ପ୍ରତି ବର୍ଷ ଆଜିର ଦିନକୁ ସମଗ୍ର ପୃଥିବୀରେ ‘ବିଶ୍ବ ହୋମିଓପାଥି ଦିବସ’ ରୂପେ ପାଳନ କରାଯାଉଛି। ଅଣପାରମ୍ପରିକ ଚିକିତ୍ସା ପଦ୍ଧତି ହୋମିଓପାଥିର ପ୍ରତିଷ୍ଠାତା ସାମୁଏଲ ହାନେମ୍ୟାନ୍‌ଙ୍କର ୧୭୫୫ ଏପ୍ରିଲ ୧୦ ତାରିଖରେ ଜନ୍ମ ହୋଇଥିଲା। ତେଣୁ ତାଙ୍କ ଜନ୍ମ ତାରିଖକୁ ବିଶ୍ବବ୍ୟାପୀ ହୋମିଓପାଥି ଦିବସ ଭାବେ ପାଳନ କରାଯାଉଛି। ଉଦ୍ଦେଶ୍ୟ ହେଉଛି, ହୋମିଓପାଥି ଓ ଚିକିତ୍ସା ଜଗତ୍‌ରେ ଏହାର ଅବଦାନକୁ ସମ୍ମାନ ଜଣାଇବା। ଏଥି ସହିତ ବର୍ତ୍ତମାନ ସୁଦ୍ଧା ଆମକୁ ବ୍ୟାପିଥିବା ଏହି ଚିକିତ୍ସା ପଦ୍ଧତିର ମାର୍ଗର ସମୀକ୍ଷା କରିବା ସହ ଆମ ସମ୍ମୁଖରେ ଥିବା ଆହ୍ବାନର ମୁକାବିଲା କରିବା। ସୂଚନାଯୋଗ୍ୟ, ହୋମିଓପାଥିରେ ଅସ୍ତ୍ରୋପଚାର ପରି ଜଟିଳ ପ୍ରକ୍ରିୟା ନଥାଏ ଏବଂ ଔଷଧଗୁଡ଼ିକର କୌଣସି ନକାରାତ୍ମକ ପାର୍ଶ୍ବ ପ୍ରତିକ୍ରିୟା ନଥିବାରୁ ତାହା ବ୍ୟବହାର କରିବା ନିରାପଦ। ଚଳିତ ବର୍ଷ ଏହି ଦିବସ ପାଳନର ମୁଦ୍ଦା ରହିଛି ‘ଗୋଟିଏ ପରିବାର, ଗୋଟିଏ ସ୍ବାସ୍ଥ୍ୟ’।

Advertisment

ଅର୍ଥାତ୍‌ ଆଖପାଖରେ ଥିବା ଘରୋଇ ହୋମିଓପାଥି ଚିକିତ୍ସକଙ୍କ ଜରିଆରେ ପୂରା ପରିବାରର ସ୍ବାସ୍ଥ୍ୟ ଓ କଲ୍ୟାଣ ପାଇଁ ପ୍ରମାଣ ଆଧାରିତ ହୋମିଓପାଥି ଚିକିତ୍ସାକୁ ପ୍ରାଥମିକତା ଦେବ। ତେବେ ସେଥିପାଇଁ ହୋମିଓପାଥି ଚିକିତ୍ସକଙ୍କ ଦକ୍ଷତା ବୃଦ୍ଧି ଜରୁରୀ। ମୁଖ୍ୟତଃ ହୋମିଓପାଥି ଚିକିତ୍ସକଙ୍କର ସଫଳତା ହାର ବୃଦ୍ଧି କରିବା ଲାଗି ଶିକ୍ଷାର ଗୁଣବତ୍ତା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଥି ସହିତ ବଜାରରେ ଉନ୍ନତମାନର ହୋମିଓପାଥି ଔଷଧର ଉତ୍ପାଦ ଓ ଉପଲବ୍‌ଧତାକୁ ମଧ୍ୟ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି। ତେବେ ଏହା ସମ୍ଭବ ହେବ ଯେତେବେଳେ ହୋମିଓପାଥି ଅଭ୍ୟାସ କରୁଥିବା ସମୁଦାୟ ଅଭିନବତ୍ବ, ଆଧୁନିକୀକରଣ ଓ ନୂତନ ଉଦ୍ଭାବନ ଉଦ୍ଦେଶ୍ୟରେ ବିଭିନ୍ନ ପଦକ୍ଷେପ ଓ ଗବେଷଣା ପ୍ରକଳ୍ପ ସହ ମିଳିତ ଭାବେ ଆଗକୁ ବଢ଼ିବା ଆରମ୍ଭ କରିବେ।