କରୋନା ଛଡ଼ାଇ ନେଲା ମୁହଁରୁ ଆହାରକରୋନା ଛଡ଼ାଇ ନେଲା ମୁହଁରୁ ଆହାର, ଏବେ ବଞ୍ଚିବୁ କେମିତି?

ବାଲିଅନ୍ତା: ବାଲି ସିମେଣ୍ଟ ଫେଣ୍ଟିବା ସହ ଜମିବାଡ଼ିରେ କାମ କରୁଥିଲୁ। ଇଟାଭାଟିରେ ବି କାମ କରି ଯାହା ମୂଲମଜୁରି ମିଳୁଥିଲା, ସେଥିରେ ଚୁଲି ଜଳୁଥିଲା। ହେଲେ କରୋନା ଆମ ମୁହଁରୁ ଦାନା ଛଡ଼ାଇ ନେଲା। ଲକ୍‌ଡାଉନ ଯୋଗୁଁ କାମ ବନ୍ଦ। ଏବେ ଖାଇବୁ କଣ? ବଞ୍ଚିବୁ କେମିତି? ବାହାରକୁ କାମ ପାଇଟି କରିବାକୁ ବାହାରିଲେ ପୁଲିସ ଡର। ଦୁଃଖକଷ୍ଟରେ ଏହା ଭିତରେ ଦୀର୍ଘ ୧୯ ଦିନ ବିତିଗଲାଣି। ଏଯାଏ କୌଣସି ସରକାରୀ ଅଧିକାରୀ ସହାୟତା ନେଇ ଆମ ପାଖରେ ପହଞ୍ଚି ନାହାନ୍ତି। ସାହାଯ୍ୟ ପାଇବା ଆଶାରେ ପଞ୍ଚାୟତ ଜନ ପ୍ରତିନିଧିଙ୍କ ପାଖକୁ ଗଲେ ସେମାନେ ମୁହଁ ଫେରାଇ ନେଉଛନ୍ତି। ଏହା ହେଉଛି ସାଂପ୍ରତିକ ପରିସ୍ଥିତିରେ ବାଲିଅନ୍ତା ତଥା ପାଖ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ହଜାର ହଜାର ନିରାଶ୍ରୟ ପରିବାର ଲୋକଙ୍କ କୋହଭରା କାହାଣୀ।

ବେସରକାରୀ ଭାବେ ସ୍ଥାନୀୟ ଅଞ୍ଚଳର କିଛି ସ୍ବେଚ୍ଛାସେବୀଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ କାମ ଅନ୍ବେଷଣରେ ଜିଲ୍ଲା ଏବଂ ରାଜ୍ୟ ବାହାରରୁ ଆସି ଏଠାରେ ରହୁଥିବା ବହୁ ଲୋକ ଅତି ଦୁର୍ଦିନରେ ଦିନ କାଟୁଛନ୍ତି। ସରକାରୀ ଜାଗାରେ ପଲିଥିନ ଟାଣି କିମ୍ବା ଝୁମ୍ପୁଡ଼ିରେ ପରିବାର ସହ ରହୁଛନ୍ତି। ସେମାନଙ୍କ ସଂଖ୍ୟା ପାଖାପାଖି ୩୦୦୦ ହେବ। ପ୍ରତାପରୁଦ୍ରପୁର ପଞ୍ଚାୟତର କ୍ଷୀରୋଦ ଚନ୍ଦ୍ର ପଣ୍ଡା ଓ କରୁଣାକର ପଣ୍ଡା ନାମକ ଦୁଇଜଣ ସ୍ବେଚ୍ଛାସେବୀ ଆଜି ପୂର୍ବାହ୍ନରେ ବେତେଣ୍ଡା ଗ୍ରାମରେ ରହୁଥିବା ଏଭଳି ଜଣେ ବାସିନ୍ଦା ଶାନ୍ତିଲତା ଦିଘାଳ ଓ ତାଙ୍କର ନାବାଳିକା ଝିଅଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଯାହା ସୂଚନା ମିଳିଥିଲା ସେମାନେ ଦୀର୍ଘ ୧୦ ବର୍ଷ ହେଲା ଗୋପବ୍ରାଞ୍ଚ କେନାଲ ବନ୍ଧରେ ଏକ ଝୁମ୍ପୁଡ଼ିରେ ରହୁଛନ୍ତି। ତାଙ୍କର ଆଧାର କାର୍ଡ ନାହିଁ । ରାସନ କାର୍ଡ ନଥିବାରୁ ଚାଉଳ ପାଉ ନାହାନ୍ତି। ପଞ୍ଚାୟତ ପକ୍ଷରୁ ଦିନେ ମଧ୍ୟ ରନ୍ଧା ଖାଦ୍ୟ ଦିଆଯାଇନଥିବା କହିଛନ୍ତି। ଏକା ଶାନ୍ତିଲତା ନୁହଁନ୍ତି, ବାଲିଅନ୍ତା ପଞ୍ଚାୟତ ଅଧୀନ ଭୁବନପୁର ନିକଟରେ ଏଭଳି ଭାବେ ଆହୁରି ଅନେକ ଲୋକ କେନ୍ଦୁଝର, ବାରିପଦା ଓ ଗଞ୍ଜାମ ଅଞ୍ଚଳରୁ ଆସି ପୁରୀ କେନାଲ ବନ୍ଧ କଡ଼ରେ ରହୁଛନ୍ତି। ସେଠାରେ ୫୦ଟି ପରିବାର ରହୁଥିବା ନେଇ ସୂଚନା ମିଳିଛି। ବାଳକାଟି ଅଞ୍ଚଳରେ ମଧ୍ୟ ଆହୁରି ଶତାଧିକ ପରିବାର ଅଛନ୍ତି। ହେଲେ ଏଯାଏ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ରନ୍ଧାଖାଦ୍ୟ କିମ୍ବା ଶୁଖିଲା ଯୋଗାଇ ଦିଆଯାଇନି। ଯାହାଫଳରେ ସଂପୃକ୍ତ ପରିବାର ଏବେ ଭୋକ ଉପାସରେ ଦିନ କାଟୁଥିବା ନେଇ ସୂଚନା ମିଳିଛି। କାଁ ଭାଁ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଦିନେ ଦୁଇଦିନ ମଧ୍ୟାହ୍ନରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ। ସରକାର ନିରାଶ୍ରୟଙ୍କୁ ଖାଦ୍ୟ ଯୋଗାଇ ଦେବା ନେଇ ଘୋଷଣା କରିସାରିଥିଲେ ହେଁ ବାଲିଅନ୍ତାରେ ତାହା କାର୍ଯ୍ୟକାରୀ ହୋଇନାହିଁ। ଏମାନଙ୍କ କଥା ପଞ୍ଚାୟତ ଜନ ପ୍ରତିନିଧି ଚିନ୍ତା କରୁଛନ୍ତି ନା ବ୍ଲକ ପ୍ରଶାସନ। ଏ ନେଇ ବିଡିଓ ଆଦିକନ୍ଦ ବେହେରାଙ୍କୁ ପଚାରିବାରେ କୌଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ।

ସମ୍ବନ୍ଧିତ ଖବର