ଭୁବନେଶ୍ବର,୬/୪(ଇମିସ): ସୁସ୍ଥ ମଣିଷ ହେଉଛି ଦେଶ ଓ ସମାଜର ସମ୍ବଳ। ଜଣେ ଅସୁସ୍ଥ ରହିଲେ ‌ତାଙ୍କ ପାଇଁ ଅନ୍ୟମାନେ କାମ କରିଥାନ୍ତି। ତାଙ୍କର ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। ରୋଗରେ ପଡ଼ିଲେ ଜଣେ ବ୍ୟକ୍ତିଙ୍କ ଦୁଇଗୁଣ କ୍ଷତି ହୋଇଥାଏ। ସ୍ବାସ୍ଥ୍ୟ ଦୃଷ୍ଟିରୁ ବିଚାର କଲେ ନିମ୍ନ ୪ ପ୍ରକାରର ଅବସ୍ଥା ମିଳିଥାଏ। ପ୍ରଥମତଃ ଯେଉଁମାନେ ସଂପୂର୍ଣ୍ଣ ସୁସ୍ଥ, ତାଙ୍କର କୌଣସି ଚିକିତ୍ସାର ଆବଶ୍ୟକତା ନ ଥାଏ। ମାତ୍ର ସେମାନେ ସୁସ୍ଥ ରହିବା ଓ ନିରୋଗ ହେବା ପାଇଁ ସତର୍କ ରହିବା ଦରକାର। ଦ୍ବିତୀୟରେ ଯେଉଁମାନେ ସାଧାରଣ ଗୁରୁତର ରୋଗରେ ପୀଡ଼ିତ ଓ ଏହାର ଚିକିତ୍ସା ସହଜ। ତୃତୀୟରେ ଯେଉଁମାନେ ଦୀର୍ଘଦିନ ଧରି ବା ଜୀବନସାରା ଚିକିତ୍ସାର ଆବଶ୍ୟକତା କରୁଥିବା ରୋଗ ସମୂହ। ଏହି ରୋଗ ପାଇଁ ପ୍ରଥମରୁ ଯାଞ୍ଚ କରିବା ଆବଶ୍ୟକ ଓ ରୋଗ ନିର୍ଣ୍ଣୟ ପରେ ନିୟମିତ ଭାବେ ଔଷଧ ଗ୍ରହଣ ଓ ଯାଞ୍ଚ କରିବା ଉଚିତ୍। ସାଧାରଣତଃ ଉଚ୍ଚ ରକ୍ତଚାପ, ମଧୁମେହ-୨, ଥାଇରଏଡ୍‌, ମାନସିକ ଅବସାଦ, ହୃଦ୍‌ରୋଗ ଓ କେତେଗୁଡ଼ିଏ ସ୍ନାୟୁଜନିତ ରୋଗ କ୍ଷେତ୍ରରେ ସାରାଜୀବନ ଚିକିତ୍ସାର ଆବଶ୍ୟକତା ହୋଇଥାଏ। ଏହି ରୋଗଗୁଡ଼ିକ ପାଇଁ ସାଧାରଣତଃ ଡାକ୍ତରଖାନାରେ ଆଡମିସନ ହୋଇ ଚିକିତ୍ସା ହେବାର ଆବଶ୍ୟକତା ପଡ଼ିନଥାଏ।

Advertisment

ମାତ୍ର ଚତୁର୍ଥ ପ୍ରକାରର ରୋଗ ପାଇଁ ଡାକ୍ତରଖାନାରେ ରହି ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। ଦୁର୍ଘଟଣା, ହୃଦ୍‌ଘାତ, ଷ୍ଟ୍ରୋକ୍, କିଡ୍‌ନି ରୋଗ, ମଧୁମେହର ଜଟିଳତା, ଇଲୋକ୍ଟ୍ରୋଲାଇଟ୍‌ ଅସୁନ୍ତଳନ, ବିଭିନ୍ନ ପ୍ରକାରର ଅସ୍ତ୍ରୋପଚାର ଦ୍ବାରା ହେଉଥିବା ଚିକିତ୍ସା ପାଇଁ ହସ୍ପିଟାଲରେ ଆଡମିସନ ଦରକାର ପଡ଼ିଥାଏ। ସେହି ଅବସ୍ଥାରେ ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକ ଶଯ୍ୟା, ଆଇସିୟୁ ଓ ଭେଣ୍ଟିଲେଟର ତଥା ଅନେକ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ରହିବା ଉଚିତ୍। ତାଲିମପ୍ରାପ୍ତ ଡାକ୍ତର, ବିଶେଷଜ୍ଞ ଓ ସେବିକାଙ୍କ ମଧ୍ୟ ଆବଶ୍ୟକତା ପଡ଼ିଥାଏ। ମଣିଷ ଅସୁସ୍ଥ ହେଲେ ସ୍ବାସ୍ଥ୍ୟାବସ୍ଥା କଥା ଚିନ୍ତା କରିଥାଏ। ‘ହେଲ୍‌ଥ ଇଜ୍ ରିମେମ୍ବରଡ୍‌ ହ୍ବେନ୍ ଇଟ୍‌ ଇଜ୍ ଲଷ୍ଟ’। ସବୁରୋଗର ଯେ ପ୍ରତିରୋଧ କରାଯାଇପାରିବ ତାହା ନୁହେଁ। ମାତ୍ର ସତର୍କ ରହି ପ୍ରଥମରୁ ଚିକିତ୍ସା କଲେ ଅନେକ ସୁସ୍ଥ ଜୀବନ ଯାପନ କରିପାରିବେ। ଏଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ୨୦୨୩ ପାଇଁ ‘ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ’ର ବାର୍ତା ଦିଆଯାଇଛି। ଏଥିପାଇଁ ୧୨ଟି ପ୍ରସଙ୍ଗର ଅବତାରଣା କରାଯାଇଛି।

ସୁସ୍ଥ ରହିବା ମନୁଷ୍ୟର ଏକ ଆବଶ୍ୟକତା ଓ ଅଧିକାର। ଏଥିପାଇଁ ପ୍ରଯତ୍ନ ଜାରି ରହିବା ଉଚିତ୍। ପ୍ରକୃତରେ ଅନେକଗୁଡ଼ିକ ମାରାତ୍ମକ ରୋଗର ବିଲୋପ, ଶିଶୁ ଓ ମାତୃ ମୃତ୍ୟୁହାରରେ କ୍ରମଶଃ ହ୍ରାସ ଓ ମଣିଷର ବଞ୍ଚି ରହିବାର ଆୟୁ ବୃଦ୍ଧି ଚିକିତ୍ସା ବିଜ୍ଞାନର ଉପଯୋଗ ଦ୍ବାରା ହାସଲ ହୋଇପାରିଛି। ଭୟାନକ ରୋଗ ଗୁଡ଼ିକର ମୂଳୋତ୍ପାଟନ ଯଥା ବସନ୍ତ, ପୋଲିଓ ସଂପୂର୍ଣ୍ଣ ଲୋପ ପାଇଥିବା ବେଳେ ଟିଟାନ୍‌ସ, ମିଳିମିଳା, ହାଡ଼ଫୁଟି ଇତ୍ୟାଧି ମଧ୍ୟ ଦେଶରୁ ନିଶ୍ଚିହ୍ନ ହେବା ସ୍ତରରେ ପହଞ୍ଚିଛି। ମ୍ୟାଲେରିଆ ଓ ଟିଟି ମଧ୍ୟ ଅଧିକ ମାତ୍ରାରେ ହ୍ରାସ ପାଇଛି। ଗତ ୩ବର୍ଷ ହେବ ବିଶ୍ବରେ କରୋନା ଦ୍ବାରା କୋଟି କୋଟି ଲୋକ ସଂକ୍ରମିତ ହେବା ସହିତ ଲକ୍ଷାଧିକ ଲୋକ ପ୍ରାଣ ହରାଇଛନ୍ତି। ମାତ୍ର ସତର୍କତା ଓ ନିରବଚ୍ଛିନ୍ନ କାର୍ଯ୍ୟଧାରା ମୃତ୍ୟୁର ପରିମାଣ ଓ ଭୟବହତାକୁ ବହୁ ମାତ୍ରାରେ ହ୍ରାସ କରିପାରିଛି। ଟିକା ପ୍ରଦାନ ଏ ଦିଗରେ ଆଉ ଏକ ସଫଳତା। ସ୍ବାସ୍ଥ୍ୟ ପାଇଁ ଶାନ୍ତି, ଶାନ୍ତି ପାଇଁ ସ୍ବାସ୍ଥ୍ୟ। ଯୁଦ୍ଧ ମାନବ ସମାଜ ପାଇଁ ଏକ ଅଭିଶାପ। ଏଥିପାଇଁ ସବୁସ୍ତରରେ ଶାନ୍ତି ପ୍ରତିଷ୍ଠା ବାଞ୍ଛନୀୟ। ଯୁଦ୍ଧରେ ଆକ୍ରାନ୍ତ ଲୋକଙ୍କ ସେବା ଓ ଚିକିତ୍ସା କଷ୍ଟକର। ସେହିପରି ଫର୍ମୁଲା ଶିଶୁ ଖାଦ୍ୟ, ତମାଖୁ, ରକ୍ତହୀନତାର ପ୍ରତିକାର, କ୍ଷତିକାରକ ଫ୍ୟାଟ୍, ଉଚ୍ଚ ରକ୍ତଚାପ, ମଧୁମେହ-୨, ହେପାଟାଇଟିସ୍ ଇତ୍ୟାଦିର ନିୟନ୍ତ୍ରଣ ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଛି। ପ୍ରାୟ ୨୦ ପ୍ରକାରର ଜୀବନ ରକ୍ଷାକାରୀ ଟିକା ପ୍ରଚଳନ ଦ୍ବାରା ଭୟାନକ ରୋଗ କବଳରୁ ସୁରକ୍ଷା ମିଳିପାରୁଛି। ଏଥିରେ ଶିଶୁମାନଙ୍କ ପାଇଁ ୬ ପ୍ରକାରର ଟିକା ରହିଛି। ଜଳବାୟୁ ପରିବର୍ତ୍ତନ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ମାନବ ସମାଜ ଓ ସ୍ବାସ୍ଥ୍ୟ ଦିଗରେ ଏହା ସବୁଠାରୁ ବଡ଼ ସମସ୍ୟା। ବାୟୁର ମାନ, ବିଶୁଦ୍ଧ ପିଇବା ପାଣି, ଉପଯୁକ୍ତ ଖାଦ୍ୟ, ସ୍ବଚ୍ଛତା ଓ ବାସଗୃହ ସହିତ ଅନେକ ବିଷୟ ଏହାର ଅନ୍ତର୍ଭୁକ୍ତ।

ଦେଶରେ ମାତୃ ଓ ଶିଶୁ ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି। ଯେଉଁମାନେ ଆମର ଯତ୍ନ ନେଉଛନ୍ତି ଆ‌ମକୁ ମଧ୍ୟ ‌ତାଙ୍କର ଯତ୍ନ ନେବାକୁ ହେବ। ଜଟିଳ ଓ ଭୟାବହ ରୋଗ ସହିତ ରୋଗୀମାନଙ୍କ ଯତ୍ନ ନେଉଥିବା ଡାକ୍ତର, ସେବିକା ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ୍। ସରକାରୀ ସ୍ତରରେ ମଧ୍ୟ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ। ଏହାସହ ଅଣ ସଂକ୍ରାମକ ରୋଗ ଓ ମାନସିକ ରୋଗର ଚିହ୍ନଟ ଓ ଚିକିତ୍ସା ପାଇଁ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା ହୋଇଛି। ଆଣ୍ଟିବାୟୋଟିକର ଅନିୟନ୍ତ୍ରିତ ବ୍ୟବହାର ଯୋଗୁଁ ଜୀବାଣୁମାନଙ୍କର ପ୍ରତିରୋଧ ଶକ୍ତି ବୃଦ୍ଧି ଏକ ଗୁରୁତର ସମସ୍ୟା। ଏଥିପାଇଁ ସ‌ଚେତନତା ଓ ନିୟନ୍ତ୍ରଣର ଆବଶ୍ୟକତା ରହିଛି। ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ କେବଳ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସେବିକା ଓ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ବାରା ହୋଇପାରିବ ନାହିଁ। ଏଥିପାଇଁ ଅନ୍ୟ କ୍ଷେତ୍ରର ସହଯୋଗ ଲୋଡ଼ା। ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଗମନାଗମନ ବ୍ୟବସ୍ଥା, ବାସଗୃହ, ପରିବେଶ, ଦୁର୍ଘଟଣା, ଟିକାକରଣ, ରୋଗ ଯାଞ୍ଚ, ଉପଯୁକ୍ତମାନର ଔଷଧ, ବିଶୁଦ୍ଧ ବାୟୁ ଓ ଅନ୍ୟ ଉପାଦାନ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ।
ଡା. ରାମଚନ୍ଦ୍ର ରାଉତ
ବରିଷ୍ଠ ଚିକିତ୍ସକ
ମୋ: ୯୪୩୭୭୪୨୪୯୯