ମହିଳାଙ୍କ ସ୍ବାସ୍ଥ୍ୟ ନେଇ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି। ଏ ନେଇ ଆମ ପାଠକମାନଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଆରତୀ ନାୟକ।
ବର୍ତ୍ତମାନ ସମୟରେ ଯୁବତୀମାନଙ୍କର ଋତୁସ୍ରାବ ପ୍ରକ୍ରିୟାର ଅନିୟମିତତା ଦେଖାଯାଉଛି। ବିବାହ ପରେ ସନ୍ତାନ ପ୍ରାପ୍ତି ଉପରେ ଏହାର ପ୍ରଭାବ କ’ଣ ରହୁଛି? ଏହାର କାରଣ ଓ ନିରାକରଣ ବିଷୟରେ ଅବଗତ କରିବାକୁ ଅନୁରୋଧ।
ପଙ୍କଜିନୀ ପାଳ, ପୁରୀ
ଉତ୍ତର: ଋତୁସ୍ରାବ ଅନିୟମିତତାର ପ୍ରଥମ କାରଣ ହେଲା ଓଜନ। ବୟସ ଅନୁଯାୟୀ ଶରୀରର ଓଜନ ଅଧିକ ରହିଲେ ମାସିକ ଋତୁଚକ୍ରରେ ଅସୁବିଧା ଉତ୍ପନ୍ନ ହୋଇଥାଏ। ଏହି କାରଣରୁ ପିସିଓଡି ପରି ସମସ୍ୟା ଦେଖାଯାଉଛି। ଆଜିକାଲିର ଜୀବନଶୈଳୀରେ ପରିବର୍ତ୍ତନ, ଫାଷ୍ଟ୍ ଫୁଡ୍ ଖାଇବା, ଯୋଗ ନ କରିବା, ରାତି ଅନିଦ୍ରା, ଡେରିରେ ବିବାହ କରିବା ଦ୍ବାରା ଏହି ସମସ୍ୟା ଅଧିକ ହେଉଛି। ସେଥିପାଇଁ ଯଥାସମ୍ଭବ ନିଜର ଓଜନକୁ ସନ୍ତୁଳିତ କରିବା ଉଚିତ।
ମଁୁ ୫ ମାସର ଗର୍ଭବତୀ। ସବୁବେଳେ ମୋର ପେଟ ବ୍ୟଥା ଲାଗି ରହୁଛି କାହିଁକି?
ଅହଲ୍ୟା ସାହୁ
ଉତ୍ତର: ଆପଣଙ୍କର ଏସିଡିଟି ସମସ୍ୟା ଅଧିକ ରହୁଥିବ। ଅଧିକ ତେଲ ମସଲା ଖାଦ୍ୟ, ଖାଦ୍ୟରେ ଅନିୟମିତତା, ଏକକାଳୀନ ପେଟପୂରା ଖାଦ୍ୟ ଭୋଜନ ଓ ପରିସ୍ରା ଠିକ୍ରେ ନ ହେଉଥିଲେ ପେଟ ବ୍ୟଥା ଲାଗି ରହିବ। ଯଦି ଏପରି ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ।
*ଜଣେ ମହିଳା କେଉଁ ଜୀବନଶୈଳୀରେ ରହିଲେ ସ୍ତନ କର୍କଟ ହେବ ନାହିଁ?
ବୁଲୁ ପଟ୍ଟନାୟକ, ଘସିପୁରା, କେନ୍ଦୁଝର
ଉତ୍ତର: ସ୍ତନ କର୍କଟ ପାଇଁ ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଯଦି ସ୍ତନରେ ଗେଟା ଭଳି କିଛି ଲାଗୁଛି କିମ୍ବା ସବୁବେଳେ ଦରଜ ରହୁଛି ତେବେ ସଙ୍ଗେ ସଙ୍ଗେ ଏହାର ଚିକିତ୍ସା କରିନେବା ଭଲ। ଏଥିପାଇଁ ମନୋଗ୍ରାଫି କରିବା ଉଚିତ।
ଜଣେ ମା’ ହେବା ପାଇଁ କେଉଁ ବୟସ ଠିକ୍? ଆଜିକାଲି କେଉଁ ସମସ୍ୟା ପାଇଁ ମିସ୍କ୍ୟାରେଜ୍ ଅଧିକ ହେଉଛି?
ରୁହି ନାୟକ, ଗୋବିନ୍ଦପୁର, ଢେଙ୍କାନାଳ
ଉତ୍ତର: ଜଣେ ମହିଳାଙ୍କର ପ୍ରଜନନର ଉଚିତ ସମୟ ହେଉଛି ୨୨ରୁ ୩୦ ବର୍ଷ। ଏହି ସମୟରେ ଓଭାରିର ସ୍ଥିତି ଠିକ୍ ଥାଏ। ୩୦ ବର୍ଷ ପରେ ଏହାର କ୍ଷମତା କମିଯାଏ। ଯଦି ଡେରିରେ ଛୁଆ ରହିଯାଏ ତେବେ ଏହା ଶୀଘ୍ର ମିସ୍କ୍ୟାରେଜ୍ ହେବାର ସମ୍ଭାବନା ରହିଥାଏ।
ଗର୍ଭାଶୟ କର୍କଟରୁ ମୁକୁଳିବା ପାଇଁ କେବେ ଓ କେଉଁ ଟିକା ନେବା ଆବଶ୍ୟକ। ମତେ ଏବେ ୩୦ ବର୍ଷ ହୋଇଛି। ଏହି ଟିକା ଏବେ ମଁୁ ନେଇ ପାରିବି କି?
ପ୍ରମିଳା ରାଉତରାୟ, କଟକ
ଉତ୍ତର: ହଁ ଆପଣ ଗର୍ଭାଶୟ କର୍କଟ ପାଇଁ ଟିକା ନେଇପାରିବେ। ୧୫ରୁ ୬୦ ବର୍ଷ ପର୍ଯ୍ୟନ୍ତ ଏହି ଟିକା ନେବାର ସମୟ ରହୁଛି। ଗର୍ଭାଶୟ କର୍କଟ କେତେକ ପ୍ରକାରର ହ୍ୟୁମାନ ପାପିଲୋମା ଭାଇରସ୍ (ଏଚପିଭି) କାରଣରୁ ହୋଇଥାଏ। ସେଥିପାଇଁ ସର୍ଭାଇକାଲ୍ କ୍ୟାନ୍ସର ଟିକା ସମସ୍ତେ ନେବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/jgjgdgjgjd.jpg)