ଆଜି ସର୍ବତ୍ର ‘ବିଶ୍ବ ସିକଲ୍ ସେଲ୍ ସଚେତନତା ଦିବସ’ ପାଳନ କରାଯାଉଛି। ‘ସିକଲ୍ ସେଲ୍’ ପରି ରକ୍ତ ସମ୍ପର୍କିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ସହ ଏଥିରେ ପୀଡ଼ିତ ବ୍ୟକ୍ତି, ପରିବାର ଓ ବିଶ୍ବ ବ୍ୟାପୀ ଏହାର ପ୍ରଭାବ ବାବଦରେ ଅବଗତ ହେବା ଉଦ୍ଦେଶ୍ୟରେ ୨୦୦୯ ମସିହାରୁ ପ୍ରତି ବର୍ଷ ଜୁନ୍ ୧୯ ତାରିଖରେ ଏହି ଦିବସ ପାଳିତ ହେଉଛି। ‘ସିକଲ୍ ସେଲ୍’ ଏପରି ଏକ ଗୁଣସୂତ୍ରୀୟ ବିଶୃଙ୍ଖଳା ଯାହା ରକ୍ତର ଗୋଲାକାର ଲୋହିତ ରକ୍ତକଣିକାଗୁଡ଼ିକୁ ଅସ୍ବାଭବିକ ଭାବେ ସିକଲ୍ ବା ଦା’ ଆକୃତିର କରିଦେଇଥାଏ। ଏହି ବିକୃତ ରକ୍ତକଣିକାଗୁଡ଼ିକ ଶିରାପ୍ରଶିରାରେ ରକ୍ତପ୍ରବାହକୁ ପ୍ରତିରୋଧ କରିଥାନ୍ତି। ଫଳସ୍ବରୂପ ନାନା ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ।
ଏହାକୁ ଏକ ବୈଶ୍ବିକ ସ୍ବାସ୍ଥ୍ୟ ସଂକଟ ଭାବେ ବିଚାର କରି ମିଳିତ ଜାତିସଂଘର ସାଧାରଣ ପରିଷଦ ଏହି ଦିବସ ପାଳନ ପାଇଁ ୨୦୦୮ ମସିହାରେ ସଂକଳ୍ପ ପାରିତ କରିଥିଲା। ଏ ରୋଗ ନେଇ ସଚେତନତା ସୃଷ୍ଟିର ଉଦ୍ଦେଶ୍ୟ ହେଉଛି, ଏହି ରୋଗରେ ପୀଡ଼ିତମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ଅବଗତ ହୋଇ ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ଏବଂ ଆଗୁଆ ରୋଗ ଚିହ୍ନଟ ସହ ଉନ୍ନତ ସ୍ବାସ୍ଥ୍ୟସେବାକୁ ଆପଣେଇବା। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, ‘ବିଶ୍ବସ୍ତରୀୟ ସିକଲ୍ ସେଲ୍ ସଂପ୍ରଦାୟ ଗଠନ ଓ ଦୃଢ଼ୀକରଣ, ନବଜାତକଙ୍କ ରକ୍ତ ପରୀକ୍ଷାକୁ ବିଧିସଂଗତ କରି ରୋଗର ସ୍ଥିତି ନିରୂପଣ।’