କ୍ୟାପିଟାଲ ହସ୍ପିଟାଲ: ମିଳିଲା କୁକୁର କାମୁଡ଼ା ଇଞ୍ଜେକସନ୍, ଗୋଟିଏ ଦିନରେ ନେଲେ ୨ଶହ
ଭୁବନେଶ୍ବର: ରାଜ୍ୟରେ କୁକୁର କାମୁଡ଼ା ଇଞ୍ଜେକସନ୍ ମିଳୁ ନାହିଁ। କିଛି ଦିନ ହେବ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏହି ଇଞ୍ଜେକସନ୍ ମିଳୁ ନାହିଁ। ଏପରିକି ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ କାଜୁଆଲଟି ସମ୍ମୁଖରେ ନୋଟିସ୍ ଜାରି କରିଥିଲେ। ହେଲେ ଆଜି କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକସନ୍ ଉପଲବ୍ଧ ହୋଇଛି। ଆଜି ଏଥିପାଇଁ ଲୋକଙ୍କ ଭିଡ଼ ଦେଖା ଦେଇଥିଲା। ତେବେ ହସ୍ପିଟାଲକୁ କେତେ ପରିମାଣର ଇଞ୍ଜେକସନ୍ କିଣାଯାଇଛି, ତାହା ସ୍ପଷ୍ଟ ହୋଇପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକସନ୍ ଉପଲବ୍ଧ ହେବା ଖବର ଶୁଣିବା ପରେ ରୋଗୀଙ୍କ ଭିଡ଼ ଜମିଥିଲା। ଆଜି ଗୋଟିଏ ଦିନରେ ୨ଶହରୁ ଅଧିକ କୁକୁର କାମୁଡ଼ା ଆକ୍ରାନ୍ତଙ୍କୁ ଏଆର୍ଭି ଦିଆଯାଇଥିବା ସୂଚନା ମିଳିଛି। ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ ବିଭିନ୍ନ ଫାର୍ମାସି ଓ ଏଜେନ୍ସି ଜରିଆରେ ଇଞ୍ଜେକସନ୍ ସଂଗ୍ରହ କରିଥିବା ଜଣାପଡ଼ିଛି। ‘ନିରାମୟ’ ଯୋଜନାରେ ଏଆରଭି ଯୋଗାଣ ହେବା ପର୍ଯ୍ୟନ୍ତ ଇଞ୍ଜେକସନ୍ ଉପଲବ୍ଧ ହେବ ବୋଲି କୁହାଯାଉଛି। ଅପରପକ୍ଷେ ରାଜ୍ୟରେ କୁକୁର କାମୁଡ଼ା ଇଞ୍ଜେକସନ୍ ଉପଲବ୍ଧ ହେଉ ନ ଥିବାକୁ ନେଇ ରାଜ୍ୟ ଔଷଧ ନିଗମ ପକ୍ଷରୁ ଏହି ସଂକଟ ଦୂର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ନିଗମର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପୂର୍ବରୁ ଏଥିପାଇଁ ଦୁଇ ଦୁଇ ଥର ଟେଣ୍ଡର୍ କରାଯାଇଥିଲେ ହେଁ ଏଥିପାଇଁ ଗୋଟିଏ ମାତ୍ର କମ୍ପାନି ଆବଦେନ କରିଥିଲା। ଶେଷରେ ବାଧ୍ୟ ହୋଇ ସଂପୃକ୍ତ କମ୍ପାନିକୁ ଟେଣ୍ଡର୍ ପ୍ରକ୍ରିୟାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଲୋଡ଼ା ଯାଇଛି। ରାଜ୍ୟ ସରକାର ଅନୁମୋଦନ ଦେଲେ, ସଂପୃକ୍ତ କମ୍ପାନିକୁ ଏଆରଭି ଯୋଗାଇବା ପାଇଁ ନିର୍ଦେଶ ଦିଆଯିବ। ଯେତେଶୀଘ୍ର ସମ୍ଭବ ଇଞ୍ଜେକସନ୍ ଯୋଗାଇବା ପାଇଁ ସଂପୃକ୍ତ କମ୍ପାନିକୁ କୁହାଯିବ। ଏହା କେବଳ ରାଜ୍ୟର ସମସ୍ୟା ନୁହେଁ, ଦେଶବ୍ୟାପୀ ଏଭଳି ସମସ୍ୟା ଦେଖାଦେଇଛି। ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅର୍ଥରୁ ଇଞ୍ଜେକସନ୍ କିଣୁଥିବା ସୂଚନା ମିଳିଥିବା ଅଧିକାରୀ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୨ ମସିହାରେ ହୋଇଥିବା ୧୯ତମ ପ୍ରାଣୀଧନ ଜନଗଣନା ଅନୁସାରେ, ରାଜ୍ୟରେ ୮ଲକ୍ଷ ୬୨ହଜାର ୫୨୦ ବୁଲା କୁକୁର ରହିଛନ୍ତି। ରାଜଧାନୀ ଭୁବନେଶ୍ବରେ ଚଳିତ ବର୍ଷ ସୁଦ୍ଧା ୪୩ ହଜାର ବୁଲା କୁକୁର ରହିଥିବା ଅନୁମାନ କରାଯାଉଛି। ପ୍ରତି ଗଳି କନ୍ଦିରେ ବୁଲା କୁକୁର ନିଜର ଆସ୍ଥାନ ଜମାଇଛନ୍ତି। ବିନା କାରଣରେ ଲୋକଙ୍କୁ କାମୁଡ଼ି ପକାଉଛନ୍ତି। ତେଣୁ ସରକାରୀ ଡାକ୍ତରଖାନାରେ ଏଆରଭି ଇଞ୍ଜେକସନ୍ ମାଗଣାରେ ଦିଆଯାଇଥାଏ। ମାତ୍ର କିଛି ଦିନ ହେବ ରାଜ୍ୟରେ ଏହି ଇଂଜେକସନ୍ର ଘୋର ସଂକଟ ଦେଖାଦେଇଛି। ଏପରିକି ଖୋଲା ବଜାରରେ ମଧ୍ୟ ଇଞ୍ଜେକସନ୍ ମିଳୁ ନାହିଁ।