ଅନ୍ତର୍ଜାତୀୟ ଅଭିଲେଖ ଦିବସ: ପ୍ରତି ଜିଲ୍ଲାରେ ହେବ ଶାଖା ଅଭିଲେଖାଗାର

ଭୁବନେଶ୍ବର: ପ୍ରତି ଜିଲ୍ଲାରେ ଶାଖା ଅଭିଲେଖାଗାର ପ୍ରତିଷ୍ଠା ହେବ। ବ୍ଲକ୍‌ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରରୁ ଦିଲିଲ ଦସ୍ତାବିଜ୍‌ ସଂଗ୍ରହ ଉପରେ ଗୁରୁତ୍ବ ଦିଆଯିବ। ତ୍ବରିତ ପ୍ରକ୍ରିୟାରେ ଏହା କରାଯିବ। ଓଡ଼ିଶା ରାଜ୍ୟ ଅଭିଲେଖାଗାର ପକ୍ଷରୁ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଭିଲେଖ ଦିବସ ଅବସରରେ ଅତିଥିମାନେ ଏହା କହିଛନ୍ତି। ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସଂରକ୍ଷିତ ଅଭିଲେଖକୁ ଡିଜିଟାଇଜେସନ୍‌ ମାଧ୍ୟମରେ ସଂରକ୍ଷଣ ପାଇଁ ବୈ‌ଷୟିକ ତଥା ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ। ବିଶେଷକରି ଅଭିଲେଖାଗାରରେ ସଂରକ୍ଷଣରେ ନିଯୁକ୍ତ କର୍ମଚାରୀଙ୍କ ଦକ୍ଷତା ଓ କୌଶଳ ବୃଦ୍ଧି ହେବା ନେଇ କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ। ପ୍ରଯୁକ୍ତି ବିଜ୍ଞାନୀ ପ୍ରଫେସର ସଂଘମିତ୍ରା ମହାନ୍ତି ଚଳିତ ବର୍ଷର ଥିମ୍‌ ‘ଏକବିଂଶ ଶତାବ୍ଦୀରେ ଅଭିଲେଖାଗାରର ରୂପ‌ରେଖ’ ସମ୍ପର୍କରେ ବକ୍ତବ୍ୟ ରଖି କହିଲେ, ଆମ ରାଜ୍ୟର ବହୁ ଐତିହ୍ୟ ଓ ପ୍ରାମାଣିକ ମୂଲ୍ୟ ଥିବା ଗୁରୁତ୍ବପୂର୍ଣ୍ଣ ଦଲିଲ ଓ ନଥିପତ୍ର ରହିଛି। ଏଗୁଡ଼ିକ ଯେପରି ହ୍ୟାକ୍‌ ନ ହୁଏ, ସେ ଦିଗରେ ରେଡିଓ ଫ୍ରିକ୍ବେନ୍‌ସି ଟେକ୍ନୋଲୋଜିର ବ୍ୟବହାର ଏବଂ ଉନ୍ନତ ସିକ୍ୟୁରିଟି ବ୍ୟବସ୍ଥା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ଚଳଚ୍ଚିତ୍ର ଅଭିଲେଖାଗାର ସ୍ଥାପନ ସମ୍ପର୍କରେ ମତ ରଖିଥିଲେ। ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ ଜିଲ୍ଲାସ୍ତରରୁ ନଥିପତ୍ର ସଂଗ୍ରହ ଉପରେ ଗୁରୁତ୍ବାରୋପ କରିଥିବା ବେଳେ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସ‌ରରେ ଓଡ଼ିଆ ଚଳଚ୍ଚିତ୍ର ଗ୍ରା‌‌ମୋଫୋନ୍‌ ରେକର୍ଡର ପ୍ରଚ୍ଛଦ ଆଧାରିତ ଏକ ପ୍ରଦର୍ଶନୀ ଦେଖିବାର ସୁଯୋଗ ମିଳିଥିଲା। ବିଭାଗୀୟ ଯୁଗ୍ମ ନିର୍ଦେଶିକା ସଂଘମିତ୍ରା ଶତପଥୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟତମ ଯୁଗ୍ମ ନିର୍ଦେଶିକା ଲିପ୍‌ସା ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର