ବର୍ତ୍ତମାନ ଦେଖାଦେଉଥିବା ବିଭିନ୍ନ ପ୍ରକାର ପରିବେଶୀୟ ଚାପର କୁ-ପ୍ରଭାବ ଉଭୟ ଗୃହିଣୀ ଓ କର୍ମଜୀବୀ ମହିଳାମାନଙ୍କଠାରେ ଦେଖିବାକୁ ମିଳୁଛି। ଏଥିଯୋଗୁଁ ସେମାନଙ୍କ ଜୀବନର ଗୁଣବତ୍ତା, ପ୍ରଜନନ କ୍ଷମତା ଉପରେ ମଧ୍ୟ ପ୍ରଭାବ ପଡ଼ୁଛି। ଚାପ ଦ୍ବାରା ଶାରୀରିକ ହର୍ମୋନାଲ ପରିବର୍ତ୍ତନ ହୋଇଥାଏ। ଏହା ଶରୀର ମଧ୍ୟରେ ରହୁଥିବା ଆଭ୍ୟନ୍ତରୀଣ କ୍ରିୟାକୁ ପ୍ରଭାବିତ କରୁଥିବାରୁ ଜଣେ ମହିଳାଙ୍କ ପାଇଁ ମା’ ହେବାର ସମସ୍ୟା ଦେଖାଦେଇପାରେ। ଏହାବ୍ୟତୀତ ମେଦବହୁଳତା, ବନ୍ଧ୍ୟାତ୍ବ ତଥା ଆଉ କିଛି ସମସ୍ୟାରେ ମହିଳାମାନେ ପୀଡ଼ିତ ହୋଇଥାନ୍ତି। ତେଣୁ କର୍ମଜୀବୀ ମହିଳାମାନେ କିପରି ନିଜର ସ୍ବାସ୍ଥ୍ୟର ଯତ୍ନ ନେବେ, ସେ ସଂପର୍କ‌‌ରେ ଜାଣି ରଖନ୍ତୁ...

Advertisment

କ’ଣ କରିବେ
୧. ଦୈନିକ ଯୋଗ ଓ କିଛି କାମ କରିବା ଦ୍ବାରା ହର୍ମୋନାଲ ସ୍ତର ସ୍ବାଭାବିକ ରହିଥାଏ।
୨. ବର୍ଷକୁ ଥରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଯଦି କୌଣସି ରୋଗ ଥାଏ, ତୁରନ୍ତ ତାହାର ଚିକିତ୍ସା କରନ୍ତୁ ଏବଂ ଉପଯୁକ୍ତ ଉପଚାର ଗ୍ରହଣ କରନ୍ତୁ। ଉଦାହରଣସ୍ବରୂପ, କେତେକଙ୍କଠାରେ ଟ୍ୟୁମର୍‌, ସିଷ୍ଟ, ପ୍ରଥମସ୍ତରୀୟ କ୍ୟାନସର୍‌ ରହିପାରେ। ଏହାକୁ ଯଥାଶୀଘ୍ର ନିରୂପଣ କରି ଉପଚାର ଗ୍ରହଣ କରିବା ଆବଶ୍ୟକ।
୩. ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରଚୁର ମାତ୍ରାରେ ପନିପରିବା, ତାଜା ଫଳ, କମ୍‌ ଚିନି ଓ ତେଲ ଖାଆନ୍ତୁ। ଜଙ୍କ୍‌ ଫୁଡ୍‌କୁ ସଂପୂର୍ଣ୍ଣ ପରିହାର କରନ୍ତୁ।
୪. ଡାକ୍ତରଙ୍କ ସହ ଆଲୋଚନା କରି ପରିବାର ନିୟନ୍ତ୍ରଣ ବିଷୟରେ ଜାଣନ୍ତୁ ଏବଂ ପିଲା ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରଖନ୍ତୁ।
୫. ଡାକ୍ତରଙ୍କ ଦ୍ବାରା ପରାମର୍ଶ ଦିଆଯାଇଥିବା ପ୍ରକାରେ ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ।
କ’ଣ କରିବେନି...
୧. ଭବିଷ୍ୟତ କିମ୍ବା ଚାକିରିରେ ଚାପ ଥିବା କାରଣରୁ ଆପଣଙ୍କ ଗର୍ଭଧାରଣକୁ ବିଳମ୍ବ କରନ୍ତୁ ନାହିଁ।
୨. ଋତୁଚକ୍ର ସମ୍ବନ୍ଧିତ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ।
୩. ଯଥାସମୟରେ ଡାକ୍ତଙ୍କ ସହ ପରାମର୍ଶ କରନ୍ତୁ ଏବଂ ଉପଯୁକ୍ତ ଅଲ୍‌ଟ୍ରାସାଉଣ୍ଡ୍ ଜରିଆରେ ଆପଣଙ୍କ ପେଟରେ ବଢ଼ୁଥିବା ଶିଶୁର ସଠିକ୍‌ ସ୍ଥିତି ଜାଣନ୍ତୁ। ଯଦି କୌଣସି ଜନ୍ମଗତ ଅସୁବିଧା ରହିଥାଏ, ପ୍ରସବ ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
୪. ଅଧିକ ମାତ୍ରାରେ ଚା’, କଫି, ମଦ୍ୟପାନ ବା ଧୂପମାନ କରନ୍ତୁ ନାହିଁ।
୫. ଡାକ୍ତରଙ୍କ ବିନା ପରାମର୍ଶରେ ନିଜ ଇଚ୍ଛାରେ କୌଣସି ଔଷଧ ଖାଆନ୍ତୁ ନାହିଁ।
୬. ଦ୍ରୁତ ଉପଶମ ପାଇଁ ଇଣ୍ଟରନେଟ୍‌ରୁ କୌଣସି ବିଜ୍ଞାପନ ଦେଖି ଇଚ୍ଛାନୁସାରେ ଔଷଧ ଖାଆନ୍ତୁ ନାହିଁ। ତନ୍ମଧ୍ୟରୁ କେତେକ ଔଷଧ ଆପଣଙ୍କ ଲିଭର୍‌ ଓ କିଡ୍‌ନିକୁ କ୍ଷତି ପହଞ୍ଚାଇପାରେ।

ଡା. ଶିବାନୀ ଦେବୀ
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ
ଆମ୍ରି ହସ୍ପିଟାଲ, ଭୁବନେଶ୍ବର
ଲାପ୍ରୋସ୍କୋପିକ୍‌ ସର୍ଜନ, ଇନ୍‌ଫର୍ଟିଲିଟି ବିଶେଷଜ୍ଞ
ମୋ: ୭୦୦୮୯୬୪୬୮୬