ପାକିସ୍ତାନରେ ଆନୁଷ୍ଠାନିକ ଭାବେ ଯୋଗଶିକ୍ଷା ଆରମ୍ଭ: ପ୍ରଶାସନ ପକ୍ଷରୁ ମାଗଣା କ୍ଲାସ୍

ଇସଲାମାବାଦ: ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିବା ପରେ ଭାରତର ପ୍ରାଚୀନ ଶାରୀରିକ ଏବଂ ମାନସିକ ବ୍ୟାୟାମ ଯୋଗଶିକ୍ଷା ଆନୁଷ୍ଠାନିକ ଭାବରେ ପାକିସ୍ତାନରେ ମଧ୍ୟ ଆରମ୍ଭ ହୋଇଛି। ବାସ୍ତବରେ ପାକିସ୍ତାନର ରାଜଧାନୀ ଇସଲାମାବାଦର କ୍ୟାପିଟାଲ୍ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଏହାର ଅଫିସିଆଲ୍ ଫେସବୁକ୍ ପେଜରେ ମାଗଣା ଯୋଗ କ୍ଲାସ ଆରମ୍ଭ କରିବାକୁ ଘୋଷଣା କରିଛି।

ଫେସବୁକରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ସିଡିଏ କହିଛି ସହରର ମୁଖ୍ୟ ପାର୍କ ଏଫ-୯ ରେ ମାଗଣା ଯୋଗ କ୍ଲାସ୍ ଅନୁଷ୍ଠିତ ହେବ। ପାକିସ୍ତାନର ଅନେକ ନାଗରିକ ସିଡିଏର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ଯୋଗ କ୍ଲାସ୍‌ରେ ବହୁ ଲୋକ ଯୋଗ ଦେଇସାରିଛନ୍ତି ଏବଂ ପାକିସ୍ତାନରେ ଯୋଗ କରୁଥିବା ଲୋକଙ୍କ ଚିତ୍ର ସୋସିଆଲ ମିଡିଆରେ ସେୟାର କରାଯାଇଛି। ସିହିଏର ଏହି ପଦକ୍ଷେପକୁ ପ୍ରଶଂସା କରି ଜଣେ ୟୁଜର ଲେଖିଛନ୍ତି ଏହା ଏକ ଭଲ ପଦକ୍ଷେପ ଏବଂ ୟୁଜର ମାଗଣା ଯୋଗ କ୍ଲାସର ସମୟ ବିଷୟରେ ମଧ୍ୟ ପଚାରିଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ଯୋଗକୁ ମିଳିତ ଜାତିସଂଘ ଦ୍ୱାରା ମଧ୍ୟ ମାନ୍ୟତା ଦିଆଯାଇଛି ଏବଂ ମିଳିତ ଜାତିସଂଘ ପ୍ରତିବର୍ଷ ଜୁନ୍ ୨୧ କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଛି। ଭାରତ ଏହା ପ୍ରସ୍ତାବ ଦେଇଥିଲା, ଯାହାକି ଏକ ରେକର୍ଡ ୧୭୫ ଦେଶର ସମର୍ଥନ ପାଇଥିଲା। ଯୋଗ ଭାରତ ସହ ଜଡିତ ଏବଂ ଏପର୍ଯ୍ୟନ୍ତ ପାକିସ୍ତାନରେ ଏତେ ଲୋକପ୍ରିୟ ହୋଇ ନାହିଁ। ତେବେ ଅନେକ ଘରୋଇ ଅନୁଷ୍ଠାନ ପାକିସ୍ତାନରେ ଯୋଗ ଶିକ୍ଷା ପ୍ରଦାନ କରୁଛନ୍ତି।

ସମ୍ବନ୍ଧିତ ଖବର