ଗୋପାଳ ଛୋଟରାୟ ଦ୍ରୋଣାଚାର୍ଯ୍ୟ ହେଲେ ମୁଁ ଏକଲବ୍ୟ: ପ୍ରଶାନ୍ତ

ଭୁବନେଶ୍ବର: ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳେ ସାଇକେଲ୍‌ ଚଢ଼ିବା ଶିଖିଲି। ଶିଖିଗଲା ପରେ ଇଚ୍ଛା ହେଲା ‌ସାଇକେଲ୍‌ ନେଇ ଘେରାଏ କଟକରେ ବୁଲିବି। ମୋ ନନାଙ୍କ ରାଲେ ସାଇକେଲ୍‌ ଥିଲା ସିନା କିନ୍ତୁ ତାକୁ ଚଲାଇବାର ସାହସ ମୋ’ର ନଥିଲା। ଭିଣୋଇ ଭାଇ ଦିନେ ଆମ ଘରକୁ ସାଇକେଲ୍‌ରେ ଆସି ମତେ ଦାଣ୍ଡ ଦୁଆରେ ଜଗେଇ ଦେଇ ଘରକୁ ଗଲେ।‌ ସେଇ ମଉକାରେ ସାଇକେଲ୍‌ ନେଇ ମୁଁ ବକ୍ସିବଜାରରୁ ଚୌଧୁରୀ ବଜାରରୁ ବୁଲି ଆସିଲି। ସେଦିନ ଘରକୁ ଫେରିବା ପରେ ମାଡ଼ ହେବ ବୋଲି ନିଶ୍ଚିତ ହୋଇସାରିଥିଲି। ହେଲେ ଘରକୁ ଫେରିବା ବେଳକୁ ସମସ୍ତେ ଗୋପାଳ ଛୋଟରାୟଙ୍କ ଗୀତ ରୂପରେ ପ୍ରସ୍ତୁତ ତଥା ରେଡିଓରେ ପ୍ରସାରଣ ହେଉଥିବା ‘ପେଟେଣ୍ଟ୍‌ ମେଡିସିନ୍‌’ ଶୁଣିବାରେ ମଜି ଯାଇଥିଲେ। ଯୋଗକୁ ସେଦିନ ଏହି ପେଟେଣ୍ଟ୍‌ ମେଡିସିନ୍‌ ଶୁଣିବେ ବୋଲି ଲୋକେ ବି ବାହାରେ ନଥିଲେ। ବକ୍ସିବଜାରରୁ ଚୌଧୁରୀ ବଜାର ଥିଲା ପୂରା ଫାଙ୍କା। ତେଣୁ ମୁଁ ଗୋପାଳ ଛୋଟରାୟଙ୍କ ଯୋଗୁଁ ସାଇକେଲ୍‌ରେ ମନବୋଧ କରି ବୁଲିଥିଲି ବୋଲି କହିଛନ୍ତି ବିଶିଷ୍ଟ ଅଭିନେତା ପ୍ରଶାନ୍ତ ନନ୍ଦ।

ଆଜି ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରରେ କେତକୀ ଫାଉଣ୍ଡେସନ୍‌ ଟ୍ରଷ୍ଟ ଓ ଗୋପାଳ ଛୋଟରାୟ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରଶାନ୍ତ ନନ୍ଦ ସଫଳ ହେବା ପଛରେ ତାଙ୍କ ପ୍ରତି ଗୋପାଳ ଛୋଟରାୟଙ୍କ ଅବଦାନର ସ୍ମୃତି ବଖାଣି କହିଲେ, ଯେବେ ରେଡିଓରେ ଶିଶୁ ସଂସାରରେ ମୋ ସ୍ବର ଶୁଣିବା ପାଇଁ ବୋଉ ସାହି ପଡ଼ିଶାଙ୍କୁ ଡାକି ଘରେ ରେଡିଓ ପାଖରେ ବସାଉଥିଲା, ସେତେବେଳେ ବି ସେଇ ଗୋପାଳ ଛୋଟରାୟ ମ‌ତେ ନାଟକରେ ସ୍ବର ଦେବାର ସୁଯୋଗ ଦେଲେ। କଳାବିକାଶ କେନ୍ଦ୍ରରେ ତାଙ୍କ ନୂଆବୋହୂ ନାଟକରେ ମୂଳରୁ ଶେଷ ପର୍ଯ୍ୟନ୍ତ ଅଭିନୟ କରିବାକୁ ସୁଯୋଗ ଦେବାରୁ ଚଳଚ୍ଚିତ୍ର ପ୍ରଯୋଜକ କୃଷ୍ଣଚନ୍ଦ୍ର ତ୍ରିପାଠୀ ଚଳଚ୍ଚିତ୍ର‌ ‘ଦସ୍ୟୁ ରତ୍ନାକର’ରେ ଛୋଟ ବେଳର ଦସ୍ୟୁ ରତ୍ନାକର ଚରିତ୍ର ଦେଇ ମୋ ସିନେମା ଜୀବନ ଆରମ୍ଭ କଲେ। ତେଣୁ ମୋ’ର ପ୍ରତିଟି ସଫଳତାର ଶିଡ଼ିରେ ସେ ଥିଲେ ପ୍ରଥମ ପ୍ରେରଣା। ମୋ ଦ୍ବାରା ଲିଖିତ ଯେତେ ଚଳଚ୍ଚିତ୍ର ଲୋକପ୍ରିୟ ହୋଇଛି ସେଥିରେ କେବଳ ଗୋପାଳ ଛୋଟରାୟଙ୍କ ସଦୃଶ ସଂଳାପ ଲେଖିଥିବାରୁ ତାହା ସଫଳ ହୋଇଛି ବୋଲି ମୋ’ର ହୃଦବୋଧ ହୋଇଛି। ତେଣୁ ସେ ଦ୍ରୋଣାଚାର୍ଯ୍ୟ ହେଲେ, ମୁଁ ବୁଢ଼ା ଆଙ୍ଗୁଡ଼ି କଟା ହୋଇନଥିବା ଏକଲବ୍ୟ ‌ବୋଲି ସେ କହିଛନ୍ତି।

ଏହି ଅବସରରେ ଗୋପାଳ ଛୋଟରାୟଙ୍କର ନାଟକ ‘ଫେରିଆ’, ‘ପରକଲମ’ ଓ ଆତ୍ମଜୀବନୀ ‘ପଥିକ’ ର ପୁନଃ ସଂସ୍କରଣ ଲୋକାର୍ପିତ ହୋଇଥିଲା। ଅନୁବାଦକ ଯତୀନ୍ଦ୍ର ନାୟକ ‘ପଥିକ’ ଏକ ଅନବଦ୍ୟ ଆତ୍ମକାହାଣୀ ବୋଲି କହିଥିଲେ। ଉତ୍ସବରେ ଦେବଦାସ ଛୋଟରାୟଙ୍କ ଉପସ୍ଥିତିରେ ତାଙ୍କର ଚଳଚ୍ଚିତ୍ର ଗୀତକୁ ନେଇ ପ୍ରସ୍ତୁତ ଗୀତ ବହି ଲୋକାର୍ପିତ ହୋଇଥିଲା। ଲେଖିକା ବିୟତ୍‌ପ୍ରଜ୍ଞା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କେତକୀ ଫାଉଣ୍ଡେସନ୍‌ର ଟ୍ରଷ୍ଟି ଚିତ୍ରଶିଳ୍ପୀ ରାମହରି ଜେନା ଉପସ୍ଥିତ ଥିଲେ। ଏହା ପରେ ସ୍ବର ନାଟକ ଓ ଛଉ ନୃତ୍ୟ ପରିବେଷଣ ହୋଇଥିଲା।

ସମ୍ବନ୍ଧିତ ଖବର