଏବଂ ବୁଦ୍ଧି, ମନ ଓ ଅହଂକାର- ଏହି ଆଠଟି ହେଉଛି ତାଙ୍କର ପ୍ରକୃତି। ଏହାର ତାତ୍ତ୍ୱିକ ଅର୍ଥ ରହିଛି। ତାହା ହେଉଛି- ପ୍ରକୃତି ବା ଈଶ୍ୱରଙ୍କର ମାୟାଶକ୍ତି ଆଠ ଭାଗରେ ବିଭକ୍ତ। ଏହା ‘ଅପରା ପ୍ରକୃତି’। ଏହା ଉପରେ ତାଙ୍କର ଏକ ‘ପରା’ ପ୍ରକୃତି ବା ଶ୍ରେଷ୍ଠ ଓ ଶୁଦ୍ଧ ପ୍ରକୃତି ଅଛି। କିନ୍ତୁ ସାଧାରଣ ଭାବରେ ଆମେ ବୁଝିବା ଯେ ପୃଥିବୀ, ଅନଳ, ପବନ, ଜଳ ଓ ଆକାଶ (କ୍ଷିତି, ଅପ୍, ତେଜ, ମରୁତ ଓ ବ୍ୟୋମ) ହେଉଛନ୍ତି ଈଶ୍ୱରଙ୍କର ସ୍ୱରୂପ।
କିନ୍ତୁ ‘ଶ୍ରୀମଦ୍ ଭାଗବତ’ରେ ଅତି ସ୍ପଷ୍ଟ ଭାବରେ ଏହି ପାଞ୍ଚଟିକୁ ବା ‘ପଞ୍ଚ ମହାଭୂତ’ଙ୍କୁ ଭଗବାନଙ୍କର ଶରୀର ବୋଲି କୁହାଯାଇଛି। ଏକାଦଶ ସ୍କନ୍ଧର ‘ନିମି ଓ ନବଋଷି ସମ୍ବାଦ’ରେ କୁହାଯାଇଛି-
ଗଗନ ସମୀରଣ ଜ୍ୟୋତି। ଯେ ଅବା ସଲିଳ ଧରିତ୍ରୀ।।
ନଦୀ ସାଗର ତରୁଗଣ। ପର୍ବତ ସ୍ଥାବର ଜଙ୍ଗମ ।।
ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର। ଏ ସର୍ବ କୃଷ୍ଣର ଶରୀର।।
ନିଶ୍ଚୟ ଜାଣି ଏକଚିତ୍ତେ। ପ୍ରଣାମ କରୁଥିବ ନିତ୍ୟେ।।
ଏହା କହେ- ଏ ସମଗ୍ର ପ୍ରକୃତି (ବା ପରିବେଶ) ହେଉଛି ଭଗବାନଙ୍କର ଶରୀର। ଭଗବାନ ଏସବୁ ଭିତରେ ଏବଂ ଏସବୁ ଭଗବାନଙ୍କ ଭିତରେ ଅଛନ୍ତି। ଏଣୁ ଏହା ବୁଝି, ଏସବୁକୁ ପ୍ରତିଦିନ ପ୍ରଣାମ କରିବା ଆମର କର୍ତ୍ତବ୍ୟ।
ଏଣୁ ଏହା ବୁଝିଗଲେ, ବର୍ଷରେ ଗୋଟିଏ ଦିନ ବିଶ୍ୱ ପରିବେଶ ଦିବସ ପାଳନର ଅବକାଶ ଆଉ ରହିବ ନାହିଁ। ସବୁଦିନ ହେବ ପରିବେଶ ବା ପ୍ରକୃତିର ଉପାସନା ଓ ସୁରକ୍ଷାର ଦିନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/ji1.jpg)