ତିନି କୃଷି ଆଇନ ସଂସଦରେ ପ୍ରତ୍ୟାହାର ପର୍ଯ୍ୟନ୍ତ ଆନ୍ଦୋଳନ ଯଥାର୍ଥ

ଜନତା ଜନାର୍ଦ୍ଦନ

ତିନି କୃଷି ଆଇନ ବିରୋଧରେ ଦୀର୍ଘ ବର୍ଷେରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ଆନ୍ଦୋଳନରେ କୃଷକଙ୍କ ବିଜୟ ହୋଇଛି। ବିଳମ୍ବ ହେଲେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷରେ ଏହି ଆଇନ ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି। କୃଷକମାନେ ଆନ୍ଦୋଳନରୁ ଓହରି ଘରକୁ ଫେରିଯିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ହେଲେ ବିଧି ବ୍ୟବସ୍ଥା ଅନୁଯାୟୀ ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ନେତା ରାକେଶ ଟିକାୟତ ଘୋଷଣା କରିବା ଘଟଣାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆଇନ ପ୍ରତ୍ୟାହାର ନହେବା ଯାଏ ଆନ୍ଦୋଳନ ଜାରି ରହୁ
ଯେଉଁ ପର୍ଯ୍ୟନ୍ତ କୃଷି ଆଇନ ପ୍ରତ୍ୟାହାର ହୋଇନି ସେ ଯାଏ ଏହି ଆନ୍ଦୋଳନ ଜାରି ରହିବା ଦରକାର। ଯଦି ସରକାର ଚାଷୀଙ୍କର ପ୍ରକୃତ ହିତ ଚାହୁଛନ୍ତି ତେବେ ଘୋଷଣା ସାଙ୍ଗେ ସାଙ୍ଗେ ଆଇନକୁ ପ୍ରତ୍ୟାହାର କରିଥାନ୍ତେ। ଯେଉଁ ଦିନ ପ୍ରକୃତରେ ସମ୍ବିଧାନର ନିୟମ ଅନୁଯାୟୀ ଆଇନ ପ୍ରତ୍ୟାହାର ହେବ ସେବେ ହିଁ ଚାଷୀ ମାନଙ୍କର ବିଶ୍ବାସ ହେବ। ଆଉ ଆନ୍ଦୋଳନ ହଟିବ।
ପ୍ରଫୁଲ୍ଲ କୁମାର ପରିଡ଼ା

କେବଳ ଘୋଷଣା କଲେ ହେବ ନାହିଁ
ପ୍ରଧାନମନ୍ତ୍ରୀ କେବଳ ଘୋଷଣା କରିଦେଇଛନ୍ତି। କିନ୍ତୁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଯେମିତି ବିନା ଘୋଷଣାରେ ରାତାରାତି କୃଷି ଆଇନ ପାରିତ କରିଦେଲେ ସେହିପରି ଆଗ ପ୍ରତ୍ୟାହାର କରନ୍ତୁ। ଯେଉଁ ପର୍ଯ୍ୟନ୍ତ ଲିଖିତ ଆକାରରେ କାର୍ଯ୍ୟକାରୀ ହୋଇନାହିଁ କି ସରକାରୀ ସ୍ତରରେ ପ୍ରତ୍ୟାହାର ହୋଇନି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ତେଣୁ ଆନ୍ଦୋଳନ ଜାରି ରହିଲେ ହିଁ ଏହା ସମ୍ପୂର୍ଣ୍ଣ ସଫଳ ହେବ।
ସୁରେନ୍ଦ୍ରନାଥ ମହାରଣା

ମୌଖିକ ଘୋଷଣା ବିଶ୍ବାସଯୋଗ୍ୟ ନୁହେଁ
ଲିଖିତ ଭାବେ କୃଷି ଆଇନ ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ଦରକାର। କାରଣ ଯେଉଁ ଭଳି ଭାବେ କୋଭିଡ୍‌ ମହାମାରୀ ସମୟରେ ତରବରିଆ ଭାବେ ୩ଟି କୃଷି ଆଇନକୁ ପାରିତ କଲେ ସେହିପରି ଖାଲି ଘୋଷଣା କଲେ କିପରି ଆମେ ବିଶ୍ବାସ କରିବୁ। ଲିଖିତ ଆକାରରେ ଆଇନ ପ୍ରତ୍ୟାହାର ହେଲେ ହିଁ ବିଶ୍ବାସ ହେବ। ତେଣୁ ଚାଷୀମାନଙ୍କର ବିଜୟୀ ସେହିଦିନ ହେବ ଯେଉଁଦିନ ଲିଖିତ ଆକାରରେ ଆଇନ ପ୍ରତ୍ୟାହାର ହେବ।
ନରହରି ଦାସ

ନିର୍ବାଚନ ପୂର୍ବରୁ ଲଲିପପ୍‌
ପ୍ରଧାନମନ୍ତ୍ରୀଙ୍କ କୃଷି ଆଇନ ପ୍ରତ୍ୟାହାର ଘୋଷଣା ନିର୍ବାଚନ ପୂର୍ବରୁ ପାଇଁ ଲଲିପପ୍‌ ବି ହୋଇପାରେ। ଏ ଆଇନ ରଦ୍ଦ ଘୋଷଣାକୁ ସଂସଦରେ ପ୍ରତ୍ୟାହାର କରିବା ଆଗରୁ ଦେଶର ସବୁଠୁ ବଡ଼ ଆଉ ଶକ୍ତିଶାଳୀ କୃଷକ ଆନ୍ଦୋଳନରୁ ଓହରି ଯିବା ହୁଏତ ସେହିଭଳି ଭୁଲ ହେବ ବୋଲି ରାକେଶ ଟିକାୟତ ବୁଝିଛନ୍ତି।
ଶ୍ରୀମା ଶତପଥୀ

ଆନ୍ଦୋଳନ ଜାରି ରଖିବା ନିଷ୍ପତ୍ତି ଯଥାର୍ଥ
ରାକେଶ ଟିକାୟତ ଏଠି ନିଜର ମନର ଭାବନା ବ୍ୟକ୍ତ କରିଛନ୍ତି। ଏଠି କୁହାଯାଇ ନପାରେ ଯେ, ଏହା ତାଙ୍କର ଅହଂକାର କି ସେ ଏଥିରେ ରାଜନୀତି କରୁଛନ୍ତି। ଯଦି ଏହି ଆଇନ ପ୍ରତ୍ୟାହାର କରାଯିବାର ଥିଲା ତେବେ ଏତେ ଦିନ ଯାଏ କାହିଁକି ସମସ୍ତେ ଚୁପ ଥିଲେ। ଆଜି ଯାହା ଜଣାପଡୁଛି ନିର୍ବାଚନକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏଠି ଟିକାୟତଙ୍କ କହିବା କଥା ଏତେ ଚାଷୀ ଆନ୍ଦୋଳନରେ ମୃତ୍ୟୁ ବରଣ କଲେ, ଦେଶର ଏତେ ଅର୍ଥନୈତିକ କ୍ଷତି ବି ହେଲା କିନ୍ତୁ ସେତେବେଳେ ସରକାର କାହିଁକି ଏ ଘୋଷଣା କଲେନାହିଁ। ଏବେ ବି କହିବା କଥା ଯେ, ସରକାର ପ୍ରଥମେ ଚାଷୀଙ୍କ ସହ ଆଲୋଚନା କରନ୍ତୁ ଓ ପରେ ଅନ୍ୟ ନିଷ୍ପତ୍ତି ନିଅନ୍ତୁ। ତେଣୁ ଆନ୍ଦୋଳନ ଜାରି ରହିଥିବା ନିଷ୍ପତ୍ତି ଯଥାର୍ଥ।
ନୀଳମଣି ମିଶ୍ର

ଅହଂକାର ନୁହେଁ ସମସ୍ୟାର ସମାଧାନ ଲକ୍ଷ୍ୟ
କୃଷକ ଆଇନ୍ ପ୍ରତ୍ୟାହାର ଘୋଷଣା ପରେ ମଧ୍ୟ ଧାରଣା ଚାଲିବ ବୋଲି ଘୋଷଣା ଟିକାୟତଙ୍କ ଅହଂକାର ନୁହଁ, ସମସ୍ୟାର ସମାଧାନ ଦିଗରେ ପଣ ଭଳି ଲାଗୁଛି। ବର୍ଷତମାମ ଧାରଣାରେ ବସିବା ପରେ କେବଳ ଭାଷଣରେ ଗୋଟିଏ ଆଇନ୍ ରଦ୍ଦ ଘୋଷଣାଟା ବିଶ୍ବାସ ନ ହେବା ସ୍ୱାଭାବିକ।
ଯାଜ୍ଞସେନୀ ସାହୁ

ଟିକାୟତଙ୍କ ଅସଲ ପରିଚୟ ଜଣାପଡ଼ିଛି
କୃଷି ଆଇନ୍ ପ୍ରତ୍ୟାହାର ପରେ ଆନ୍ଦୋଳନରୁ ଟିକାୟତଙ୍କ ଅସଲ ପରିଚୟ ଜଣାପଡ଼ିଛି। ସେ କଂଗ୍ରେସ ଏଜେଣ୍ଟ ହିସାବରେ କାମ କରୁଥିଲେ ଏବେ ମୋଦୀ ବିରୋଧୀ ହୋଇ ଉତ୍ତରପ୍ରଦେଶ ଭୋଟକୁ ପ୍ରଭାବିତ କରିବାକୁ ନାଟକ କରୁଛନ୍ତି। ତାଙ୍କର ଏହି ଅଭିନୟ ଜନସାଧାରଣ ଜାଣିସାରିଲେଣି।
ସନ୍ତୋଷ ପ୍ରଧାନ

ଟିକାୟତ ଅହଂକାରୀ
ଦେଶର କୃଷକ ମାନଙ୍କ ପାଇଁ ମୋଦୀ ସରକାର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଜଣାଇଛନ୍ତି। କୃଷକ ଆନ୍ଦୋଳନ ଆଗରେ ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡ ନୋଇଁବାକୁ କେହି କେହି ଅସହାୟତା ଭାବେ ଚିତ୍ରଣ କରୁଥିବା ବେଳେ ଅନ୍ୟକେହି ରାଜନୀତି ପାଇଁ ମୋଦୀ ଦେଶର କୃଷକମାନଙ୍କ ବୃହତ ସ୍ୱାର୍ଥ ସହ ସାଲିସ କରି ଭୁଲ କରିଛନ୍ତି ବୋଲି ମତ ଦେଉଛନ୍ତି। ମାତ୍ର ଏସବୁ ସତ୍ୱେ ଜନଗଣଙ୍କ ମତକୁ ଦେଶର ପ୍ରଧାନ ସେବକ ସମ୍ମାନ ଦେବା ପରେ ଟିକାୟତଙ୍କ ଏଭଳି ପାଗଳାମି ନିଜର ଅହଂକାରୀ ମନୋଭାବକୁ ପଦାରେ ପକାଉଛି।
ଶିବରାମ ମହାପାତ୍ର

ସମ୍ବନ୍ଧିତ ଖବର