ଓଡ଼ିଶାରେ ପ୍ରଥମଥର ୱେଷ୍ଟର୍ଣ୍ଣ ରିଫ ଇଗ୍ରେଟ୍‌ ପକ୍ଷୀ ଠାବ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ କରି ୱେଷ୍ଟର୍ଣ୍ଣ ରିଫ୍ ଇଗ୍ରେଟ୍‌ ଠାବ କରାଯାଇଛି। ଖୋର୍ଧା ଜିଲ୍ଲାର ମଙ୍ଗଳାଯୋଡ଼ିରେ ଏହି ଚଢ଼େଇକୁ ଠାବ କରିଛନ୍ତି ଜଣାଶୁଣା ପକ୍ଷୀ ଗାଇଡ୍‌ ମଧୁ ବେହେରା। କରୋନା କଟକଣା ପାଇଁ ମଙ୍ଗଳାଯୋଡ଼ିକୁ ପର୍ଯ୍ୟଟକ ଆସିବା ବାରଣ ଥିବାରୁ, ସେଠାକୁ ଏବେ କେହି ଯାଉନାହାନ୍ତି। ତେବେ ମଧୁ ନିଜର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ ବେଳେ ବନ ବିଭାଗର ସୁରକ୍ଷା ଶିବିରରେ ରହି ପକ୍ଷୀମାନଙ୍କର ଗତିବିଧି ଲକ୍ଷ୍ୟ କରନ୍ତି। କଳାରଙ୍ଗର ଏହି ବଗଟିକୁ ଗତବର୍ଷ ମଧ୍ୟ ସେ ସେଠାରେ ଦେଖିଥିଲେ। ହେଲେ ଏତେ ଧ୍ୟାନ ଦେଇ ପାରି ନଥିଲେ। ଗତକାଲି ଫଟୋ ଉଠାଇ ଆଣି ବିଭିନ୍ନ ବାର୍ଡ ଫିଲ୍ଡ ଗାଇଡ୍‌ଙ୍କ ସହ ଆଲୋଚନା କରିବା ପରେ ତାହା ୱେଷ୍ଟର୍ଣ୍ଣ ରିଫ ଇଗ୍ରେଟ୍‌ ବୋଲି ନିଶ୍ଚିତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଚିଲିକା ଚଢ଼େଇଙ୍କ ଉପରେ ବିଏନ୍‌ଏଚ୍‌ଏସ୍ ଓ ୟୁଏନ୍‌ ଦେବଙ୍କ ଲିଖିତ ବହିରେ ମଧ୍ୟ ଏହି ଚଢ଼େଇର ଉଲ୍ଲେଖ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି। ଏହି ଚଢ଼େଇର ବୈଜ୍ଞାନିକ ନାଁ ଇଗ୍ରେଟା ଗୁଲାରିସ୍‌। ଚଢ଼େଇଟି ଯଦିଓ ଭାରତରେ ଦେଖାଦିଏ, ତେବେ ଓଡ଼ିଶାରୁ କେବେ ମଧ୍ୟ ରେକର୍ଡ ହେଇନଥିଲା। ଏହା ସାଧାରଣତଃ ଡାର୍କ ଗ୍ରେ’, ଇଣ୍ଟର୍‌ ମେଡିଏଟ ଓ ଧଳା ମର୍ଫ ରଙ୍ଗରେ ଦେଖାଯାଏ। ଏହି ପକ୍ଷୀଟି ଏକୁଟିଆ ବିଚରଣ କରିଥାଏ। ଧଳା ମର୍ଫ ଥିବାରୁ ଲିଟିଲ୍‌ ଇଗ୍ରେଟ୍‌ ପକ୍ଷୀ ସହ ମଧ୍ୟ ଏହା ଭ୍ରମ ସୃଷ୍ଟି କରିଥାଏ। ହେଲେ ଏହାର ଥଣ୍ଟ ଲିଟିଲ ଇଗ୍ରେଟ୍‌ ଅପେକ୍ଷା ବଡ଼ ଓ ମୋଟା ହେବା ସହ ତଳ ଆଡ଼କୁ ସାମାନ୍ୟ ବଙ୍କା ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର