ଅର୍ଥଶାସ୍ତ୍ର ରଚୟିତା ପଣ୍ଡିତ ଚାଣକ୍ୟ ଜଣେ ଦାର୍ଶନିକ ଭାବେ ବେଶ୍ ଜଣାଶୁଣା। ସେ ଦେଇଥିବା ଉପଦେଶ ସବୁ ମାନି ଚଳିଲେ ବ୍ୟକ୍ତି ଏକ ନିର୍ଭୁଲ ଜୀବନ ବିତାଇ ପାରିବ ଏଥିରେ ସନ୍ଦେହ ନାହିଁ। ତାଙ୍କୁ ବିଷ୍ଣୁଗୁପ୍ତ ନାମରେ ମଧ୍ୟ ଲୋକ ଜାଣନ୍ତି। ଏବେ ବି ଚାଣକ୍ୟ ଦେଇଥିବା ଉପଦେଶ ସବୁ ଦୈନନ୍ଦିନ ଜୀବନ ପାଇଁ ଆବଶ୍ୟକୀୟ। ଚାଣକ୍ୟ କେତୋଟି କଥା ଅନ୍ୟକୁ ନ କହିବା ପାଇଁ ମନା କରିଛନ୍ତି। ଆସନ୍ତୁ ଜାଣିବା ସେ ସବୁ କ’ଣ।
:ନିଜର ଧନ-ସମ୍ପତ୍ତି ବିଷୟରେ ଅନ୍ୟଙ୍କୁ କୁହନ୍ତୁ ନାହିଁ। ଅଧିକାଂଶ ଲୋକ ନିଜର ଉପାର୍ଜନ ସଂପର୍କରେ ଅନ୍ୟକୁ ବଢ଼େଇ ଚଢ଼େଇ କହି ଆନନ୍ଦିତ ହୋଇଥାନ୍ତି। ମାତ୍ର ପ୍ରକୃତ ଗୁଣୀ ବ୍ୟକ୍ତି ଏପରି ଆଦୌ କରି ନଥାନ୍ତି। ସମ୍ପତ୍ତି ଏକ ଗୁପ୍ତ କାରବାର। ତାହାକୁ ଦାଣ୍ଡରେ ଗଡ଼େଇ ଦିଅନ୍ତୁ ନାହିଁ।
:ଯେଉଁଭଳି ଭାବେ ସମ୍ପତ୍ତି ବିଷୟରେ ଅନ୍ୟକୁ କହିବାକୁ ଚାଣକ୍ୟ ବାରଣ କରିଛନ୍ତି ଠିକ୍ ସେହିପରି ଭାବେ ନିଜର ସମ୍ପତ୍ତି ହାନୀ ହୋଇଗଲେ ମଧ୍ୟ ଅନ୍ୟକୁ କୁହନ୍ତୁ ନାହିଁ ବୋଲି ଚାଣକ୍ୟ ମତ ଦେଇଛନ୍ତି। ଆପଣ ପରିହାସର ପାତ୍ର ହୋଇପାରନ୍ତି। ମନେ ରଖନ୍ତୁ, ସମ୍ପତ୍ତି ହାନୀ ଯେତିକି ବାଧି ନଥାଏ ତାହାକୁ ନେଇ ଅନ୍ୟମାନଙ୍କ ସମାଲୋଚନା ବେଶି ପ୍ରଭାବ ପକାଇଥାଏ।
:ଆପଣଙ୍କ ପତି କିମ୍ବା ପତ୍ନୀଙ୍କ ଭିତରେ ଯଦି କୌଣସି ଖରାପ ଗୁଣ ଅଛି ତେବେ ଅନ୍ୟକୁ କୁହନ୍ତୁ ନାହିଁ। ଏହା ଦ୍ୱାରା ନିଜର ସମ୍ମାନ ହ୍ରାସ ପାଇଥାଏ। ନିଜ ଜୀବନ ସାଥୀଙ୍କର ଭଲ ଗୁଣ କହିବା ଉତ୍ତମ ପତି/ପତ୍ନୀଙ୍କ ଲକ୍ଷଣ ହୋଇଥାଏ।
:ନିଜର ଯଦି କୌଣସି ପ୍ରକାର ବ୍ୟକ୍ତିଗତ ସମସ୍ୟା ଅଛି ତାହାଲେ ସେ ସଂପର୍କରେ ଅନ୍ୟକୁ କୁହନ୍ତୁ ନାହିଁ। ଯେଉଁ ବ୍ୟକ୍ତି ଆପଣଙ୍କ ସମସ୍ୟାର ସମାଧାନ କାଢ଼ି ପାରିବେ ନାହିଁ ତାଙ୍କୁ ଯଥାରେ ସେଥିରେ ସାମିଲ୍ କରନ୍ତୁ ନାହିଁ। ଏହା ଦ୍ୱାରା ସମସ୍ୟା ବୃଦ୍ଧି ପାଇଥାଏ।